କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଲୀଳାମୟଙ୍କ ଚିନ୍ତା ପାରାବାରରେ ବୁଡ଼ିବୁଡ଼ି ପଦ୍ମିନୀ ବାସ୍ତବତାର କଷାଘାତକୁ ଧୀରେଧୀରେ ବିସ୍ମରି ଯାଉଥିଲା । ଆଖି ଆଗରେ ତା’ର ଭାସୁ ନଥିଲା ଚନ୍ଦ୍ରଭାନୁଙ୍କ ଚେହେରା… ହୃଦୟକୁ ବିଦାରିତ କରୁ ନଥିଲା ତାଙ୍କର ବ୍ୟବହାର ।
ବାସ୍ତବ ଜଗତର ଯାବତୀୟ ଆକର୍ଷଣ, ଆସକ୍ତି, ଅନୁରାଗ ତା’ ଆଗରେ ଜଡ଼ ଭଳି ପ୍ରତୀତ ହେଉଥିଲା । ଆଉ ମୂର୍ତ୍ତିଟିର ପ୍ରତିଟି ଅଙ୍ଗ ଅବୟବ ତାକୁ ଚେତନା ପୂର୍ଣ୍ଣ ମନେହେଉଥିଲା । ତେବେ ବିଭୁ ନାମ, ବିଭୁ ଚିନ୍ତା କ’ଣ ଏପରି ଏକ କାଉଁରୀକାଠି, ଯାହାର ସାମାନ୍ୟ ସାନ୍ନିଧ୍ୟରେ ସମସ୍ତ ପାର୍ଥିବ ପୀଡ଼ା ଅପସରି ଯାଏ । କିଛି ସମୟ
ପୂର୍ବରୁ ତା’ ଆଖିରୁ ଝରୁଥିବା ଅଶ୍ରୁର ଝରଣା ବର୍ତ୍ତମାନ କେଉଁ ଏକ ଆବେଗର ସୀମାହୀନ ମହାସାଗର ବକ୍ଷରେ ମିଶି ଯାଇଛି ।
ଭାବାବେଶରେ ପଦ୍ମିନୀ ତନ୍ମୟ ହୋଇଉଠିଲା- ତୁମେ ହିଁ ମୋ ଜୀବନରେ ହର୍ଷର ଅମଳିନ ଫୁଲବନ… ବିଧୁରା, ମଉଳା ପଦ୍ମିନୀର ତମେ ହିଁ ଏକମାତ୍ର ଆଶାର ଅରୁଣ…. ।
ଭାବ ବିନୋଦିଆ ମନ ମୋହନଙ୍କର ନାମାମୃତକୁ ବାରମ୍ବାର ମନ ଭିତରେ ସ୍ମୃତି ସୁରେଇରୁ ପାନ କରିକରି କେତେବେଳେ ଯେ ସେ ମଧୁର ନିଦ୍ରାରେ ଶୋଇ ପଡ଼ିଲା ଜାଣି ପାରିଲାନି ।
ଆଖି ଖୋଲିଲା ବେଳକୁ ଦେଖିଲା ତା’ ପାଖରେ ବିଷର୍ଣ୍ଣ ଚେହେରା ନେଇ ବିଶ୍ୱାସ ଛିଡ଼ା ହୋଇଛି । ଆଲିଙ୍ଗନର ବେହରଣ ଭିତରେ ସେ ତାକୁ କୋଳେଇ ଆଣିଲା ବେଳେ ଚମକି ପଡ଼ିଲା । ତା’ ସାର୍ଟ ଓଦା ଓଦା ଲାଗୁଛି । ଶଯ୍ୟା ସଂଲଗ୍ନ ଝରକାଟିକୁ ଖୋଲି ଦେଇ ଦେଖିଲା ପାଖ ଘର ଭିତର ପାଖ ବାରଣ୍ଡା ଓ ଅଗଣା
ପାଣିରେ ଭିଜିଯାଇଛି । ଝିପିଝିପି ବର୍ଷା ଲାଗି ରହିଛି । ତେବେ ସେ ଗଭୀର ନିଦରେ ଶୋଇ ଯାଇଥିବା ବେଳେ ବିଜୁଳି, ଘଡ଼ଘଡ଼ି ବିହୀନ ମଧ୍ୟମ ଧରଣର ବର୍ଷା ହୋଇଯାଇଛି ।
ତରତର ହୋଇ ବିଛଣା ଉପରେ ଉଠି ବସିଲା ପଦ୍ମିନୀ । ବିଶ୍ୱାସର ସାର୍ଟ ବୋତାମ ଖୋଲିବାକୁ ହାତ ବଢ଼ାଇଲାବେଳେ ସେ ବାରଣ କଲା- ଥାଉ ମା’, ତମେ ଆସ ଦେଖିବ, ମଉସା କେମିତି ଭିଜିଯାଇ ଥରୁଛନ୍ତି । ତାଙ୍କୁ ଖୁବ୍ ଜର ହେଇଚି ମା’…. ।
ଅଜଣା ଆତଙ୍କରେ ପଦ୍ମିନୀର ଦେହ ଥରିଉଠିଲା । ସେ ତରତର ହୋଇ ଖଟ ଉପରୁ ଓହ୍ଲାଇପଡ଼ିଲା ।
Comments are closed.