Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୩)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ନନ୍ଦନକାନନ ମିଉଜିୟମ୍ ବାରଣ୍ଡା ଉପରେ ବସି ମୀନାକ୍ଷି ସ୍ଥିର ମନରେ ଶୁଣିଯାଉଥିଲା ବାଲ୍ୟ ବାନ୍ଧବୀ ପଦ୍ମିନୀର ଅତୀତ କାହାଣୀ । ସ୍ୱପ୍ନରେ ଭାବି ନଥିବା ଘଟଣାଗୁଡ଼ିଏ ଜୀବନ ସହ କେତେବେଳେ କେମିତି
ଯୋଡ଼ି ହୋଇଯାଏ ଆଉ ଏ ମଣିଷ କେବଳ ଗୋଟିଏ ପରେ ଗୋଟିଏ ଘଟଣାକୁ ଗୁନ୍ଥିଚାଲେ । ଏଇଭଳି ଭାବନା ଭିତରେ ବେଳକୁ ବେଳ ମୀନାକ୍ଷିର ମନ ଆନ୍ଦୋଳିତ ହୋଇଉଠୁଥିଲା ।

ପରିସ୍ଥିତି, ପରିବେଶ ପ୍ରତି ସଦା ସଚେତନ ପଦ୍ମିନୀ ସଂନ୍ଧ୍ୟା ସମୟ ମାଡ଼ି ଆସୁଥିବା ଅନୁମାନ କରି ମୀନାକ୍ଷି ଆଡ଼କୁ ବଡ଼ ବ୍ୟଥାଭରା ଚାହାଁଣି ନେଇ ତାକୁ ସାମାନ୍ୟ ହଲେଇଦେଲା । ମୀନାକ୍ଷି କିନ୍ତୁ ସେତେବେଳ ଯାଏ ସନ୍ଦେହ ତରାଜୁର ଗୋଟିଏ ପାଖରେ ଚନ୍ଦ୍ରଭାନୁଙ୍କୁ ଓ ଅପରପାଶ୍ୱର୍ରେ ପଦ୍ମିନୀକୁ ବସାଇ କିଏ ତଳପାଖର, କିଏ ଉପର ପାଖର ମନେମନେ ଅନୁମାନ ଲଗାଇବା ମାନସିକତା ଭିତରେ ବୁଡ଼ି ରହିଥିଲା ।

ସେତେବେଳେ ତା’ ପାଖରେ ସମୟ ଜ୍ଞାନ ନଥିଲା । ବାହ୍ୟ ଜଗତ ପ୍ରତି ସଚେତନତା ନଥିଲା । ସେ ଏମିତି ଏକ ଥଳକୂଳ ବିହୀନ ସମୁଦ୍ର ଭିତରେ ବୁଡ଼ି ରହିଥିଲା; ଯେଉଁଠି ପଦ୍ମିନୀ ଓ ଚନ୍ଦ୍ରଭାନୁ କେବଳ ତାକୁ ଦେଖାଯାଉଥିଲେ । ସ୍କୁଲ ଜୀବନର କେତେବର୍ଷର ସାଙ୍ଗ ପଦ୍ମିନୀର ଅତୀତ, ଆଜି ତା’ର ର୍ବମାନ ସହ ସଂଯୁକ୍ତ । ଏ ବିରୋଧାଭାସ ଯେତିକି କରୁଣ ସେତିକି ଆବେଗପୂର୍ଣ୍ଣ । ଚନ୍ଦ୍ରଭାନୁଙ୍କ ଭଳି ସୁନ୍ଦର, କୃତବିଦ୍ୟ, ସ୍ୱପ୍ନିଳ ତଥା ନମନୀୟ ପ୍ରେମସିକ୍ତ ପୁରୁଷ କ’ଣ କେବେ କେଉଁ କୁମାରୀ କନ୍ୟାକୁ ଏମିତି
ଅଧାରାସ୍ତାରେ ଛାଡ଼ି ଦେଇପାରନ୍ତି ? କେବେ ନୁହେଁ !

ମୀନାକ୍ଷିର ମସ୍ତିଷ୍କ ବାତଚକ୍ର ଭଳି ଘୂରୁଥିଲା । ଅଚାନକ ତା’ ମୁହଁରୁ ବାହାରି ପଡ଼ିଲା- ତେବେ ଚନ୍ଦ୍ରଭାନୁ ତତେ ଏତେଦୂର ନେଇ ଆସି ଶେଷରେ ଧକ୍କା ଦେଲେ ? ଗଭୀର ଦୁଃଖରେ ବୁଡ଼ିରହିଥିବା ପଦ୍ମିନୀର ମଳିନ ମୁହଁକୁ ଚାହିଁଲା ମୀନାକ୍ଷି ।

ନିଜକୁ ଦୃଢ଼କଲା ପଦ୍ମିନୀ । କହିଲା- ଏଇ ଅବସ୍ଥାରେ କେବଳ ପ୍ରତାରିତ କରିଥିଲେ ମୋ ମନରେ ଦୁଃଖ ନଥାନ୍ତା । ସେଇ ସମୟର ସାମୟିକ ଅପବାଦକୁ ମୁଁ ସହ୍ୟ କରିନିଅନ୍ତି । ଝିଅଟିଏର ହେଉ ବା ପୁଅଟିଏର ହେଉ, ଆମ ସମୟ ପାଇଁ ଅବିବାହିତ ଜୀବନ ବେଳାଭୂମି ପରି । ଜଣ ଜଣକ ଜୀବନରେ ଏକାଧିକ ନାରୀ ଥବା ପୁରୁଷର ପାଦଚିହ୍ନ ପଡ଼ିଥାଏ । ଅଥଚ ସମୟ ରୂପୀ ଜୁଆର ମୁର୍ହୂ ମୁର୍ହୂରେ ମାଡ଼ି ଆସି ସେ ପଦଚିହ୍ନ ସବୁକୁ ଧୋଇ ନେଇଯାଏ । ଅବିବାହିତ ଜୀବନରେ ଏକାଧିକଙ୍କ ପାଦପାତ ଘଟିଥାଏ ।

କ୍ରମଶଃ

Comments are closed.