Latest Odisha News

କଥା ଗଣତନ୍ତ୍ରର କଥା ସମ୍ବିଧାନର……..

ସ୍ଵାଧୀନତାର ୭୫ ବର୍ଷ ଭିତରେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିଛି ।  ଆମ ସମ୍ବିଧାନ ଆମେ ତିଆରି କରିଛୁ । ଆମ ଦେଶକୁ ଆମେ ଶାସନ କରୁଛୁ ।  ଏ ଦୀର୍ଘ ବର୍ଷ ଭିତରେ ଆମେ ଅନେକ ଉତ୍ଥାନ ପତନ ଦେଇ ରେ ଗତି କରିଛୁ । ବଦଳିଛି ସରକାର ପରେ ସରକାର । ଦେଶରେ ଅନେକ ବିକାଶର ଚିତ୍ର ଅଙ୍କା ଯାଇଛି ବିଭିନ୍ନ ସରକାରଙ୍କ ଦ୍ଵାରା । କେତେ ସତ ହୋଇଛି କେତେ ଚିତ୍ର ହୋଇ ରହିଯାଇଛି । ତଥାପି ଦେଶ ଆଗେଇ ଚାଲିଛି ।

ସାଧାରଣ ଲୋକଙ୍କ ହାତରେ କ୍ଷମତା ଥିବ, ସେମାନେ କରିବେ ଶାସନ, ନିୟମ ପ୍ରଣୟନ ସହ କରିବେ ଜନମଙ୍ଗଳ କାର୍ଯ୍ୟ – କଥାଟି ହୁଏ ତ ସ୍ୱାଧୀନତା ପୂର୍ବରୁ ଥିଲା ସ୍ୱପ୍ନ। ରାଜାରାଜୁଡା ଓ କ୍ଷମତାଶାଳୀ ବ୍ୟକ୍ତିମାନେ ଏହି ଶାସନ ବ୍ୟବସ୍ଥାକୁ ନିଜ ହାତରେ ରଖିବାକୁ ଚାହୁଁଥିଲେ। ସ୍ୱାଧୀନତା ପରେ ଯେତେବେଳେ ଗଣତନ୍ତ୍ର ପ୍ରତିଷ୍ଠା ହେଲା ଏବଂ ସାଧାରଣ ଲୋକଟିଏ ମଧ୍ୟ ଏହି ଗଣତନ୍ତ୍ରରେ ନିଜକୁ ସାମିଲ କରିପାରିଲା ତାହା ନିଶ୍ଚିତ ଭାବେ ଥିଲା ଏକ ଭିନ୍ନ ପ୍ରୟାସ।

ପରବର୍ତ୍ତୀ ସମୟରେ ପଞ୍ଚାୟତରାଜ ବ୍ୟବସ୍ଥା ଏହି ଗଣତନ୍ତ୍ରକୁ ତୃଣମୂଳ ସ୍ତରରୁ ସୁଦୃଢ କରିଥିଲା । ଧୀରେ ଧୀରେ ୱାର୍ଡମେମ୍ବର, ସରପଞ୍ଚ, ସମିତିସଭ୍ୟଙ୍କ ହାତକୁ କ୍ଷମତା ଗଲା  । ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଆବ୍ରାହମ ଲିଙ୍କନ୍ ଗଣତନ୍ତ୍ରର ସଂଜ୍ଞା ନିରୂପଣ କରି କହିଥିଲେ- ‘ଗଣତନ୍ତ୍ର ହେଉଛି ଲୋକମାନଙ୍କ ପାଇଁ ଲୋକମାନଙ୍କ ଦ୍ଵାରା ଓ ଲୋକମାନଙ୍କର ଶାସନ। ଗଣତନ୍ତ୍ର ଶାସନକୁ ସୁଦୃଢ଼ କରିବାକୁ ହେଲେ, ପ୍ରତ୍ୟେକ ନାଗରିକ ସଚେତନଶୀଳ ହେବା ଉଚିତ । ସମ୍ବିଧାନ କେବଳ ଗଣତନ୍ତ୍ରକୁ ସୁପରିଚାଳନା କରିବାକୁ ଏକ ଲିଖତ ପୁସ୍ତକ କିନ୍ତୁ ଦେଶର ପ୍ରତ୍ୟେକ ନାଗରିକ ହେଉଛନ୍ତି ଗଣତନ୍ତ୍ର ଶାସନର ଏକ ଏକ ଉତ୍ସ । ମୋଟାମୋଟି ଭାବରେ ବିଶ୍ୱର ସର୍ବବୃହତ ଗଣତନ୍ତ୍ର ରାଷ୍ଟ୍ର ଭାରତର ଏଇ ବିକାଶ ଧାରାକୁ  ଉଜ୍ଜୀବିତ କରିବା ହେଉଛି ପ୍ରତ୍ୟେକ ନାଗରିକଙ୍କର ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ  ।

