Latest Odisha News

ଧାରାବାହିକ ଉପନ୍ୟାସ : ବେଳାଭୂମିର ଚିହ୍ନ (୧୦୮)

କନକ ମଞ୍ଜରୀ ପଟ୍ଟନାୟକଙ୍କ ଧାରାବାହିକ ଉପନ୍ୟାସ ‘ବେଳାଭୂମିର ଚିହ୍ନ’

ବକ୍ଷରେ କମ୍ପନ, ଶଙ୍କାକୁଳ ପାଦର ଗତି, ମନ ମସ୍ତିଷ୍କରେ ଚିନ୍ତାର ଆବର୍ତ୍ତ । ବହୁ ସାହସ କରି ମଧ୍ୟ ସେ ଦିନରେ ଆସି ପାରି ନଥିଲା । କାଳେ ଯଦି ପରିଚିତ କେହି ଦେଖେ ସେ ଚନ୍ଦ୍ରଭାନୁଙ୍କ ବାସଭବନକୁ ଯାଉଛି ବୋଲି ଆଉ ଯଦି ସେଠାରୁ ଅପମାନିତ ହୋଇ ଫେରେ । ସେ ସହିପାରିବନି ଏ ଉଭୟର ପ୍ରଚାର ।

ଏଥିପାଇଁ ସେ ମଧ୍ୟରାତ୍ରିରେ ଘରୁ ବାହାରିଛି । ନିକଟେଇ ଆସିଲାଣି ଚନ୍ଦ୍ରଭାନୁଙ୍କ ବାସଭବନ । କଲିଂବେଲ୍ ଟିପିବ କି ଦରଜା ଖଟଖଟ କରିବ କିଛି ଠିକ୍ କରିପାରିଲାନି ସେ । ଦରଜା ଖୋଲିବା ସମୟରେ ଚନ୍ଦ୍ରଭାନୁଙ୍କୁ ଦେଖି ସେ ପରିସ୍ଥିତିର କଠୋରତାକୁ ସହିପାରିବ ତ ? ନିକଟରେ ତାଙ୍କୁ ଦେଖି ସେ ସ୍ଥିର ହୋଇ ରହିପାରିବ ତ ? ଏଇ କିଛିଦିନ ହେବ, ଗୋଟିଏ ସହରରେ ରହି, ଗୋଟିଏ ଅଫିସରେ କାମ କରି ସୁଦ୍ଧା ସେ ଦିନକ ପାଇଁ ବି ଚନ୍ଦ୍ରଭାନୁଙ୍କ ସମ୍ମୁଖସ୍ଥ ହୋଇପାରିନାହିଁ । ଅଥଚ ଆଜି… ।

ଗେଟ୍ ଖୋଲି ଭିତରେ ପ୍ରବେଶ କଲା ପଦ୍ମିନୀ । କିନ୍ତୁ ଏ କ’ଣ ? ତାକୁ ବେଲ୍ ଟିପିବାକୁ କିମ୍ବା ଦରଜା ଖଟଖଟ କରିବାକୁ ପଡ଼ିଲାନି । ବାସଭବନର ମୁଖ୍ୟଦ୍ୱାର ଉନ୍ମୁକ୍ତ । ପ୍ରଥମ ଘରେ ଯାହା ଆଲୁଅ ଜଳୁଛି । ଅନ୍ୟ ସମସ୍ତ ଘର ଅନ୍ଧକାର । ଅଣ୍ଡାଳି ଅଣ୍ଡାଳି ପ୍ରତ୍ୟେକ ଘରର ଆଲୋକ ଲଗାଇଲା ସେ । ଏକ ଅଜଣା ଆଶଙ୍କାରେ ଛାତି ଥରି ଉଠୁଛି । ଚନ୍ଦ୍ରଭାନୁ ନାହାନ୍ତି କି ? ଯଦି ନାହାନ୍ତି ଘର ଉନ୍ମୁକ୍ତ ଅଛି କିପରି ?

