କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ପକେଟରୁ ରୁମାଲ ବାହାର କରି ସରୋଜ ତା’ ଆଡକୁ ବଢ଼ାଇଲେ- ନିଅ, ଲୁହ ପୋଛି ପକାଅ.. ନିଜ ଲୋକ ବିଦେଶରେ ଥିଲେ ଘରେ କେହି କାନ୍ଦନ୍ତିନି ପରା… ?
ସରୋଜ ମୁହଁରୁ ବାରମ୍ବାର ‘ବିଦେଶ’ ଶବ୍ଦ ଶୁଣି ପଦ୍ମିନୀର ମର୍ମସ୍ଥଳ ମଥିତ ହୋଇ ଯାଉଥିଲା । ହୃଦୟ ଭିତରୁ ନିଜକୁ ନିଜେ ଧିକ୍କାରୁ ଥିଲା ସେ । ନିଜର ଭୁଲ୍ ନ ଥାଇ ଏକ ମିଥ୍ୟା ଘେରର ଖୋଳପା ଭିତରେ ଏମିତି ଆଉ କେତେ ଦିନ ନିଜକୁ ସେ ଲୁଚାଇ ରଖି ପାରିବ ? କେତେ ଦିନ ଯାଏ ବିଶ୍ୱାସକୁ ମିଛର ପଣତ ତଳେ ଢ଼ାଙ୍କି ରଖିବ ? ଅଳ୍ପ କିଛି ଦିନ ହେବ ପରିଚିତ ସରୋଜଙ୍କ ସହ ଆଉ କେତେଦିନ, କି ଭଳି ଭାବେ ଛଳନା କରି ରହିପାରିବ ?
ସରୋଜ ସହ ପରିଚୟ ହେବା ପରେ ତାଙ୍କ ପ୍ରଶ୍ନର ଉର ଦେବାକୁ ଯାଇ ସେ କହିଥିଲା, ସ୍ୱାମୀ ତା’ର ଉଚ୍ଚ ଶିକ୍ଷା ପାଇଁ ଜର୍ମାନୀ ଯାଇଛନ୍ତି । ଏତେ ବଡ଼ ମିଥ୍ୟା କଥା କହିବା ସମୟରେ କଣ୍ଠ ତା’ର ଥରୁଥିଲା । ସ୍ୱାମୀଙ୍କ ଅବିବେକିତାକୁ ସେ ପ୍ରକାଶ କରି ପାରିଲାନି । ପାଖାପାଖି ବର୍ଷେ ହେବ ଏଇ କମ୍ପାନୀର କାମ କରି, ଆଜିଯାଏ ସେ କାହାକୁ ବି କହିପାରିନି ପତି ପରିତ୍ୟକ୍ତା ବୋଲି, କେବଳ ଏଇ କାରଣରୁ ଅଫିସଠାରୁ ଦୂରରେ ଭଡ଼ାଘରଟିଏ ନେବାକୁ ବାଧ୍ୟ ହୋଇଛି ।
ଅଥଚ ସେଇ ପ୍ରଚ୍ଛନ୍ନ ସତ୍ୟ ଆଜି କେଡ଼େ ନିଷ୍ଠୁର ଭାବେ ଆତ୍ମପ୍ରକାଶ କରିଛି । ଆଉ କେତେ ଦିନ ଅଫିସରେ ଏ କଥା ଲୁଚି ରହିବ ? ସେଥିରେ ପୁଣି ମିଥ୍ୟାର ଏ ଚକ୍ରବ୍ୟୁହ ଭିତରକୁ ମୀନାକ୍ଷି ପଶି ଆସିଲାଣି । କ’ଣ ହେବ ପରିଣାମ ? କୁଆଡ଼େ ଯିବ ସେ ? କ’ଣ କହିବ ବିଶ୍ୱାସକୁ ? ଭାବନାର ଗଭୀର ଦୁର୍ଗ ଭିତରେ ବେଳକୁ ବେଳ ବୁଡ଼ି ଯାଉଥିଲା ପଦ୍ମିନୀ । କିଛି ବୁଦ୍ଧି ବାଟ ଦିଶୁ ନଥିଲା ।
ହଠାତ୍ ରୋଷେଇ ଘରୁ ବିଶ୍ୱାସର ଡାକ ଶୁଣି ସରୋଜ ମଧ୍ୟ ପ୍ରକୃତିସ୍ଥ ହୋଇ ଉଠିଲେ । ପଦ୍ମିନୀ ଉଦ୍ଦେଶ୍ୟରେ କହିଲେ- ଆସ ପଦ୍ମିନୀ, ବିଶ୍ୱାସକୁ ଭୋକ ହେଲାଣି । ମତେ ମଧ୍ୟ…. ।
ପଦ୍ମିନୀ ଅପ୍ରସ୍ତୁତ ମନେକଲା-ସତରେ ସରୋଜବାବୁ, ପଛଦିନ ଗୁଡ଼ାକ ଭିତରେ କେତେବେଳୁ କି ମୁଁ ବୁଡି ରହିଥିଲି… ସନ୍ଧ୍ୟା ହେଇ ଆସିଲାଣି… ଜଳଖିଆ ବି କରିନି.. କ୍ଷମା କରିବେ.. ଆସନ୍ତୁ… ।
କ୍ରମଶଃ
Comments are closed.