କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ବୈଶାଖ ମାସର ରୌଦ୍ରଦଗ୍ଧ ଉପ୍ତ ଅପରାହ୍ନ । ଗାଁ ଶେଷରେ ଥିବା ପୋଖରୀ ତୁଠରୁ ମାଠିଆଏ ପାଣି କାଖରେ ଧରି ଝିଅଟିଏ ପାହାଚ ଚଢ଼ୁଛି । ଆଖ ପାଖ ଶୁନ୍ ଶାନ । ହଠାତ ତା’ ନାଆଁ ଧରି କେହି ଜଣେ ଡାକୁଥିବା ଜାଣି, ଝିଅଟି ବିଚଳିତ ହୋଇ ଉଠିଲା । ଲମ୍ବା ପଣତକୁ ଭଲଭାବେ ଦେହସାରା ଗୁଡ଼େଇ ନେଲା । ଇତସ୍ତତଃ ଚାହାଁଣିରେ ଚାରିଆଡ଼କୁ ନଜର ଘୂରାଇଲା ।
ପୋଖରୀ ହୁଡ଼ାରେ ଥିବା କଦମ୍ବ ଗଛ ଛାଇରେ ଯୁବକ ଜଣେ ଛିଡ଼ାହୋଇ ହାତପାହାନ୍ତା ଡାଳରୁ ଗୋଟେ ଗୋଟେ ପତ୍ର ତୋଳି ଟିକିଟିକି କରି ତଳେ ପକାଇ ଚାଲିଛି ।
ଝିଅଟି ମୁହଁରେ ଫୁଟିଥିବା ଭୟ ଓ ସନ୍ଦେହ ଉଭେଇ ଗଲା । ଧିରେ ଧିରେ ତା ନିକଟକୁ ଗଲା ଅନୂଢ଼ା ଝିଅଟି । ପାଣି ଗରାକୁ ତଳେ ରଖିଦେଇ ଯୁବକଟିର ପାଦ ଛୁଇଁବା ପାଇଁ ହାତ ବଢ଼ାଇଲା । ସାମାନ୍ୟ ନଇଁ ପଡ଼ି ତା’ ହାତକୁ ମୁଠେଇ ଧରି ବାରଣ କଲା ଯୁବକ ଜଣକ ।
ଥାଉ ଉମା….ତୁ ମୋ ପାଦର ନୋହୁଁ……କେତେଥର କହିଛି । ମୋ ହୃଦୟରେ ତୋ ସ୍ଥାନ । ଆ….ପାଖକୁ…. । ନା, ସବୁବେଳେ ସେଇ ଏକା ମିଛ କଥା । ଆଜି ମୁଁ ତମକୁ ଜମା କଥା କହିବିନି ।
ଭଞ୍ଜନଗର ଗଲ ଯେ, ମତେ ଦେଖା ଦେଇ ଯାଇଥିଲେ, ତମର କ’ଣ ଅମଙ୍ଗଳ ହୁଅନ୍ତା? ଏତକ ଦିନ ତମେ ଯେ ମୋର କେତେ ମନେ ପଡ଼ିଲ….? ହସିଲା ଯୁବକ ଜଣକ, ଚପଳ ହସ ।
ତତେ ଯଦି ଦେଖାକରି ଯାଇଥା’ନ୍ତି, ତୋ ମନରେ ମୋ ପାଇଁ କେତେ ସ୍ନେହ ଅଛି, କେମିତି ଜାଣନ୍ତି କହିଲୁ?
ହୁଁ, ସତେ! ମୁଁ ସିନା ତମକୁ ଭଲପାଏ, ତମେ କିନ୍ତୁ ମତେ ସବୁ ଲୁଚେଇ ରଖୁଛ । ସତ କହିଲ, ତମେ ମତେ ବାହାହେବନା?
Comments are closed.