Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୩୧)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ନାମ ଶ୍ରବଣରେ ହୃଦୟ ଭିତରେ ଅଙ୍କୁରି ଉଠିଥିବା ପ୍ରଥମ ପ୍ରେମର କୃଷ୍ଣଚୂଡ଼ା ତା’ ମୁହଁସାରା ଅବିରର ରଙ୍ଗ ଯେମିତିକି ବୋଳି ଦେଇଗଲା । ମନେପଡ଼ିଗଲା ତା’ର, ଅନର୍ସ କ୍ଲାସରେ ସାର୍ ପଢ଼ାଉଥିଲେ ପୂର୍ବରାଗର କଥା… ।

ପଦ୍ମିନୀର ମୁହଁକୁ ଚାହିଁଦେଲା ପରେ ଅଭିଜ୍ଞ ଭାଉଜଙ୍କର ଆଉ କିଛି ଦୁର୍ବୋଧ୍ୟ ରହିଲାନି । ନାମ ଶ୍ରବଣରେ ଯା’ର ମୁହଁସାରା ଅବିର ବୋଳି ହୋଇଯାଏ, ତାଙ୍କୁ ସ୍ୱାମୀ ରୂପେ ପାଇଲେ, ସେ ଯେ ନିଶ୍ଚୟ ସୁଖୀ ହେବ- ଏଇ ଭଳି ସକରାତ୍ମକ ଭାବନାଟିଏ ତାଙ୍କ ମନରେ ଉଙ୍କିମାରିଲା । ସେ ଆଗରୁ ଶୁଣିଥିଲେ, ଚନ୍ଦ୍ରଭାନୁ ଦେଖିବାକୁ ଖୁବ୍ ସୁନ୍ଦର । ତାଙ୍କ ଭଳି ସୁଦର୍ଶନ ଯୁବକକୁ ଦେଖିଲେ ପଦ୍ମିନୀ ନିଶ୍ଚୟ ଆକୃଷ୍ଟ
ହେବ- ସେ ଏକରକମ ସ୍ଥିର- ନିଶ୍ଚିତ ହୋଇଗଲେ । କାରଣ ସେ ଜାଣନ୍ତି ନାରୀ ଯୁଗେ ଯୁଗେ ସୁନ୍ଦର ପତି ଏବଂ ଭାଗ୍ୟବାନ ପୁତ୍ର କାମନା କରିଆସିଛି । ବୋଉ ଆସି ଖବର ଦେଲେ, ଆଗନ୍ତୁକ ଆସିବାର । ଚଞ୍ଚଳ ହୋଇଉଠିଲେ ଭାଉଜ । କିଛି କ୍ଷଣ ପାଇଁ ଘରର ପ୍ରତ୍ୟେକ ବ୍ୟକ୍ତିଙ୍କ ହୃଦୟରେ ଭିନ୍ନ ଭିନ୍ନ ଉତ୍ତେଜନାର ସ୍ପନ୍ଦନ ଦ୍ରୁତ ହୋଇ ଚାଲିଲା ।

ଆଉ ପଦ୍ମିନୀ… କିଛିକ୍ଷଣ ପୂର୍ବର ସେଇ ଲଜ୍ଜାରକ୍ତ ମୁହଁକରୁଣ ହୋଇ ଉଠିଲା । ଦୁଇ ଡୋଳାରେ ଲୁହ ଢ଼ଳଢ଼ଳ କରି ସେ ଭାଉଜଙ୍କ ଛାତିରେ ଲୋଟିପଡ଼ିଲା ।
– ମୁଁ ତମମାନଙ୍କର ଏଡ଼େ ବୋଝ ହୋଇଗଲି ନୂଆବୋଉ ?

ସ୍ନେହମୟୀ ଭାଉଜ ମଧ୍ୟ ଉଦ୍ଧତ କୋହକୁ ସମ୍ଭାଳି ପାରି ନଥିଲେ । ଏଇ ଘରକୁ ବୋହୂ ହୋଇ ଆସିବା ଦିନଠାର. ଯା’ର-ଚପଳ ବ୍ୟବହାର ତାଙ୍କ ହୃଦୟରେ ହସ ଖୁସୀର ମନ୍ଦାକିନୀ ଝରାଇ ପାରିଥିଲା; ହଠାତ୍ ତା’ ଜୀବନରଥ ମୋଡ଼ ଘୂରିବା ଅନୁମାନ କରି, ଅଳ୍ପ ସମୟ ପାଇଁ ତାଙ୍କ ଭିତରେ ମଧ୍ୟ କରୁଣତା ଭରିଗଲା । ପରମୁର୍ହୂରେ ନିଜକୁ ସଂଯତ କରି, ତାଙ୍କ ଛାତି ଉପରେ ମୁହଁରଖି କାନ୍ଦୁଥିବା ନଣନ୍ଦକୁ କୋମଳ ସ୍ୱରରେ ବୁଝାଇଲେ ।

– ଘରର ଝିଅ କେବେ ବୋଝ ହୁଏନି ମିନୀ । ଇଏ ତ ସମାଜର ନିୟମ । ଗୋଟିଏ ଘରର ଝିଅ ଆଉ ଗୋଟିଏ ଘରକୁ ବୋହୂ ହୋଇଯାଏ । ଆଉ ଗୋଟିଏ ଘରର ଝିଅ ବୋହୂ ହୋଇ ଆସି ଏ ଘରର ଶୂନ୍ୟସ୍ଥାନକୁ ପୂରଣ କରେ । ତମେ ତ `ବଡ଼ ହେଲଣି, ତମକୁ କ’ଣ ଆଉ ମୁଁ ବୁଝାଇବି ?

କ୍ରମଶଃ

Leave A Reply

Your email address will not be published.