ବାରଣ୍ଡାର ଆଲୋକରେ ସାମାନ୍ୟ ଆଲୋକିତ ପାଖ କୋଠରୀଟିରେ ସେ ପ୍ରବେଶ କଲା । କମ୍ପିତ ହାତ ନେଇ ସୁଇଚ ବୋର୍ଡ ଉପରେ ହାତ ଦେଲା ପଦ୍ମିନୀ । ବିଦ୍ୟୁତ ଆଲୋକରେ ସୁସଜ୍ଜିତ ଶୟନ କକ୍ଷ ଉଦ୍‌ଭାସିତ ହୋଇଉଠିଲା । ପଦ୍ମିନୀ ଦେଖିଲା, ଗବାକ୍ଷ ସଂଲଗ୍ନ ପଲଙ୍କରେ ଚନ୍ଦ୍ରଭାନୁ ଗଭୀର ନିଦରେ ଶୋଇଛନ୍ତି । ମୁଖମଣ୍ଡଳରେ ବିଷର୍ଣ୍ଣତାର ବାଦଲ । ଆହୁରି ନିକଟକୁ ଗଲା ପଦ୍ମିନୀ । ଶୁଭ୍ର ଶଯ୍ୟାରେ ଶାୟିତ ସୌନ୍ଦର୍ଯ୍ୟ ନଗରୀର ଅପୂର୍ବ ନନ୍ଦନ ଚନ୍ଦ୍ରଭାନୁଙ୍କର କମନୀୟତାକୁ ଅତି ନିକଟରୁ ଦେଖି ତା’ ହୃଦୟ ଅସ୍ଥିର ହୋଇଉଠିଲା ।

ତାଙ୍କ କପାଳ ଉପରକୁ ହାତ ନେଇ ପୁଣି ସେ ହାତ ଲେଉଟାଇ ଆଣିଲା । ତେବେ ଚନ୍ଦ୍ରଭାନୁଙ୍କ ନିଦ ଭାଙ୍ଗିବା ଯାଏ ସେ କ’ଣ ଅପେକ୍ଷା କରିପାରିବ ? ସେ ଦୂରରେ ଥିବାରୁ, ପରିତ୍ୟକ୍ତା ହୋଇସୁଦ୍ଧା ତା ଅପେକ୍ଷାର ପଣତ ଦ୍ରୌପଦୀର ଶାଢ଼ୀ ଭଳି ଅସୀମ ଦୀର୍ଘତା ଭିତରେ ଥିଲା । କିନ୍ତୁ ଆଜି ଏତେ ନିକଟରେ ପାଇ ପ୍ରତୀକ୍ଷିତ ମୁହୂର୍ତ୍ତ ତା’ ପାଇଁ ଦୁର୍ବିସହ ମନେହେଲାଣି । ଏଇ ତେବେ କ’ଣ ଭଲପାଇବାର, ଆନ୍ତରିକତାର ଅସହ୍ୟ ଅନୁଭୂତି !!!

ପଦ୍ମିନୀର ହୃଦୟ ବେଳକୁ ବେଳ ଆଲୋଡ଼ିତ ହୋଇ ଉଠୁଥିଲା । ହଠାତ୍ ନିକଟସ୍ଥ ଟେବୁଲ ଉପରୁ ଟେଲିଫୋନ ବାଜି ଉଠିଲା । ଚୋରି କରିବାପାଇଁ ଆସିଥିବା କୌଣସି ଅସାମାଜିକ ନିଜ ସମ୍ମୁଖରେ ଗୃହସ୍ଥକୁ ଦେଖିଲା ପରି ଭୟରେ ଥରିଉଠିଲା ପଦ୍ମିନୀ । ତରତରରେ ହାତ ବଢ଼ାଇ ରିସିଭର ଉଠାଇ ନେଲା ।

