କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
– କେମିତି ? – ଯେମିତି ଆଖିସହ ଆଖି ମିଶାଇବାକୁ ହୁଏ । ତୋ ଭଳି ଫାଜିଲ୍ ହେବାକୁ ଚାହିଁଲେ ତ ଆଖି ମାରିବାକୁ ହୁଏ । ଆଖିରେ କଥା କହିବାକୁ ହୁଏ । ଏତେ ସବୁ ପରେ ଯଦି କିଛି ଗଡ଼ବଡ଼ ହେଲା, ତ ସେଇ ଆଖିକୁ ହିଁ କାନ୍ଦିବାକୁ ପଡ଼େ ନା… ।
ମୀନାକ୍ଷି ନିଜ କାନକୁ ହିଁ ବିଶ୍ୱାସ କରି ପାରିଲା ନାହିଁ । ସେ ଏ ସଂକ୍ରାନ୍ତରେ କିଛି ଟିପ୍ପ୍ଣି ଦେବାକୁ ଆଗଭର ହେଲାବେଳେ, ପଦ୍ମିନୀ ତା ମୁହଁରେ ପାପୁଲି ରଖି ବାରଣ କଲା । ଆଉ ହସି ହସି କହିଲା- ହଉ, ବେଶୀ ହେଇଗଲା । ଏସବୁ କଥା ଏଇଠି ଥାଉ । ମୁଁ କିନ୍ତୁ ତୋଠୁ ଆଉ କେବେ ଚୁମା ଖାଇବି ନାହିଁ ।
– କିରେ କାହିଁକି ?
– ମୁଁ ଏଇ କାଲି ଗୋଟେ ଉପନ୍ୟାସ ପଢ଼ିଥିଲି । ଲେଖକ ଲେଖିଛନ୍ତି, ଜଣେ ଯଦି ଆଉ ଜଣକୁ ଚୁମା ଦିଏ, ତେବେ ଚୁମା ଖାଇଥିବା ମନୁଷ୍ୟର ଆୟୁଷରୁ ତିନିମିନିଟ୍ କମିଯାଏ । କହିଲୁ ଦେଖି, ଆଜିଯାଏ ତୁ ମତେ କେତେଥର ଚୁମା ଦେଇ ମୋର କେତେ ଘାର ଆୟୁଷ ସାରି ଦେଇଛୁ ?
ମୀନାକ୍ଷିର ଉଚ୍ଛୁଳା ହସ ସେଇ ସ୍ଥାନରେ ଲକ୍ଷେମଲ୍ଲୀକୁ ଏକା ସାଙ୍ଗରେ ଅଜାଡି ଦେଲା । ସାଙ୍ଗର ଚିବୁକରେ ତର୍ଜନୀର ଟିପା ମାରି ସେ କହିଲା- କିଲୋ ମତେ ସିନା ମନା କରି ଦେଉଛୁ, ଆର ଜଣକ ବେଳକୁ ପାରିବୁ ?
– ତୁ ତ ଘୂରିଘୂରି ପୁଣି ସେଇଠିକୁ ଆସିଲୁ । ଆର ଜଣକ! ସେ ପୁଣି କିଏ ?
– ସେ କିଏ, ଆଜି ନୁହେଁ, ଆଉ ଦିନେ କହିବି; ଯେଉଁଦିନ ତମ ଘର ଆଲୋକମାଳାର ଚନ୍ଦ୍ରିକା ଝରାଉଥିବ… ବାଜା, ନହବତ୍ର ସ୍ୱର ଝଙ୍କାର ଏ ସହର ବକ୍ଷରେ କମ୍ପନ ଆଣୁଥିବ… ଟୋପି ଟୋପି ଚନ୍ଦନକୁ କପାଳରେ ଆଙ୍କି ଆଉ ନାଲି ନାଲି ଶଙ୍ଖାକୁ ଦୁଇହାତରେ ରୁଣୁଝୁଣୁ କରି ତୁ ତୁନିତାନି ହୋଇ ବସିଥିବୁ । ଆଉ ସେଦିନ ଥିବ ତୋ’ର ବାହାଘର । ମୁଁ କିନ୍ତୁ ସେତେବେଳେ ନଥିବି ଲୋ… ।
କ୍ରମଶଃ
Comments are closed.