Latest Odisha News

ଦେଶଦ୍ରୋହ ଅପରାଧରେ ଗିରଫ ଚାନ୍ଦିପୁର ଆଇଟିଆାର୍‌; ସହଜରେ ବିଶ୍ୱାସ କରିପାରୁ ନାହାନ୍ତି ଗାଁ ଲୋକେ

ଜଳେଶ୍ୱର : ପୁଣି ପାକିସ୍ତାନକୁ ଗୁପ୍ତ ତଥ୍ୟ ଲିକ୍‌  । ଭାରତୀୟ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥା(ଡିଆରଡିଓ) ଅଧୀନରେ ଥିବା ଚାନ୍ଦିପୁର ସମନ୍ୱିତ କ୍ଷେପାଣାସ୍ତ୍ର ଘାଟି (ଆଇଟିଆାର୍‌)ର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଆସିଛି ସଙ୍ଗିନ୍‌ ଦେଶଦ୍ରୋହ ଅପରାଧ  । ଭାରତୀୟ କ୍ଷେପଣାସ୍ତ୍ର ବ୍ୟବସ୍ଥା ସଂକ୍ରାନ୍ତରେ ଗୁପ୍ତତଥ୍ୟ ହାସଲ ପାଇଁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ଏଜେନ୍ସି ଆଇଏସ୍‌ଆଇ ଭାରତର ଏହି ବରିଷ୍ଠ ବୈଷୟିକ ଅଧିକାରୀଙ୍କୁ ହନିଟ୍ରାପ୍‌ରେ ଫସାଇ ଦେଶର ସୁରକ୍ଷା ସମ୍ପର୍କିତ ତଥ୍ୟ ହାତେଇଥିବା ଅଭିଯୋଗ ହୋଇଛି  । ଏହି ଅଭିଯୋଗରେ ଚାନ୍ଦିପୁରସ୍ଥିତ ଆଇଟିଆର୍‌ର ବରିଷ୍ଠ ବୈଷୟିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବାବୁରାମ ଦେ ଗିରଫ ହୋଇଛନ୍ତି। ବାବୁରାମଙ୍କ ଗିରଫଦାରୀ ଖବର ପ୍ରଚାର ହେବା ପରେ ତାଙ୍କ ଗାଁର ଲୋକମାନେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, ଅତି ଗରିବ ପରିବାରରେ ଜନ୍ମିତ ବାବୁରାମ ବାଗପୁଞ୍ଜି ଶ୍ରୀଚୈତନ୍ୟଦେବ ହାଇସ୍କୁଲ୍‌ରେ ପାଠ ପଢ଼ୁଥିଲେ। ପିଲାବେଳୁ ଜଣେ ମେଧାବୀ ଛାତ୍ର ଥିବା ବାବୁରାମଙ୍କ ବିରୋଧରେ ଆସିଥିବା ଦେଶଦ୍ରୋହ ଅଭିଯୋଗ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି ସ୍କୁଲ୍‌ ବନ୍ଧୁ ସୁଧାଂଶୁ ଶେଖର ପାତ୍ର। ଅନ୍ୟ ଜଣେ ଗ୍ରାମବାସୀ କହିଛନ୍ତି, ଚଳିତ ମାସ ବାବୁରାମ ଗାଁର ଶିବ ମନ୍ଦିର ଉଦ୍‌ଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଗାଁରେ ପ୍ରାୟ ୪ ଦିନ ରହିବା ସହ ମନ୍ଦିରକୁ ୨୦ ହଜାର ଟଙ୍କା ଦାନ କରିଥିଲେ। ସେହିପରି ଗାଁରେ ଏକ ପାଣିଟାଙ୍କି ବସାଇବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ବାବୁରାମଙ୍କ ପରି ଜଣେ ଅତ୍ୟନ୍ତ ସରଳ ବ୍ୟକ୍ତି ଏପରି ସମ୍ବେଦନଶୀଳ ଘଟଣାରେ ଅଭିଯୁକ୍ତ ହୋଇ ନପାରେ। ଏହା ତାଙ୍କ ବିରୋଧରେ ଏକ ଷଡଯନ୍ତ୍ର ବୋଲି କହିଛନ୍ତି । ପତ୍ନୀ ଓ ପୁଅଝିଅଙ୍କୁ ମିଶାଇ ତାଙ୍କର ୪ ଜଣିଆ ପରିବାର। ପୁଅ ଇଞ୍ଜିନିୟରିଂ ପଢ଼ୁଥିବା ବେଳେ ଝିଅ ପ୍ରାଥମିକ ଶିକ୍ଷା ଗ୍ରହଣ କରୁଛନ୍ତି।  ବାବୁରାମଙ୍କ ଦୁଇଜଣ ବଡ଼ଭାଇ। ସେମାନେ ଗାଁରେ ରହୁଛନ୍ତି। ବାବୁରାମ ଆଇଟିଆର କଲୋନିରେ ରହୁଥିବା ବେଳେ ବର୍ଷକ ତଳେ ବାଲେଶ୍ୱରରେ ଏକ ଘର ନିର୍ମାଣ କରିଛନ୍ତି।

 

Leave A Reply

Your email address will not be published.