Latest Odisha News

କବିତା : ଭୁଲ

ବିନୋଦିନୀ ଦାଶ

ଜୀବନ-ଗଣିତ କଷୁକଷୁ ତୁହି
ପ୍ରଶ୍ନ ବୁଝିବାରେ ଧିଆନ ନଦେଇ
ଧାରାକୁ ଓଲଟପାଲଟେ ସଜାଇ
ଆଗକୁ ଗତିରେ ମାରିଲୁ ଢିଲା
ସବୁକଛି ଭୁଲ୍ ହୋଇଗଲା ।

ସେତେବେଳେ ବୁଝି ଜୀବନର ଅର୍ଥ
କରିଥାନ୍ତୁ ଯେବେ ମନକୁ ଆୟତ୍ତ
କଷିବା ସମୟେ ରହି ଶାନ୍ତଚିତ୍ତ
ଶୃଙ୍ଖଳା ଜ୍ଞାନକୁ ହୃଦେ ପୂରାଇ
ଅନୁଶୋଚନାକୁ ନଥାନ୍ତୁ ବହି ।

ଜୀବନର ଶେଷ ସୋପାନେ ପହଞ୍ଚି
ଖେଳାଇ ଚାଲିଲେ କେଉଁ ଲାଭ ଅଛି
ନେଡି଼ ଗୁଡ଼ କହୁଣୀକୁ ତ ବହିଛି
ବୃଥା ନୁହଁଇ କି ସେହି ଗଣିତ
ଏବେ ସାଜିବ କି ଜୀବନ-ମିତ ?

ସମୟର ଶେଷ ହୋଇବା ପୂର୍ବରୁ
ମାନସିକ ସ୍ତରେ ନହୋଇ ତୁ ଭୀରୁ
ଯେତେ ଲୋଭ ମୋହ ଫିଙ୍ଗି ମନରୁ
ହୋଇଗଲେ ବିଭୁ ପଥ ଆଶ୍ରୟୀ
ନିଶ୍ଚୟ କରୁଣା ଅମୃତପାୟୀ ।

କୁରୁଆଁ, ମୁଗପାଳ, ଯାଜପୁର

Leave A Reply

Your email address will not be published.