ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୪
ଲୁଇସ୍ ଭିଲ୍ଲାର ଫାଟକ ଡେଇଁ କୁମାରର ଗାଡ଼ି ପଶୁପଶୁ ସୁକାନ୍ତି ଦୌଡ଼ି ଗଲା । ଆଜ୍ଞା ମାଙ୍କୁ ଚାରିଦିନ ହେଲା ଭୀଷଣ ଜର ।
କିଛି ଖାଉନାହାନ୍ତି । ଡ଼ାକ୍ତର ଦେଖେଇବାକୁ ବାହାରୁ ନାହାନ୍ତି , କି ଡ଼କେଇଦେବି କହିଲେ ମନା କରୁଛନ୍ତି । ବାବୁ ତ’ ନାହାନ୍ତି । ଆପଣଙ୍କ ଛଡ଼ା ସେ ଆଉ କାହା କଥା ଶୁଣିବେନି । ବାଧ୍ୟ ହେଇ ଫୋନ୍ କଲି । ଆପଣ ଯାଆନ୍ତୁ ଆଜ୍ଞା, ଦେଖିବେ ଟିକେ ।
ହୁଁ ଟେ କହି କୁମାର ସିଧା ଉପର ଫ୍ଲୋରକୁ ଧାଇଁ ଗଲା ।
ବେଡ଼ରୁମ୍ ନକ୍ କରିବାର ଆବଶ୍ୟକତା ନଥିଲା । ଆଗରୁ ଖୋଲା । ଏଇ ବୋଧେ ସୁକାନ୍ତି ତାଙ୍କ ସେବାରେ ଲାଗିଥିଲା ।
ଆରାଧ୍ୟା ଶୋଇଛି ବାଁ କଡ଼ ମାଡ଼ି । ଦରଜା ପଟକୁ ପିଠି କରି । କୁଙ୍କୁଡି କାଙ୍କୁଡି ହେଇ । ରେଜେଇ ଭିତରେ ସମ୍ପୂର୍ଣ୍ଣ ଶରୀର । ଖାଲି ମୁହଁଟି ପଦାରେ । ଆରପଟ ବାଲକୋନୀର ଡୋର ସାମାନ୍ୟ ଖୋଲା । ସେଇ ଦର ଆଉଜା କାଚ ଦରଜାର ବହଳ ପର୍ଦ୍ଦା ଭେଦକରି କ୍ଷୀଣ ଆଲୁଅ ଘର ଭିତରେ ନିଜର ଅସ୍ତିତ୍ୱ ଜାହିର କରିବାର ବୃଥା ପ୍ରୟାସ କରୁଛି ।
ଏମିତି ବିନା ପରମିସନ୍ରେ ଗୋଟେ ତରଳ ଅନ୍ଧାର ରାଜୁତି କରୁଥିବା ଭଦ୍ର ମହିଳାଙ୍କ ବେଡ଼ରୁମ୍ ଭିତରକୁ ହଠାତ୍ ପଶିଯିବା
କେତେ ଦୂର ଯଥାର୍ଥ?
ଅନୁଚିତ୍ କୋଉଠି ରହିଲା? ସେ କ’ଣ ନୂଆ କରି ତାଙ୍କ ବେଡ଼ ରୁମରେ ପାଦ ଦୋଉଛି? ସାର୍ଙ୍କୁ ତ’ ଅନେକ ଥର ଏଇ ଶେଜ
ପର୍ଯ୍ୟନ୍ତ ନେଇଆସିଛି । ନିଶାରେ ଚୁର୍ ତାଙ୍କ ବାଚାଳପଣକୁ ବରଦାସ୍ତ କରିଛି । ତାଙ୍କ ଶୋଇଯିବା ପର୍ଯ୍ୟନ୍ତ । ଆଜି କାହିଁକି ଏ ସଙ୍କୋଚ? କ’ଣ ସାର୍ ଅନୁପସ୍ଥିତ ବୋଲି ?
ତାଙ୍କ ଅନୁପସ୍ଥିତିରେ ଅଫିସର ସମ୍ପୂର୍ଣ୍ଣ ଦାୟିତ୍ୱ ଯେମିତି ତା’ର, ସେମିତି ଘରର ସୁବିଧା ଅସୁବିଧା ବେଳେ ସେ ଆସି ଛିଡା ହେବା ମଧ୍ୟ ସେତିକି ମଣିଷ ପଣିଆ । ଅନ୍ୟ କିଛି ସମସ୍ୟାକୁ ଆଡେଇ ଦିଆଯାଇ ପାରେ । କିନ୍ତୁ ଆରାଧ୍ୟା ମାମ୍ଙ୍କ ବାବଦରେ କୌଣସି କଥାକୁ ଉପେକ୍ଷା କରିନେବ, ଏତେ ସହଜ ହୁଏନା ।
କାହିଁକି? କ’ଣ ସାରଙ୍କ କାର୍ନାମା ବିଷୟରେ କିଛି କିଛି ଅବଗତ ହେଇସାରିଛି ବୋଲି । ଆରାଧ୍ୟା ପାଇଁ ଦୟା ନା’ ସମବେଦନା! ନା’ ସହାନୁଭୂତି! ନା ଅନ୍ୟ କିଛି…. ତେବେ କ’ଣ ତା ଅଜାଣତରେ ତା’ ହୃଦୟରେ କିଛି ଅବ୍ୟକ୍ତ ଭାବନା ଉଙ୍କି ମାରିଛିକି ୟାଙ୍କ ପାଇଁ ?
କ୍ରମଶଃ……
Comments are closed.