କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ପଦ୍ମିନୀ ସାମାନ୍ୟ ସଙ୍କୋଚ ଭାବ ନେଇ ପଚାରିଲା ।
– ଆପଣଙ୍କୁ କେହି କିଛି କହିଛି କି ?
– ମତେ କହିଥିଲେ ମୁଁ ଆଦୌ ବିଚଳିତ ହୁଅନ୍ତି ନାହିଁ । ରାଜଧାନୀରେ ମତେ ଚିହ୍ନେ କିଏ । କିନ୍ତୁ ତୁମକୁ ନେଇ ମୁଁ ଖୁବ୍ ବ୍ୟତିବ୍ୟସ୍ତ ପଦ୍ମିନୀ ! ଅନାବିଳ ପରୋପକାରର ମୂଲ୍ୟ ଏଠି ଦିଏ କିଏ ? କିଏ ଚିହ୍ନିପାରେ ମାନବିକତାକୁ ? କାହା ପାଖରେ ସମୟ ଅଛି ପୀଡ଼ିତ ମଣିଷଟିଏ ପାଖରେ ସମବେଦନାର ଦି’ ହାତକୁ ପ୍ରସାରି ଘଡ଼ିଏ ଛିଡ଼ା ହେବାପାଇଁ ?
ପଦ୍ମିନୀ ବେଳକୁ ବେଳ ବିଚଳିତ ହୋଇଉଠୁଥିଲା । ଆଜି ସରୋଜବାବୁ ଏସବୁ କାହିଁକି କହୁଛନ୍ତି, ସେ କଳନା କରିପାରୁ ନଥିଲା । ସେଇଭଳି ହତଚକିତ ହୋଇ ସେ ପୁନଃ ତା’ର ଅନୁସନ୍ଦିତ୍ସାକୁ ଦୋହରାଇଲା-
ଆଜି ଆପଣଙ୍କର କ’ଣ ହେଇଛି ? କାହାଠାରୁ କିଛି ଶୁଣିଛନ୍ତି କି ?
-ବିଶ୍ୱାସକୁ ଧରି ପାର୍କରୁ ଫେରିଲାବେଳେ ଦୁଇଜଣ ମତେ ହିଁ ଶୁଣେଇ ଶୁଣେଇ ମୋ ପାଖଦେଇ ଚାଲିଗଲେ । ସେମାନେ ସ୍ପଷ୍ଟରୂପେ କହୁଥିଲେ; ଦୟା ପରବଶ ହୋଇ ମତେ ଆଶ୍ରୟ ଦେବା ମୂଳରେ ମୋ ପ୍ରତି ତମର ବହୁପୂର୍ବରୁ ପ୍ରେମର ଭାବନା ଥିଲା । ଏଇଥିପାଇଁ ତମେ କାଳେ ମି. ପ…ନାୟକଙ୍କୁ ଛାଡ଼ପତ୍ର ଦେଇଛ… ?
ସରୋଜ ମୁହଁରୁ ଶେଷ ବାକ୍ୟଟି ଶୁଣୁଶୁଣୁ ପଦ୍ମିନୀର ଶୀତଳ ମସ୍ତିଷ୍କରେ ଶହଶହ ଅଗ୍ନିଶିଖା ଯେମିତି ପ୍ରଜ୍ଜ୍ୱଳିତ ହୋଇଉଠିଲା । ଖଣ୍ଡଖଣ୍ଡ ହୋଇ ଜଳୁଥିବା ଚିନ୍ତାର ଅଗ୍ନିପିଣ୍ଡୁଳା ଗୁଡ଼ିକୁ ସେ ଏକାଠି ସିନା କରିପାରିଲା ନାହିଁ; ସେଗୁଡ଼ିକର ମର୍ମଦାହୀ ଜ୍ୱାଳା ତା’ ଅନ୍ତର ତଳେ ପୁଞ୍ଜିଭୂତ ହୋଇ ରହିଥିବା କୋହର ପର୍ବତକୁ ଭାଙ୍ଗି ଚୁର୍ମାର୍ କରିଦେଲା । ସେ ଶିରାରେ ଶିରାରେ ଅନୁଭବ କଲା, ଆଜି ବି ନମନୀୟ ନାରୀଟିଏ ସେଇ କୋହର ସ୍ତୂପ ଭିତରେ ସଜୀବ ଅଛି । ଏତେ ସରି ହୋଇ ସୁଦ୍ଧା ଚନ୍ଦ୍ରଭାନୁଙ୍କ ନିକଟରେ ତା’ର ଆନୁଗତ୍ୟକୁ ସେ ଅସ୍ୱୀକାର କରିପାରୁନି ।
କ୍ରମଶଃ
Comments are closed.