Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୬୨)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ତା’ପରଦିନ ପଦ୍ମିନୀ ଅଫିସରୁ ଫେରିବା ପୂର୍ବରୁ ସରୋଜ ଗ୍ୟାସ ଲଗାଇ ଜଳଖିଆ ପ୍ରସ୍ତୁତ କରିସାରିଥିଲେ । ବିଶ୍ୱାସ ସେତେବେଳ ଯାଏଁ ଶୋଇଛି । ଘରର କୋଣେ କୋଣେ ଶୂନ୍ୟତା ଅନୁଭବ କରି ତାଙ୍କ ଭିତରର ଏକାକୀତ୍ୱ ଅଧିକ ପୀଡ଼ା ଭୋଗୁଥିଲା । ଅତୀତକୁ ଯେତେ ଭୁଲିବାକୁ ଚେଷ୍ଟା କଲେ ବି ସେ ତାଙ୍କ ଆଖି ଆଗରେ ବାରମ୍ବାର ଆସି ଛିଡ଼ା ହେଉଛି । ଅତୀତ ସ୍ମୃତିର କବଳରୁ ନିଜକୁ ମୁକୁଳାଇବା ପାଇଁ ସେ ପଦ୍ମିନୀର ବହି ସେଲ୍‌ଫ ନିକଟରେ ଆସି ଛିଡ଼ା ହେଲେ । ତାଙ୍କ ଅତୀତ ଜୀବନର ରଙ୍ଗ ମଞ୍ଚରେ ଅଭିନୟ କରିଥିବା ସେଇ ନାୟିକାର ସଙ୍ଗକୁ ସେ ହରାଇ ମଧ୍ୟ ଭୁଲିପାରୁନାହାନ୍ତି । ଦଳି ମକଚି ନଷ୍ଟ ହୋଇଯାଇଥିବା ସେଇ ଫୁଲଟିକୁ ମହାକାଳର ଝନ୍‌ଜା ଉଡ଼େଇ ନେବା ପରେ ସୌନ୍ଦର୍ଯ୍ୟର ପୂଜାରୀ ଜଣକ ଆଜି ବି ତା’ର ସୁରଭିକୁ ପ୍ରତିଟି ନିରୋଳା ମୁର୍ହୂରେ ଝୁରି ହେଉଛନ୍ତି ।

କେଉଁଠି କିପରି ଭାବେ ସେ ସେହି କାନ୍ତିମୟୀ, ସୁରଭିସିକ୍ତ କୁସୁମଟିକୁ ହଜାଇଦେଲେ ସେ କଥା ସେ ଯେତେଥର ମନେପକେଇଛନ୍ତି; ସେତେଥର ତାଙ୍କର ମସ୍ତିଷ୍କର ଶିରା-ପ୍ରଶିରା ବିଷ୍ଫୋରିତ ହେବାକୁ ଯାଉଥିବା ଭଳି ଅନୁଭବ କରିଛନ୍ତି । ଅନୁଭବ କରିଛନ୍ତି ଅକସ୍ମାତ୍ ହୃଦ୍‌ଯବର କ୍ରିୟା ନୀରବି ଯିବକି ? ସେଇ ମୁହୂର୍ତ୍ତରେ ସେ ବାସ୍ତବ ଦୁନିଆକୁ ଫେରିଆସନ୍ତି । ଅତଳ ଗହ୍ୱରରେ ବୁଡ଼ିଯାଉଥିବା ଅସହାୟ ମଣିଷଟିକୁ ଅଚାନକ କେହି ଯେମିତି ତା’ର ଶକ୍ତବାହୁରେ ଉଠେଇ ଆଣି କୂଳରେ ଛିଡ଼ା କରିଦେଇଛି ।

ସେଇଠି ବି ସେ ଏକାକୀ । ମନ ଭିତରେ ଚାପି ହୋଇଥିବା ଏତେ ବଡ଼ ଦାରୁଣ କ୍ଷତକୁ କାହା ଆଗରେ ଖୋଲି ଧରିବେ ? କିଏ ଦେବ ତାଙ୍କର ସେ ପୀଡ଼ା ଉପଶମ ପାଇଁ ଆଶ୍ୱାସନାର ମଲମ ?

ତାଙ୍କ କାନ ପାଖରେ ଅନେକଥର ଶବ୍ଦାୟିତ ହୋଇଉଠିଥିବା ସେଇ କେତେପଦ ଆଜି ବି ସେ ଶୁଣିବାକୁ ପାଇଲେ । ମନ ଭିତରେ ଜମା ହୋଇଥିବା ପୁଞ୍ଜିଭୂତ ପୀଡ଼ାକୁ କୌଣସି ସମ୍ବେଦନଶୀଳ ହୃଦୟ ନିକଟରେ ମୁକାଳିଦେଲେ ବେଦନାର ଭାରା କିଞ୍ଚିତ ଲାଘବ ହୁଏ । ଏଥିପାଇଁ ସେ ଅନେକଥର ଭାବିଛନ୍ତି, ଅତୀତର ଅନ୍ଧାରକୁ ପଦ୍ମିନୀ ଆଗରେପ୍ରକାଶ କରିଦେବାପାଇଁ । କିନ୍ତୁ ଆରମ୍ଭ କରିବା ପୂର୍ବରୁ ହୃଦୟରେ ଗୁରୁବ୍ୟଥା ଅନୁଭବ କରି ସେ ସଙ୍କୁଚିତ ହୋଇଯାଇଛନ୍ତି । ଅନ୍ୟ କଥାର ଆଳରେ ଗୁରୁ ବ୍ୟଥାଟି ଗୋପନ ହୋଇ ରହିଯାଇଛି ।

କ୍ରମଶଃ…

Leave A Reply

Your email address will not be published.