ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୨
ଦେ ତ ଫୋନଟା । ସେବେଠୁ ଫୋନ୍ ଦେଖିନି ।
ସତରେ ବୈଭବଙ୍କର ଦୁଇଟି ମେସେଜ୍ ଅଛି ।
ଗେଟ୍ୱଲ୍ ସୁନ୍, ଟେକ୍ କେୟାର ।
ସେ ଆହୁରି ଗମ୍ଭୀର ହେଇଗଲା । ସମ୍ପର୍କମାନେ ପ୍ରକୃତରେ କ’ଣ? ଯେଉଁ ମାନେ ତା’ର କେହି ନୁହଁନ୍ତି, ସେମାନେ ରାତିଦିନ ଲାଗି ତା’କୁ ସୁସ୍ଥ କରିବାରେ ବ୍ୟସ୍ତ । ଆଉ ଯିଏ ଜୀବନରେ ବହୁତ ଅଧିକ ମହତ୍ତ୍ୱ ରଖନ୍ତି ସେ? କୋଉଠି ?
କୁମାର ଆସି ପହଞ୍ଚି ଗଲା । ସିଂ ସାର୍ଙ୍କ କହିବା ମୁତାବକ ଜର ଛାଡି ଯିବାପରେ ଯିବାକୁ ହେବ ।
କୁଆଡେ ଆଉ ଯିବା ଦର୍କାର ନାହିଁ । ମୁଁ ଠିକ୍ ହେଇ ଗଲିଣି, ଦେଖ ଜର ବି ନାହିଁ ।
କେମିତି ବୁଝେଇବ କୁମାର? ତାଙ୍କୁ ଯିବାକୁ ପଡ଼ିବ । କର ସାର୍ଙ୍କୁ ଥରେ ଦେଖେଇବାକୁ ପଡ଼ିବ । ସେ ଶାରୀରିକ ଭାବେ ସୁସ୍ଥ ଥାଇପାରନ୍ତି । କିନ୍ତୁ ମାନସିକ ଭାବେ ଠିକ୍ ନୁହେଁ ।
ମ୍ୟାଡ଼ମ୍ ଥରେ ଦେଖେଇ ନେବା ଉଚିତ ହବ । ସିଂ ସାର୍ ଖୁବ ଭଲ ଡ଼କ୍ଟର । ସେ ଯେତେବେଳେ ସଜେଷ୍ଟ କରିଛନ୍ତି, କିଛି ତ’ ଭାବିଥିବେ? ଥରେ ଯିବାରେ ଅସୁବିଧା କୋଉଠି? ଚାଲନ୍ତୁ । ବାହାରିଲେ ଜଲ୍ଦି । କୁମାର ମୁହଁକୁ ନ’ ଅନେଇ ଏକ ନିଃଶ୍ୱାସରେ କହିଗଲା, ଅଧିକାର ଥିବା ଭଙ୍ଗିରେ । ସେ ଓ ସୁକାନ୍ତିର ବାଧ୍ୟ ବାଧକତାରେ ବାହାରିଲା ଆରାଧ୍ୟା ।
ବାଟ ସାରା ପୂର୍ବ ପରି ଗମ୍ଭୀର ଥିଲା ଆରାଧ୍ୟା ଆଉ କୁମାର ବି । ଅଚେତନ ଅବସ୍ଥାରେ ଆରାଧ୍ୟା ସେ ଦିନ ଯାହା କରିଛନ୍ତି ତାଙ୍କର କ’ଣ ମନେ ଥିବ? ତା’ ହାତକୁ ଖୁବ ଜୋ’ରେ ମୁଠେଇ ଧରି ଯାହା କହିିଲେ, କହିଲେ ମାନେ ବିଳାପ କରୁଥିଲେ, ଅସ୍ପଷ୍ଟ ହେଲେବି ଅନୁମାନ କରାଯାଇପାରେ । ଆଉ ସେ ବି ଅନୁମାନ କରିନେଇଛି । ସେ’ ଯେ, ଏତେ ମାତ୍ରାରେ ନିଃସଙ୍ଗ ଅନୁଭବ କରୁଥିବେ ବୋଲି, କେବେ ଅନୁମାନ କରିନଥିଲା ।
ଗାଡ଼ି ଅଟକିଲା କର କ୍ଲିନିକ୍ ସାମ୍ନାରେ ।
ଦେଖନ୍ତୁ ବେଶୀ କିଛି ବିଗିଡି ଯାଇନି । ଖାଲି ଟିକେ ଆଟେନସନ୍ ଦେଲେ ସେ ଖୁବଶୀଘ୍ର ଭଲ ହେଇଯିବେ । କିଛି ମେଡ଼ିସିନ୍ କଣ୍ଟିନ୍ୟୁ କରିବାକୁ ହେବ ।
କ୍ରମଶଃ
Comments are closed.