କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
– ବିଶ୍ୱାସ କିଏ ? ମଝିରେ ମୀନାକ୍ଷି ପ୍ରଶ୍ନ କଲା ।
ଚନ୍ଦ୍ରଭାନୁଙ୍କର ସମସ୍ତ ଶାରୀରିକ ଆକୃତି ନେଇଥିବା ଯେଉଁ ପୁଅଟିକୁ ମୋ ଘରେ ସେଦିନ ଦେଖିଲୁ- ସେଇ ବିଶ୍ୱାସ ! ଜୀବନରେ କେବେ କାହାପ୍ରତି ବିଶ୍ୱାସଘାତକତା କରିବନି ବୋଲି ଚନ୍ଦ୍ରଭାନୁ ତା’ ନାଁ ‘ବିଶ୍ୱାସ’ ଦେଇଥିଲେ । ଅଥଚ ସେ ନିଜେ ବିଶ୍ୱାସର ସୂତ୍ରକୁ ଛିନ୍ନ କରି ମତେ ପ୍ରତାରିତ କରିପାରିଲେ । ମନୁଷ୍ୟ କହିଲା ପରି ଯଦି କରିପାରନ୍ତା, ତେବେ ଏତେ ଦୁଃଖୀ ଲୋକଙ୍କ ହୃଦୟର ଉଷ୍ମ ନିଃଶ୍ୱାସ ଆଜି ପୃଥିବୀର ବାୟୁ ମଣ୍ଡଳକୁ ଉପ୍ତ କରୁ ନଥା’ନ୍ତା ।’
– ହୁଁ, ତା’ପରେ… ।
ମୀନାକ୍ଷି ଭିତରେ ଅନୁସନ୍ଧିତ୍ସା ତୀବ୍ରତର ହେଉଥିଲା । ତା’ପରେ ଗୋଟିଏ ସପ୍ତାହ କେମିତି ଯେ କଟିଲା, ସେ କଥା ଆଜି ଆଉ ମନେନାହିଁ । ଏକ ଛୋଟକାଟିଆ ଭଡ଼ାଘର ହେତୁ ଆମେ ଗାଁରୁ ପ୍ରାୟ କୌଣସି ଜିନିଷ ଆଣି ନଥିଲୁ, କେବଳ ଗୋଟିଏ ସିଲେଇ ମେସିନ୍, ଲୁଗାପଟା ଓ କିଛି ବହିପତ୍ର ବ୍ୟତୀତ । ଏଠି ରୋଷେଇ ଓ ଖାଇବା ପାଇଁ ସ୍ୱଳ୍ପ ବାସନକୁସନ ସହ ଅତ୍ୟାବଶ୍ୟକୀୟ ଯତ୍କିଂଚିତ୍ ଘରକରଣା ଭିତରେ ହସଖୁସିରେ ଗଡ଼ିଚାଲୁଥିଲା ମୋର ନୂଆ ନୂଆ ବୈବାହିକ ଜୀବନ । ଚନ୍ଦ୍ରଭାନୁ ଓ ବିଶ୍ୱାସକୁ ନେଇ ମୋ ଭିତରେ ଏତେ ଦୂର ପରିପୂର୍ଣ୍ଣତାର ଅନୁଭବ ଥିଲା ଯେ ମୋ ପାଇଁ ଯାଚଜ୍ଞା ବୋଲି ଆଉ କିଛି ନଥିଲା, କାୟ-ମନ-ବଚନରେ । ଏବେ ବୁଝୁଛି, ର୍ବମାନର ସୁଖକୁ ନେଇ କେବେ ମଧ୍ୟ ଅଧିକ ଆତ୍ମହରା ନହେବାପାଇଁ ମହାପୁରୁଷମାନେ ସାଧୁବାଣୀ ମାଧ୍ୟମରେ ଯେଉଁ ଚେତାବନୀ ଦେଇଛନ୍ତି, ତାହା କେତେ ସତ୍ୟ ।
ସେଇ ଗୋଟିଏ ସପ୍ତାହ ଭିତରେ ଆମେ ମା’ ପୁଅକୁ ନେଇ ଗାଁରେ ଛାଡ଼ିଦେବା, ନିଜେ ଯିବାପାଇଁ ପ୍ରସ୍ତୁତ ହେବା, ଯେହେତୁ ଶାଶୁଘରେ କେହି ଶିକ୍ଷିତ ନୁହନ୍ତି- ସେମାନଙ୍କୁ ମ୍ୟାନେଜମେ କୋର୍ସ ସମ୍ପର୍କରେ ଯଥା ସମ୍ଭବ ବୁଝାଶୁଝା କରିବା, ଏପରିକି ଏହି ପାଠ ପଢ଼ିବା ପରେ ତାଙ୍କୁ ଦେଶ-ବିଦେଶର ବଡ଼ ବଡ଼ କମ୍ପାନୀମାନଙ୍କରେ ଉଚ୍ଚ ଦରମା ସାଙ୍ଗକୁ, ବଙ୍ଗଳା- ଗାଡ଼ି ଓ ଚପରାଶି ଆଦି ମିଳିବାର ପ୍ରଲୋଭନକୁ ବି ପ୍ରାସଙ୍ଗିକତା ଭାବେ ବଖାଣି ଥିଲେ ।
କ୍ରମଶଃ
Comments are closed.