କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ବଡ଼ ବଡ଼ ଡ଼ୋଳା ନେଇ ଉମା ଯୁବକର ଆଖି ସହ ଆଖି ମିଶାଇଲା ।
– ଆରେ ହୁଣ୍ଡି, ମୁଁ ତତେ ଭଲ ପାଏ ନି, ଏକଥା କିଏ ତତେ କହିଲା?
– ତମ ଭାଉଜ ।
– ଏଁ, ଭାଉଜ । ଚମକି ଉଠିଲା ଯୁବକ ଜଣକ ।
– କ’ଣ କହିଲେ କହିଲୁ?
ଚାରିଦିଗକୁ ଥରେ ଆଖି ଘୂରାଇ ଆଣିଲା ଉମା ।
– ତମେ କାଳେ ତମର ସେଇ ମାମୁଙ୍କ ଝିଅ ମଧୁକୁ ବାହା ହେବ ।
ପିଲାଦିନୁ ତମ ବାବା-ବୋଉ ଠିକ୍ କରିଛନ୍ତି ।
ଗମ୍ଭୀର ହୋଇ ଉଠିଲା ଯୁବକ ଜଣକ ।
-ବାବା-ବୋଉ ଠିକ୍ କରିଛନ୍ତି । କିନ୍ତୁ ମୁଁ ନୁହେଁ । ମୁଁ କେବଳ ତତେ ଚାହେଁ ଉମା ! ଅନ୍ୟଥା ଗାଁକୁ ଆସି ପ୍ରଥମେ ମୁଁ ତତେ ଦେଖା କରି ନ ଥା’ନ୍ତି ।
-ସତ କହୁଛ ଭାଇନା…. । ଉମାର ଦୁଇ ଆଖି ଆଶାର ଉଜ୍ଜ୍ୱଳିମାରେ ଆଲୋକିତ ହୋଇ ଉଠିଲା ।
ଆକଟ କଲା ଯୁବକ ଜଣକ ।
– ଭାଇନା ନୁହେଁ ଉମା! ତୁ ମତେ ଭାନୁ ବୋଲି ଡ଼ାକିପାରୁ, ନ ହେଲେ ଚନ୍ଦ୍ର ବୋଲି ଡାକିବୁ । କିନ୍ତୁ ଏ ଭାଇନା….ମତେ ଜମାରୁ ଭଲ ଲାଗୁନି । ଆସିଲୁ, ଏଇ ଘାଟୀ ତଳକୁ ଯିବା, ଅନେକ ଦିନ ହେଲା ଆମେ ଏଠିକୁ ଆସିନେ ନା?
କମ୍ ଦୂରତ୍ୱ ରଖି ଉଭୟେ ଆଗକୁ ଚାଲିଲେ । ଦୁଇ କଡ଼ର ପ୍ରାକୃତିକ ସୈାନ୍ଦର୍ଯ୍ୟ ଚନ୍ଦ୍ରଭାନୁଙ୍କୁ କୌଣସି ଦୃଷ୍ଟିରୁ ବି ଆକର୍ଷିତ କରୁ ନ ଥିଲା । ଯୁବକ ହୃଦୟରେ କାମନାର ଅଗ୍ନି ବେଳକୁ ବେଳ ଲେଲିହାନ ଶିଖା ବିସ୍ତାରି ଚାଲିଥିଲା । ମନ ଭିତରେ ଗୋଟିଏ ବାସନା ଉଜାଗର ହେଉଥିଲା-ଉମାର ନିଖୁଣ ଯୌବନକୁ ସେ କିପରି ଉପଭୋଗ କରିବେ । ଆଉ ପଲ୍ଲୀ ତନୁଜା ଉମା-ଗାଁର ସର୍ବଶ୍ରେଷ୍ଠ ସୁନ୍ଦର ଓ ଶିକ୍ଷିତ ଯୁବକ ଚନ୍ଦ୍ରଭାନୁଙ୍କ ମୋହନବଂଶୀକୁ ଭରସା କରି, ଅଭିସାରିକା ରାଧିକା ସମ, କାଖରେ ଜଳ ପୂର୍ଣ୍ଣ ଗରାଧରି, ମରାଳୀର ଗତି ନେଇ ଆଗକୁ ବଢ଼ୁଥିଲା । ଭବିଷ୍ୟତର ଉଜ୍ଜ୍ୱଳ ସ୍ୱପ୍ନରେ ଭାବନା ସବୁ ତା’ର ରଙ୍ଗୀନ ମନେ ହେଉଥିଲା ।
Comments are closed.