କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଯାହା ହେଉ ଏଇ ପ୍ରଶ୍ନର ଉର ଦେଇହେବ । ତଥାପି ଖଣ୍ଡ ଖଣ୍ଡ କଣ୍ଠରେ ସେ ଉତ୍ତର ଦେଲା- ମୁଁ ତାଙ୍କୁ ଭଗବାନ ରୂପେ ପୂଜା କରେନି, ବରଂ ଜଣେ ଶାଶ୍ୱତବନ୍ଧୁ ରୂପେ ଭଲପାଏ… ଭକ୍ତିକରେ…. ।
ଏତିକି କହିସାରିବା ପରେ ତା’ର ମନେହେଲା, ବାସ୍ତବ ଅନୁଭୂତିର ପରିପ୍ରକାଶ, ସତରେ କେତେ ସହଜ, କେତେ ସାବଲୀଳ… ।
ନିଜେ ଭାବି ନଥିବା ପ୍ରଶ୍ନର ଉର ସତରେ କେତେ କଠିନ । ତାହା ବ୍ୟବହାରିକ ହେଉ କି ହେଉ ପରୀକ୍ଷାଗାରର ।
ଏଥର ଚନ୍ଦ୍ରଭାନୁ ଜଣେ ଶିକ୍ଷକ ଭୂମିକା ନେଇ ପ୍ରଶ୍ନ କଲେ ।
– ବି.ଏ ରେ ତମର ଅନର୍ସ କ’ଣ ଥିଲା ?
– ଇକୋନମିକ୍ସ
– ସାଇନ୍ସ ପଢ଼ିଲନି ?
– ମତେ ଲେବୋରଟରୀର ଗନ୍ଧ ଭଲ ଲାଗେନି ।
ଠୋ ଠୋ ହସରେ ଫାଟି ପଡ଼ିଲେ ଚନ୍ଦ୍ରଭାନୁ । ସେତେବେଳକୁ ପଦ୍ମିନୀ ମଧ୍ୟ ସାମାନ୍ୟ ସହଜ ହୋଇ ଆସୁଥିଲା ।
ଏତିକି ବେଳେ ଭାଉଜ ଆଣି ଚା’ ଜଳଖିଆ ରଖିଦେଇ ଗଲେ । ମିଠା ଖଣ୍ଡେ ହାତରେ ଧରି ହଠାତ୍ ଚନ୍ଦ୍ରଭାନୁ ପ୍ରଶ୍ନଟିଏ ଦାବି ଦେଲେ
– ମତେ ବିବାହ କଲେ ତମେ ସୁଖୀ ହୋଇ ପାରିବ ?
କେଜାଣି କେମିତି ପଦ୍ମିନୀ ମୁହଁରୁ ବି ହଠାତ୍ ବାହାରିପଡ଼ିଲା-ମୁଁ ଯଦି ଆପଣଙ୍କୁ ଏଇ ପ୍ରଶ୍ନ କରେ… ।
– ମୁଁ ଯଦି ‘ହଁ’ କହେ, ତମେ ସ୍ୱୀକାର କରିବ ?
ପଦ୍ମିନୀର ଆଖିପତା ତଳକୁ ନଇଁଗଲା । ଆଉ ନାରୀର ମନକୁ ମଧ୍ୟ ପରଖି ପାରୁଥିବା ସ୍ୱପ୍ନ ସୁନ୍ଦର ଚନ୍ଦ୍ରଭାନୁ ସବୁ ବୁଝିଗଲେ ।
– ତଥାପି ତା ମୁହଁରୁ ଶୁଣିବାକୁ ଚାହିଁଲେ – ଖୋଲିକି କୁହ, ଲାଜ କରନି…
– ହଁ, ମୁଁ ସ୍ୱୀକାର କରିବି ।
– କାହିଁକି ? ଥରଟିଏ ଦେଖାରେ ଜଣେ ଅପରିଚିତ ବ୍ୟକ୍ତି ଉପରେ ତମେ ଏତେ ଭରସା ରଖିପାର ?
ନିଜର ମନ କଥାକୁ ସେ ଆଉ ଚପେଇ ପାରିଲାନି ।
– ଦେଖନ୍ତୁ, ବିବାହ ପୂର୍ବରୁ ସବୁଝିଅ ନିଜ ଭାବିପତି ଅନ୍ୱେଷଣରେ ବାହାରି ନଥା’ନ୍ତି । ପିତାମାତା ଏବଂ ଅଭିଭାବକମାନଙ୍କର ନିଷ୍ପତିକୁ ଦେଇ ତଥା ଗୋଟିଏ ବିଶ୍ୱାସ ଉପରେ ସାଧାରଣତଃ ଝିଅଟିଏ ଜଣେ ଅପରିଚିତ ବ୍ୟକ୍ତିସହ ବିବାହ କରିବାକୁ ସହମତି ଦେଇଥାଏ । ସେ ବିଶ୍ୱାସ କାହା ପାଇଁ ସତ୍ୟ ହୋଇଥାଏ ତ ଅନ୍ୟ କାହା ପାଇଁ ଧକ୍କା ବି ଦେଇଥାଏ ।
– ବେଶ୍, ତମର ବିଶ୍ୱାସକୁ ମୁଁ ସତ୍ୟରେ ପରିଣତ କରିବି । ତମେ ବର୍ତ୍ତମାନ ଯାଇପାର।
କ୍ରମଶଃ
Comments are closed.