କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’
ଗଛରେ ଫୁଲଟିଏ ଦେଖିଲେ ସେ ହାତରେ ଧରିଥିବା ଫୁଲଟିକୁ ଫୋପାଡ଼ି ଦିଅନ୍ତି । ମୀନାକ୍ଷି ଆଜି ତାଙ୍କ ଆଖିରେ ସୁନ୍ଦରୀ ଅଛି । କିନ୍ତୁ ଭବିଷ୍ୟତରେ ସେ ଯଦି ତା’ଠାରୁ ଆହୁରି ସୁନ୍ଦରୀ ସ୍ତ୍ରୀର ସନ୍ଧାନ ପାଆନ୍ତି, ତେବେ ପଦ୍ମିନୀ ପରି ତାକୁ ବି ପରିତ୍ୟାଗ କରିବେ । ଏଣୁ ତ୍ୟକ୍ତା ହେବା ପୂର୍ବରୁ ସେ ତାଙ୍କୁ ତ୍ୟାଗ କରିଛି ।
ଆଜିଯାଏଁ ସେ ବିଜିତ ଥିଲେ । ମୀନାକ୍ଷି ହିଁ ତାଙ୍କୁ ପରାଜିତ କଲା । ସାମାଜିକ ଅପନିନ୍ଦା ଯବଣାର ଜ୍ୱାଳାମୁଖୀ ଉପରେ ଠିଆ ହୋଇ ବହୁ ଡେରିରେ ସେ ହୃଦବୋଧ କଲେ ଯେ; ଅନେକ ତାରାର ରାତି ସୁନ୍ଦର ହୋଇପାରେ ; କିନ୍ତୁ ଅନେକ ନାରୀ ସହ ସଂହତି ଲାଭ କରିଥିବା ଜୀବନ ପରିଣତିରେ ବିବର୍ଣ୍ଣ ଆଲେଖ୍ୟର ରୂପ ଧାରଣ କରେ ।
ଦୁଃଖ ଓ ଅପମାନର ଧାରଧାର ଅଶ୍ରୁ ତାଙ୍କର ଭୀତ, କଂପିତ ମୁଖ ଉପରେ ସ୍ରୋତ ସୃଷ୍ଟି କରି ବହିବାକୁ ଲାଗିଲା । ଦୁର୍ବଳ ମନ, ବ୍ୟଥିତ ହୃଦୟ ନେଇ ସେ ଡନ୍ଲପ୍ ପିଲୋକୁ ନିଜ ବକ୍ଷରେ ଚାପି ଧରିଲେ । ହଠାତ୍ ତାଙ୍କ ମୁହଁରୁ ବାହାରି ଆସିଲା- ମନୁଷ୍ୟ ଜୀବନ ହର୍ଷର ଉପତ୍ୟକା ନୁହେଁ । ସେ ଏମିତି ଏକ ଭୂଖଣ୍ଡ,
ଯାହାକୁ କେବେ ନା କେବେ ଅଶ୍ରୁର ଗିରିଝର ସିକ୍ତ କରିଥାଏ । ହଠାତ୍ ବାୟୁମଣ୍ଡଳ ଭିତରୁ ଅନ୍ୟ କାହାର ଭିନ୍ନ ସ୍ୱର ଶବ୍ଦାୟିତ ହୋଇଉଠିଲା
– ତମେ ସତ କହିଛ । ମଣିଷର ଜୀବନ ହସ ଅଶ୍ରୁର ଏକ ମିଶ୍ରିତ ପ୍ରତିଚ୍ଛବି । ଏହି ଦୁଇ ପରିସ୍ଥିତିରେ କେହି ତା’ର ଅଂଶୀଦାର ହୁଅନ୍ତୁ ବା ନ ହୁଅନ୍ତୁ; ଯେଉଁ ଜଣକ ତା’ର ଭାଗୀଦାର ହୁଏ, ତା’ର ପରିଚୟ ନାରୀ ପାଇଁ ଜଣେ ଉଦାରମନା ପତି ଓ ପୁରୁଷ ପାଇଁ କ୍ଷମାଶୀଳା ପତ୍ନୀ । ତମ ଦୁର୍ଦ୍ଦିନରେ ସମସ୍ତେ ତୁମକୁ ଉପହାସ କରନ୍ତୁ… ଆକ୍ଷେପ କରନ୍ତୁ । ମୋ ହୃଦୟରେ କିନ୍ତୁ ତୁମପାଇଁ ଚିର ପ୍ରତୀକ୍ଷାର ରଥ ସଜ୍ଜିତ ହୋଇ ରହିଛି । କୃତକର୍ମରୁ ହେଉପଛେ, ଭାନୁର ଜୀବନ ବତାସିଆ ହୋଇଗଲେ, ପଦ୍ମିନୀ କେବେ ସୁରଭିତ ପରାଗ ବିଞ୍ଛି
ବିକଶିତ ହେବନି । ତା’ଉପରେ ତମ ଯଥେଚ୍ଛାଚାର ସୀମା ଲଙ୍ଘନ କଲେ ସୁଦ୍ଧା, ସେ ତୁମ ନିକଟରେ ଚିର ନିବେଦିତା… ସଦା ଆନୁଗତ୍ୟା ହୋଇ ରହିବ ।
ତମେ ଶୋଇଯାଅ… ମୁଁ ମଶାରି ଟାଙ୍ଗିଦେଉଛି ।
କ୍ରମଶଃ
Comments are closed.