ଅନ୍ୟପଟରୁ ମୀନାକ୍ଷିର ସ୍ୱର ଭାସି ଆସିଲା- ମାନବିକତାର ପରିଚୟ ଦେଇ ଯେଉଁ ଅସହାୟ ଯୁବକକୁ ପଦ୍ମିନୀ ଘରେ ଆଶ୍ରୟ ଦେଇଛି, ତମକୁ ଛାଡ଼ପତ୍ର ଦେଇ ମୁଁ ତାଙ୍କୁ ବିବାହ କରିବା ସିଦ୍ଧାନ୍ତ ନେଇଛି । ପଦ୍ମିନୀ ପବିତ୍ର । ଯଦି ବର୍ତ୍ତମାନ ସେ ତୁମ ଦ୍ୱାରସ୍ଥ ହୁଏ, ତମ ଅପମାନିତ ଜୀବନର ସେ ହିଁ ଏକମାତ୍ର ପାଥେୟ ଭାବି ତାକୁ କଣ୍ଠଲଗ୍ନା କରିବ । ଦିନେ ଗୋଟିଏ ଜୀବନକୁ ମୁଁ ନଷ୍ଟ କରିଦେଇଥିଲି, ମୋର ଅପରିପକ୍ୱତା ପାଇଁ । ଆଜି ଦୁଇଟି ଜୀବନରେ ଆନନ୍ଦ ଆଣିଥିବା ଉଲ୍ଲାସରେ ମୁଁ ଏତେ ରାତ୍ରିଯାଏ ବିନିଦ୍ର ଅଛି । ଏତେ ରାତିରେ ତମକୁ ବ୍ୟସ୍ତ କରିଥିବାରୁ ଦୁଃଖିତ । ଗୁଡ଼ ନାଇଟ… ।

ଅନ୍ୟ ଦିଗରୁ କନେକ୍‌ସନ କଟିଗଲା । ଉପାୟଶୂନ୍ୟା ହୋଇ ପଦ୍ମିନୀରିସିଭରଟିକୁ କ୍ରେଡ଼ାଲ ଉପରେ ରଖିଦେଲା । ଫୋନ ଘଣ୍ଟି ଶବ୍ଦରେ ଚନ୍ଦ୍ରଭାନୁଙ୍କ ନିଦ ଭାଙ୍ଗିଯାଇଥିଲା । ଖୁବ୍ ବିଳମ୍ବରେ ସେ ବୁଝିପାରିଲେ, ପଦ୍ମିନୀ ହିଁ ତାଙ୍କ ଜୀବନର ଏକମାତ୍ର ତାରକା । ତାକୁ ଏତେ ନିକଟରେ ଦେଖି ସେ ବିଶ୍ୱାସ କରିପାରୁନଥିଲେ । ପଦ୍ମିନୀ ମଧ୍ୟ ଚନ୍ଦ୍ରଭାନୁଙ୍କୁ ଦେଖି ଅଫୁରନ୍ତ ଉଲ୍ଲାସରେ ଅଥର୍ବ ହୋଇ ଯାଉଥିଲା । ଉଠିଲେ ଚନ୍ଦ୍ରଭାନୁ । ଦୁଇ ମୃଣାଳ ବାହୁରେ ଜଡ଼େଇ ଧରିଲେ ପଦ୍ମିନୀକୁ ।

ବର୍ଷର ଯନ୍ତ୍ରଣା ଆଜି ଗୋଟିଏ ପଲକରେ ସେ ଅନୁଭବ କଲେ । ଉଭୟଙ୍କ ଆଖିରୁ ଚାରି ଧାର ଅଶ୍ରୁ ଗଡ଼ି ଆସିଲା । ଜଣକର ଥିଲା ଅନୁତାପର ଅଶ୍ରୁ । ଆଉ ଜଣକର, ଜଣକୁ ଫେରିପାଇବାର ଆନନ୍ଦର ଅଶ୍ରୁ ।

 

ସମାପ୍ତ

Comments are closed.