କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଦକ୍ଷିଣବାହୁରେ କୁଣ୍ଢେଇ ଧରି ଭାଉଜ ତାକୁ ରୋଷେଇ ଘରକୁ ନେଇଗଲେ । କିଛି ନକହି ସେ ନିରବରେ ଖାଇ ଦେଇ ଉଠିପଡିଲା । ହଁ, ଖାଇବା ଭିତରେ କିନ୍ତୁ ତା’ ମନ କାହିଁ କେତେ କଥା ଭାବିଚାଲିଥିଲା । କିଏ ଆସିବ ? କେମିତି ହେଇଥିବ ?
ତା’ ସହ ସାରା ଜୀବନ କଟାଇବ କେମିତି ? ଏମିତି ସବୁ କେତେ କ’ଣ ତା’ କୁଆଁରୀ ମନର ଖାଲି କାଗଜରେ ଲେଖି ହେଇ ଚାଲୁଥିଲେ ।
ଭାଉଜ ଆସି ଆଗରେ ଠିଆ ହେଲେ । ହାତରେ ଇସ୍ତ୍ରୀକରା ଶାଢ଼ୀ… ଓଠରେ ଦୁଷ୍ଟାମୀ ହସ । ସେଇ ମୁଦ୍ରାରେ ପଦ୍ମିନୀକୁ ବେଢ଼େଇ ଧରି ସେ ତାଙ୍କ ରୁମ୍ ଭିତରକୁ ନେଇଗଲେ । ପଲଙ୍କ ଉପରେ ବସେଇ ଦେଇ କହିଲେ- ତମର ମନେ ଅଛି ମିନି , ତମ ଘରକୁ ମୁଁ ଆସିବା ଦିନ ମତେ ତମେ କେଡ଼େ ସୁନ୍ଦର କରି ସଜେଇଥିଲ ! ଆଜି ମୁଁ ତମକୁ ସେମିତି ସଜେଇ ଦେବି ।
ହଠାତ୍ ପଦ୍ମିନୀର ମନ ପଛକୁ ଫେରିଗଲା । ତା’ ଭାଇର ବାହାଘର ପରଦିନ । ନୂଆବୋହୂ ଗୃହପ୍ରବେଶ ପରର୍ବୀ ଘରର କୋଳାହଳମୟ ମାଙ୍ଗଳିକ
ପରିବେଶ । ସମସ୍ତଙ୍କର ହସ ଖୁସୀ, ମଜାର ଦିନ । ଝୀନ ଉରୀୟ ଭିତରେ ଫୁଟନ୍ତା ଫୁଲ ଭଳି ନୂଆବୋଉଙ୍କର ଲାଜ ମିଶା ନରମ ମୁହଁ । ମୁଗ୍ଧ ଦୃଷ୍ଟି ଓ ପୁଲକିତ ମନ ନେଇ ସେଇ ଅପାଶୋରା ଦିନକୁ ଭାବି ଚାଲିଥିବା ଭିତରେ, ପଦ୍ମିନୀକୁ ସଜାଇ ଚାଲିଥିଲେ ଭାଉଜ । ହଠାତ୍ ତାଙ୍କ ମୁହଁରୁ ବାହାରି ପଡ଼ିଲା – ଏଡ଼େ ସୁନ୍ଦର ମୁହଁ ଦେଖି ଚନ୍ଦ୍ରଭାନୁ ମୋହିତ ହୋଇଯିବେ ।
ପଦ୍ମିନୀର ଛାତିରେ ଚାଉଁକିନା ବାଜିଲା ସେ ନାଁ । ତାଙ୍କରି ନାଁ ତେବେ ଚନ୍ଦ୍ରଭାନୁ ?ଭଞ୍ଜ ସାହିତ୍ୟର ପ୍ରଣୟ ନନ୍ଦନ ଚନ୍ଦ୍ରଭାନୁ ।
ଐନ୍ଦ୍ରଜାଲିକ ଠାରୁ ଯା’ର ସନ୍ଦେଶ ପାଇଁ ଦିନେ ରାଜନନ୍ଦିନୀ ଲାବଣ୍ୟବତୀ ପ୍ରଣୟ ପିଆସୀ ହୋଇ ଉଠିଥିଲା । ସତରେ ଉପେନ୍ଦ୍ର ଭଂଜ ଏଡ଼େ ସୁନ୍ଦର ନାମ କିପରି ସୃଷ୍ଟି କରିପାରିଲେ ? ଚନ୍ଦ୍ର-ଭାନୁ; ଚନ୍ଦ୍ର ଓ ସୂର୍ଯ୍ୟ ଭଳି ଉଜ୍ଜ୍ୱଳ ଓ ତେଜିୟାନ । ଚନ୍ଦ୍ରଭାନୁ, ଚନ୍ଦ୍ରକିରଣ ପରି ଶୀତଳ, ସ୍ନିଗ୍ଧ ।
ଏକ ଅଭୂତପୂର୍ବ ଶିହରଣ ଖେଳିଗଲା, ତା’ ଦେହସାରା ।
କ୍ରମଶଃ
Comments are closed.