Latest Odisha News

ଶିଶୁ ଗଳ୍ପ : ମିକୁନ୍ ନିଜର ଭୁଲ୍ ବୁଝିଲା

କୁଞ୍ଜ ବିହାରୀ ସାହୁ

କପିଳାସ ପାହାଡ଼ ତଳେ ଗୋଟିଏ ଆଜବେଷ୍ଟସ ଘରେ ମିକୁନ୍ ତା’ ବାପା ବୋଉ ସାଥିରେ ରହେ । ନୋଡାଲ ସ୍କୁଲରେ ପଢ଼େ । ମନଦେଇ ପାଠପଢ଼େ ବୋଲି ଗୁରୁଜୀ ଗୁରୁମା ଭଲପାଆନ୍ତି, ଆଦର କରନ୍ତି ।

ରବିବାର ସ୍କୁଲ ଛୁଟି । ପାଠପଢ଼ା ନାହିଁ । ମଜାମଜଲିସ କରି ସମୟ ବିତେଇବା ହେଲା ମିକୁନର କାମ । ମାଘ ମାସର ସକାଳ । ଥଣ୍ଡା ପବନ ସିରିସରି ବୋହୁଛି । କୁହୁଡ଼ି ପଡ଼ିଛି ବାହାରେ । ସେଇଥିପାଇଁ ସକାଳୁ ଉଠି ବାହାରକୁ ନ ଯାଇ ଟି.ଭି ପାଖରେ ବସିଗଲା ।

ରୋଷେଇ ଘରୁ ବିସ୍କୁଟ ଆଉ ଦୁଇଟା ପେଡ଼ା ଆଣିଲା ମିକୁନ୍ । ପ୍ଲେଟରେ ରଖି ଖାଉଥାଏ । ମଝିରେ ମଝିରେ ଟି.ଭି ଦେଖୁଥାଏ । ତା ବୋଉ କହିଲେ- ମିକୁନ୍, ମୁଁ ଗାଧେଇବାକୁ ଯାଉଛି । ତୁ ଖାଇସାରି ରୋଷେଇଘର କବାଟକୁ ବନ୍ଦ କରିଦେବୁ । କାଳେ ବିଲେଇ କି ମାଙ୍କଡ଼ ଘର ଭିତରକୁ ପଶିଯିବେ ।

ହଁ ବୋଉ- ମିକୁନ୍ ମୁଣ୍ଡ ହଲେଇଦେଇ କହିଲା ।

ଟି.ଭିରେ ଡିସକଭରି ଚାନେଲ ଦେଖୁଥାଏ ମିକୁନ୍ । ଖାଇସାରିଲା ପରେ ରୋଷେଇଘରେ ପ୍ଲେଟ ରଖି କବାଟଟିକୁ ଅଳ୍ପ ଆଉଜେଇଦେଲା । ବସିପଡ଼ିଲା ସୋଫାରେ । ଚାନେଲରେ ପଶୁପକ୍ଷୀଙ୍କ ଚାଲିଚଳନ ଦେଖି ଖୁସି ହେଉଥାଏ । ମାଙ୍କଡମାନଙ୍କୁ ଦେଖି ତା ବାପା କହିଥିବା ଗୀତଟିକୁ ମନେପକେଇଲା –

ମାଙ୍କଡ଼ ଖାଏ କାଙ୍କଡ଼ କଷି,
ବାଙ୍କ ବାବୁଙ୍କ ବାଡ଼ିରେ ପଶି ।
ତାଙ୍କ କୁକୁର ଆସିଲା ଧାଇଁ,
ହନୁମାଙ୍କଡ଼ ଗଲା ପଳେଇ ।

କ୍ଷଣିକ ଭିତରେ ବାରିରେ ଥିବା ପେସ୍ତା ବାଦାମ ଗଛରେ କେତୋଟି ମାଙ୍କଡ଼ ପିଲାଛୁଆ ଧରି ବସିଲେ । ଡାଳରୁ ଡାଳ ଡେଇଁଲେ । ବେଳକୁ ଦରାଣ୍ଡି ମିକୁନ ଘରର ଅଧାମେଲା ରୋଷେଇ ଘରେ ପଶିଗଲେ ଦୁଇଟା ମାଙ୍କଡ଼ ଛୁଆ । ଥିରିଥିରି ପାଦରେ ଆସିଲେ ଯେ ମିକୁନ ଜାଣିପାରିଲାନି । ପରିବାଡାଲାରୁ ବାଇଗଣ, ଟମାଟୋ, ଶିମ୍ବ ନେଇଗଲେ । ଅଗଣାରେ ବସି ମନଖୁସିରେ ଖାଇଲେ । ତା ସାଥିରେ ଆସିଥିବା ମାଙ୍କଡ଼ମାନେ ମିଳିମିଶି ଖାଇଲେ । ଆଉ ଗୋଟିଏ ମୋଟାସୋଟା ମାଙ୍କଡ଼ଟିଏ ଘରେ ବସି ଅରୁଆଚାଉଳ ଜରିକୁ ଦାନ୍ତରେ ଧରି ବାହାରକୁ ଆସିଲା । ଗାଧୁଆଘର ଆଗରେ ପରିବା ଚୋପା ଆଉ ଅରୁଆ ଚାଉଳ ପଡ଼ିଥାଏ ।

