Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୪୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

କେତେ ପାଦ ଆଗେଇଲା ପରେ ହଠାତ ସେ ଚମକି ପଡ଼ିଲା, ସତ କି ମିଛ ବୁଝି ନପାରି । ପ୍ରେସ୍ ରିପୋରଟରମାନଙ୍କ ପାଇଁ ଘେରା ହୋଇଥିବା ବାଉଁଶବାଡ଼କୁ ଆଶ୍ରୟ କରି ଚନ୍ଦ୍ରଭାନୁ ଠିଆ ହୋଇଛନ୍ତି । ସତେକି କୋଟିନିଧି ପାଇଗଲା ସେ ପଦ୍ମିନୀକୁ ଦେଖୁ ଦେଖୁ ମୁହଁରେ ହସର ଅଜସ୍ର ବଉଳଫୁଲ ଫୁଟାଇ ସେ ପାଦେ ପାଦେ କରି ତା’ ଆଡ଼କୁ ଆସିଲେ । ଦୁଇପାଦ ପଛକୁ ହଟିଗଲା ପଦ୍ମିନୀ । ଓଠରେ ତା’ର ଥିଲା ଆନନ୍ଦ ମିଶା ବିସ୍ମୟର ଖଣ୍ଡ ଖଣ୍ଡ ସ୍ୱର –
… ତମେ… ! ସତରେ…!!! ବିଲୋଳ ହସ ହସିଲେ ଚନ୍ଦ୍ରଭାନୁ – ହଁ.. ସତରେ.. !

– ତମେ କେମିତି ଜାଣିଲ, ମୁଁ ଏଠିକୁ ଆସିଛି ବୋଲି ?

ମୋର ମନ କହିଲା କିଛି ସମୟ ପର୍ଯ୍ୟନ୍ତ ଦୁଇଟି ପରିଚିତ ପରିବାରର ସୁବିଧା ଅସୁବିଧା ଆଦି ବିଷୟରେ ଭାବ ବିନିମୟ କରି କଟିଗଲା । ଏଣେ ସୂର୍ଯ୍ୟଙ୍କର ତେଜ ପ୍ରଖର ହେବାକୁ ଲାଗିଲାଣି । ସକାଳ ସମୟର ସେ ମେଘୁଆ ପାଗ ଆଉ ନାହିଁ । ଖରାର ତେଜକୁ ନେଇ ଭାବିବା ସମୟରେ ହଠାତ୍ କେତେ ଟୋପା ବର୍ଷା ଉପରେ ପଡ଼ିବାରୁ ସମସ୍ତେ ସଚେତନ ହୋଇଉଠିଲେ । ନିଜ ନିଜ ଘରକୁ ଫେରିଯିବା ପାଇଁ ସମସ୍ତେ ବ୍ୟଗ୍ର । ଏଣେ କ୍ଷୁଧା ସମସ୍ତଙ୍କୁ ବ୍ୟାକୁଳ କଲାଣି । ନିକଟସ୍ଥ ଆସ୍କା ସହରର ସମସ୍ତ ହୋଟେଲ ବନ୍ଦ । ଅଗତ୍ୟା ଆଉ ବିଳମ୍ବ ନକରି ଦୁଇ ପରିବାରର ସବୁ ସଭ୍ୟ ପଦ୍ମିନୀ ବାପାଙ୍କ ଜିପ୍‌ରେ ଭଂଜନଗର ଫେରିଲେ ।

ସେଦିନ ହିଁ ଚନ୍ଦ୍ରଭାନୁଙ୍କ ମା’ ଓ ଭାଉଜ ତାଙ୍କ ଗାଁକୁ ଚାଲିଗଲେ । କିନ୍ତୁ ଭାବୀ ଶ୍ୱଶୁର ଘରର ଗୁରୁଜନମାନଙ୍କ ଅନୁରୋଧ କ୍ରମେ ଚନ୍ଦ୍ରଭାନୁ ଆଉ ଦିନେ ରହିଗଲେ । ସେଦିନର ଅପରାହ୍ନକୁ ଭଞ୍ଜ ନଗର ଜଳଭଣ୍ଡାର ପରିସରରେ ବିତାଇବା ପାଇଁ ଚନ୍ଦ୍ରଭାନୁ ପଦ୍ମିନୀକୁ ନେଇ ଯାଇଥିଲେ । ହୁଡ଼ା ଉପରେ ଥିବା ସିମେ ବେଞ୍ଚ ଉପରେ ବସି ସେ ପଦ୍ମିନୀ ଆଡ଼କୁ ଚାହିଁ ପାଖରେ ବସିବାପାଇଁ ଇସାରାରେ ଅନୁରୋଧ କଲେ । ପଦ୍ମିନୀ ଦୁଇପାଦ ପଛକୁ ହଟିଗଲା । ଭାବିପତ୍ନୀର ବୟସୋଚିତ ଚପଳତା ତାଙ୍କୁ ପୁଲକିତ କଲା । କଣ୍ଠରେ ସ୍ନେହର ଝଙ୍କାର ତୋଳି କହିଲେ- ଘରେ ଗୁରୁଜନମାନଙ୍କ ମେଳରେ ରହି ତମେ ମୋ ପାଖକୁ ଗୋଟିଏ ମିନିଟ ପାଇଁ ବି ଆସିନ । ସେଇଥିପାଇଁ ଭାଉଜଙ୍କୁ କହି ଏ ପ୍ରୋଗ୍ରାମ କଲି । ଅଥଚ ତମେ ଏଠି ନଖରାମି କାଢ଼ୁଛ ?

Leave A Reply

Your email address will not be published.