ସମ୍ବିଧାନ କେବଳ ଅନେକ ଧାରାର ସମଷ୍ଟି ନୁହେଁ, ଏହା ଦେଶର ହଜାର ହଜାର ବର୍ଷର ପରମ୍ପରା, ଐତିହ୍ୟ ଓ ଧର୍ମୀୟ ଭାବନାର ଏକ ସମାହାର ।   ଦେଶର ମହାନ ବ୍ୟକ୍ତିତ୍ୱ ଯଥା ଭୀମରାଓ ରାମଜୀ ଆମ୍ବେଦକର, ମୋହନ ଦାସ କରମ ଚାନ୍ଦ ଗାନ୍ଧୀ, ଜବାହରଲାଲ୍ ନେହେରୁ, ଗୋପାଳକୃଷ୍ଣ ଗୋଖଲେ, ବାଲ ଗଙ୍ଗାଧର ତିଲକ, ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ବିକାଶୋନ୍ମୁଖୀ ଚିନ୍ତାଧାରା ଦେଶକୁ ଏକ ଗଣତନ୍ତ୍ର ରାଷ୍ଟ୍ରରେ ପରିଣତ କରାଇଛି ।

ଆଜି ସେହି ମହାନ୍ ବ୍ୟକ୍ତିତ୍ଵଗଣ ଆଉ ନାହାନ୍ତି । ହେଲେ, ଏହି ମହାନ ବ୍ୟକ୍ତିଙ୍କର ଲକ୍ଷ୍ୟ ଭବିଷ୍ୟତରେ  କିପରି ସାକାର ହେବ ତା’ର ଦାୟିତ୍ୱ ଉତ୍ତୀପିଢୀ ହାତରେ । ସେମାନଙ୍କର ମହନୀୟତା, ନିର୍ମଳ ଭାବଧାରା ସମସ୍ତଙ୍କର ପ୍ରେରଣାର ଉତ୍ସ ହେଉ। ଗଣତନ୍ତ୍ର ଭାରତରେ ସୁଦୃଢ ଓ ବଳିଷ୍ଠ ହେଉ । ନବ ଚେତନା ପ୍ରତ୍ୟେକ ବୁଦ୍ଧିଜୀବୀମାନଙ୍କ ମାନସପଟରେ ଜାଗ୍ରତ ହୋଇ ଦେଶର ପ୍ରତ୍ୟେକ ଅବହେଳିତ, ନିଷ୍ପେଷିତମାନଙ୍କର ଉନ୍ନତିର ଉତ୍ସ ହେଉ ।

କେବଳ କୋଠାବାଡ଼ି, ରାସ୍ତାଘାଟ ଓ ଆଲୋକ ସଜ୍ଜାରେ ଗଣତନ୍ତ୍ର ରାଷ୍ଟ୍ରର ସ୍ଥିତି ସମ୍ଭବ ନୁହେଁ । ଶିକ୍ଷାର ପ୍ରୟୋଗ କେବଳ ଅର୍ଥ ସମ୍ପଦର ଉପାର୍ଜନ ପାଇଁ ଉଦ୍ଦିଷ୍ଟ ନ ହୋଇ ଜାତିର ପ୍ରଗତି ପଥରେ ସହାୟକ ହେବା ଉଚିତ । ଏ ପର୍ଯ୍ୟନ୍ତ ଦେଶର ଜନସାଧାରଣଙ୍କ ଦ୍ଵାରା କେତେଦୂର ଗଣତାନ୍ତ୍ରିକ ମୂଲ୍ୟବୋଧର ପ୍ରଗତି ହୋଇଛି, ତାହା ବିଚାରଯୋଗ୍ୟ। ଜାତୀୟ ପତାକା ତଳେ ଠିଆ ହୋଇ କେବଳ ଜାତିର ମଙ୍ଗଳ ପାଇଁ ଶପଥ ନେଇଗଲେ ଜାତି ଆଗେଇ ଯିବ ନାହିଁ ।ଶପଥକୁ ମାତୃଭୂମିର ମଙ୍ଗଳ ସାଧନ ପାଇଁ କାର୍ଯ୍ୟରେ ପରିଣତ କରିବା ବାଞ୍ଛନୀୟ । କେବଳ ଭୋଟ ଖଣ୍ଡିଏ ଦେଇ ପ୍ରତିନିଧି ବାଛିଦେଲେ, ଗଣତନ୍ତ୍ର ଉଜ୍ଜୀବିତ ହୁଏ ନାହିଁ । ନିଜ ନିଜର ନିଃସ୍ୱାର୍ଥପର ଉଦ୍ୟମକୁ ଫଳପ୍ରଦ କରାଇଲେ ଜାତିର ପ୍ରଗତି ସମ୍ଭବ ।

Leave A Reply

Your email address will not be published.