ଗାଧେଇସାରି ମିକୁନର ବୋଉ ଦେଖିଲେ ଖଣ୍ଡିଆ ହେଇ ବାଇଗଣ, ଟମାଟୋ ପଡ଼ିଛି । ଅରୁଆ ଚାଉଳ ବିଞ୍ଚିହେଇ ଠାଏ ଠାଏ ପଡ଼ିଛି । ରୋଷେଇ ଘରେ ପଶି ପରିବାଡାଲାକୁ ଦେଖି ଚମକିପଡ଼ିଲେ । କବାଟ ଖୋଲା ଅଛି ।

ମିକୁନକୁ ଡାକି ପାଟିକଲେ । ତୋତେ ପରା କହିଯାଇଥିଲି ରୋଷେଇଘର କବାଟ ବନ୍ଦ ରଖିବାକୁ । ତୁ ଖୋଲିଦେଇ ଆରାମରେ ଟି.ଭି.ଦେଖୁଛୁ । ଏଡ଼େ ବଦମାସ୍ ,ମୂର୍ଖ ପିଲା ତୁ । କହିଲୁ ..କେତେ ପରିବା, ଚାଉଳ ନଷ୍ଟ ହେଲା । ଆଉ କ’ଣ ପରିବା ଅଛି ଯେ ତୋ ପାଇଁ ତରକାରି ହେବ । ସବୁଥିରେ ତ ମାଙ୍କଡ଼ ମୁହଁ ମାରିଦେଇଛି ।

ସେତେବେଳକୁ ମିକୁନର ବାପା ସକାଳ ବୁଲା ସାରି ଘରକୁ ଫେରୁଥିଲେ । ଦେଖିଲେ ଫାଟକ ପାଖରେ ପରିବା ଚୋପା, ଚାଉଳ ପଡ଼ିଛି । ଏଣେତେଣେ ଚାହୁଁଚାହୁଁ ଉପରକୁ ଅନେଇଲେ । ମାଙ୍କଡ଼ମାନେ ଗଛଡାଳରେ ବସି ମଉଜରେ ଖାଉଛନ୍ତି । ଖିଁ ..ଖିଁ ହେଉଛନ୍ତି । ଘରେ ପଶୁ ପଶୁ ମିକୁନର ବୋଉ ରାଗରେ ମିକୁନକୁ ଗାଳି କରୁଥିବାର ଶୁଣିଲେ । ମିକୁନ ମୁହଁ ଶୁଖେଇ ବସିଥାଏ । କାନ ଧରି ବସଉଠ ହେଉଥାଏ । ସବୁ ଜାଣିପାରି ମିକୁନର ବାପା ବୁଝେଇଲେ – ତୁ ଭଲ ପଢ଼ିଲେ କେବଳ ହେବନି, ସମୟେ ସମୟେ ଉପସ୍ଥିତ ବୁଦ୍ଧି ଖଟାଇବାକୁ ପଡ଼ିବ । ଗୁରୁଜନଙ୍କ କଥା ମାନି ସବୁ କାମ କରିବାକୁ ପଡ଼ିବ । ତୁ ଯଦି ତୋ ବୋଉ କଥା ମାନିଥାନ୍ତୁ, ଅନ୍ୟମନସ୍କ ହୋଇ ନଥାନ୍ତୁ ତେବେ ଏତେ ବଡ଼ ଘଟଣା ଘଟିନଥାନ୍ତା !

ହଁ ବାପା, ମାେର ଭୁଲ୍ ହୋଇଯାଇଛି । ସବୁବେଳେ ତୁମ ଦୁହିଁଙ୍କ କଥା ମାନି ସବୁ କାମ କରିବି । ମିକୁନ କାନ୍ଦି କାନ୍ଦି କହିଲା ।

ମିକୁନ୍ ଭୁଲ ମାଗିଥିବାରୁ ତା ବୋଉ ଶାନ୍ତ ହେଲେ । ବୁଝେଇ କହିଲେ – ମିକୁନ ଘରେ ହେଉ କି ସ୍କୁଲରେ ସଭିଙ୍କ କଥା ମାନି କାମ କରିବୁ ।

ଏଲ୍.ଆଇ.ଜି – ୧୫
ନୟାପଲ୍ଲୀ ବ୍ରିଟ୍ କଲୋନୀ
ଭୁବନେଶ୍ବର

Leave A Reply

Your email address will not be published.