କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ସରୁ ଓଠରେ ଇଷତ୍ ଫାଙ୍କ ସୃଷ୍ଟି କରି ସେ ଚାହିଁଲା ।
– ବିନା ଚାର୍ଜିଂରେ ତ କେହି ପ୍ରକୃତ ସତ୍ୟକୁ ଆବିଷ୍କାର କରିପାରିନି ।
– ସମସ୍ତେ ଯଦି ସତ୍ୟାଭିଳାଷୀ ହୁଅନ୍ତେ, ସେ ନିର୍ଭୀକତା ଯଦି ସମସ୍ତଙ୍କ ପାଖରେ ଥାଆନ୍ତା, ତେବେ ଆଜିର ସମୟରେ ଆମ ଚାରିପାଖରେ ଏତେ ଅନ୍ୟାୟ, ଏତେ ଅତ୍ୟାଚାର ବ୍ୟାପୁ ନଥାନ୍ତା । ବିନାଦୋଷରେ କେହି ଦଣ୍ଡ ଭୋଗୁ ନଥାନ୍ତେ ।
ସତ୍ୟାନ୍ୱେଷୀ ହେବାକୁ ଯାଇ ଆଲୋକର ପଦ୍ମ ତୋଳିବା ଧୈର୍ଯ୍ୟ ଓ ନିଷ୍ଠା ସମସ୍ତଙ୍କର ନଥାଏ ମିନା । ତଥାପି ଯଦି ତୁ ମୋ ଜୀବନରୁ ପ୍ରକୃତ ସତ୍ୟକୁ ଉଦ୍ଘାଟିତ କରିବାକୁ ଚାହୁଁ, ତେବେ ମୁଁ ଏତିକି ପଚାରିପାରେ- ଚନ୍ଦ୍ରଭାନୁ ଭଳି ସ୍ୱାମୀଟିଏ ପାଇ, ଗୋଟିଏ ସନ୍ତାନର ଜନନୀ ହେବାପରେ, ତୋ’ର ସ୍କୁଲ ଜୀବନର ସାଙ୍ଗ ପଦ୍ମିନୀ, ଆଉ କିଛି ନହୋଇ, ଏକାବେଳକେ ଚରିତ୍ରହୀନା ହୋଇଗଲା- ଏହା କ’ଣ ସାଧାରଣ ଭାବେ ବିଶ୍ୱାସଯୋଗ୍ୟ ?
ଶେଷ କେତେ ପଦ କହିବାବେଳେ ପଦ୍ମିନୀର ଉଦ୍ଦାମ କଣ୍ଠ ଭାରି ଭାରି ହୋଇଗଲା । କେତେ ସମୟ ପୂର୍ବେ ଏତେ କଷ୍ଟରେ ବି ହସରେ ବିସ୍ଫାରିତ ହୋଇ ଉଠୁଥିବା ଦୁଇ ଆଖି ଅଶ୍ରୁ ଛଳଛଳ ହୋଇଉଠିଲା ।
ମର୍ମାନ୍ତିକ ବେଦନାରେ ମତ୍ଥିତ ହୋଇଉଠିଲା ମୀନାକ୍ଷିର ଅନ୍ତର ବାହାରା ଚିରହରିତ୍ ଅରଣ୍ୟର ଶୁଷ୍କ ଅବସ୍ଥାକୁ ଅତି ନିକଟରୁ ଦେଖି ସେ ବିସ୍ମିତ ହେବା ସଙ୍ଗେ ସଙ୍ଗେ ସକରୁଣ କଣ୍ଠରେ ପଚାରିଲା – ମନକଷ୍ଟ କଲୁ କି ପଦ୍ମିନୀ ? ମୋ କଥାରେ କାନ୍ଦୁଛୁ?
– କଥା କଥାରେ କାନ୍ଦିଲେ ଜୀବନ ଯବଣାକୁ ସହିବି କିପରି ? ମୁଁ ତୋ’ କଥାରେ କାନ୍ଦୁନି । ଯିଏ ନିଜ ଇଚ୍ଛାରେ ନିର୍ବାସନ ଦଣ୍ଡ ଭୋଗୁଛି, ତା’ କପାଳରେ କାନ୍ଦିବା ବି ନିଷିଦ୍ଧ ଲୋ…. !
କ୍ରମଶଃ
Comments are closed.