Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୫୪)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ନିଜକୁ ଦୃଢ଼କଲା ପଦ୍ମିନୀ । କହିଲା- ଏଇ ଅବସ୍ଥାରେ କେବଳ ପ୍ରତାରିତ କରିଥିଲେ ମୋ ମନରେ ଦୁଃଖ ନଥାନ୍ତା । ସେଇ ସମୟର ସାମୟିକ ଅପବାଦକୁ ମୁଁ ସହ୍ୟ କରିନିଅନ୍ତି । ଝିଅଟିଏର ହେଉ ବା ପୁଅଟିଏର ହେଉ, ଆମ ସମୟ ପାଇଁ ଅବିବାହିତ ଜୀବନ ବେଳାଭୂମି ପରି । ଜଣ ଜଣକ ଜୀବନରେ ଏକାଧିକ ନାରୀ ଥବା ପୁରୁଷର ପାଦଚିହ୍ନ ପଡ଼ିଥାଏ । ଅଥଚ ସମୟ ରୂପୀ ଜୁଆର ମୁର୍ହୂ ମୁର୍ହୂରେ ମାଡ଼ି ଆସି ସେ ପଦଚିହ୍ନ ସବୁକୁ ଧୋଇ ନେଇଯାଏ । ଅବିବାହିତ ଜୀବନରେ ଏକାଧିକଙ୍କ ପାଦପାତ ଘଟିଥାଏ ।

ଅନେକଙ୍କ ସହ ବନ୍ଧୁତା ହୋଇଥାଏ; ଏକାଧିକ ପ୍ରସ୍ତାବ ଆସିଥାଏ । କାହା କାହାକୁ ପରିବାର ପସନ୍ଦ କରିଥାଆନ୍ତିତ କେହି କେହି ନିଜ ପସନ୍ଦକୁ ଆସିଥା’ନ୍ତି । କିନ୍ତୁ ଗୋଟିକୁ ବାଦ୍‌ଦେଲେ ଅନ୍ୟ ସବୁ ଚିହ୍ନ ସମୟ ଜୁଆରର ଉଦ୍ଦାମ ଗତିରେ ଧୋଇ ହୋଇଯାଆନ୍ତି । ଯେଉଁ ଗୋଟିକୁ ଶତଶତ ଜୁଆର ଲିଭାଇ ପାରେନି, ସେଇ ଅଲିଭା ପାଦଚିହ୍ନଟି ‘ସ୍ୱାମୀ’ ନାମରେ ସାରାଜୀବନ ପାଇଁ ଏକ ଅଲିଭା ସଙ୍କେତ ହୋଇ ରହିଯାଏ । ଗହିରିଆ ନିଃଶ୍ୱାସ ଟାଣି ପଦ୍ମିନୀ ଚାହିଁଲା ମୀନାକ୍ଷି ମୁହଁକୁ । ସେ ନିର୍ଜୀବ ଡୋଳା ନେଇ ତାକୁ ଚାହିଁ ରହିଥିଲା । ଅଫିସର୍‌ଙ୍କ ସୁନ୍ଦରୀ ପତ୍ନୀଭାବେ ‘ରାଜମହଲ’ ହୋଟେଲରେ ଅନେକ ସହକର୍ମୀଙ୍କ ମେଳରେ ମୀନାକ୍ଷିର ଯେଉଁ କମନୀୟ ଢ଼ଳଢ଼ଳ ଆଖି ଦିଓଟି ନୃତ୍ୟରତ ଥିଲା, ସେଇ ଆଖି ଦିଓଟି ସୁନ୍ଦର, କୃତବିଦ୍ୟ ପତିର ଅତୀତ କାହାଣୀ ପଢ଼ି, ନୃତ୍ୟ ପ୍ରଦର୍ଶନ ଶେଷରେ ଗ୍ରୀନ୍‌ରୁମ୍‌ରେ ଥକ୍କାହୋଇ ବିଶ୍ରାମ ନେଉଥିବା ନର୍ତ୍ତକୀ ପରି ସ୍ଥିର ହୋଇ ବସି ରହିଲା । ଆଖି ଦୁଇଟି ମଳିନ, ନିଷ୍ପ୍ରିୟ ହୋଇ ଉଠିବାବେଳେ, ଅନ୍ତରର ପ୍ରତ୍ୟେକ ତବୀ ତେଜିତ ହୋଇ ଉଠୁଥିଲା । କଣ୍ଠରେ କମ୍ପନ ତୋଳି ସେ ପୁଣି ପ୍ରଶ୍ନ କଲା- ଚନ୍ଦ୍ରଭାନୁଙ୍କର ଚିହ୍ନ ଯଦି ତୋ ଜୀବନରେ ସ୍ଥାୟୀ ହୋଇ ପଡ଼ିପାରିନି, ସମୟର ଜୁଆର ତାକୁ ଭସାଇ ନେଇଛି, ତେବେ ତୋ’ ଘରେ ମୋ ସ୍ୱାମୀଙ୍କ ସମସ୍ତ ଶାରୀରିକ ଆକୃତି ନେଇ ଯେଉଁ ପିଲାଟି ଅଛି; ତା’ର ଆବିର୍ଭାବ କେମିତି ସମ୍ଭବ ହେଲା ?

 

କ୍ରମଶଃ

Comments are closed.