ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୫୪
ଆଗରୁ ଏ ବ୍ରାଞ୍ଚକୁ ଯେବେ ବି ଆସେ ଏଇଠି ରହେ । ହରିଶ୍ ହିଁ ତା’ର ଭଲ ମନ୍ଦ ବୁଝାସୁଝା କରେ । ହରିଶ୍ ତା’ ଠାରୁ ବୟସରେ ଦୁଇଗୁଣ ।
ତା’ ର ସବୁଠାରୁ ଭଲ ଗୁଣ ହେଲା , ଅତିଥିଙ୍କ ପ୍ରତି ଯତ୍ନଶୀଳତା । ନିଚ୍ଛକ ଓ ସଚ୍ଚୋଟ ଭାବ । ଯଦିଓ ଗେଷ୍ଟହାଉସ୍ର କେୟାରଟେକର ଭାବେ ଚାକିରୀ କରିଛି, ଦରମା ପାଉଛି । ହେଲେବି ତାର ଡିଉଟି ବାହାରେ ଲୋକଙ୍କୁ ସାହାଯ୍ୟ କରିବାରେ ସାମାନ୍ୟ କୁଣ୍ଠାବୋଧ କରେନା ।
ଅଧରାତିରେ ଅସୁବିଧାରେ ପଡ଼ି କିଏ ଯଦି ଡାକିଲେ , ସେ ଯେଉଁ ଅବସ୍ଥାରେ ଥାଉନା କାହିଁକି ସାଙ୍ଗେ ହାଜିର୍ ହେଇଯାଏ ।
ଯେହେତୁ ଏଇ ଗେଷ୍ଟ ହାଉସ ଭିତରେ ହିଁ ତା’ର କ୍ୱାଟର୍ । ସୁବିଧା ହୁଏ । ଏଠାକୁ ଯିଏ ଆସେ ବହୁତ ଖୁସିହେଇ ଫେରେ । କିଛି କମ୍ପେ୍ଲନ୍ର ମୌକା ଦିଏନା । ଖୁବ୍ ସାହାଯ୍ୟକାରୀ ।
ଭଲ ଲୋକଙ୍କର ଠାକୁର ବାରବାର ପରୀକ୍ଷା ନିଅନ୍ତି । ଲୋକଟାର ସୁନ୍ଦର ପରିବାରଟିଏ ଥିଲା । ସ୍ତ୍ରୀ, ପୁଅ, ବୋହୁ ଓ ଛୋଟ ନାତିଟିଏ । ସଭିଏଁ ମିଶି ତୀର୍ଥ କରିବାକୁ ଯାଇଥିଲେ କେଦାରନାଥ । ଭୟଙ୍କର ବାଦଲ ଫଟା ବର୍ଷା ଓ ପ୍ରଳୟଙ୍କରୀ ବନ୍ୟାରେ ସବୁକିଛି ଉଜୁଡିଗଲା । ଯିଏ ଯୁଆଡେ ଭାସିଗଲେ । ସେ ମଧ୍ୟ ତିନିଦିନ ଯାଏ କୋଉଠି ବେହୋସ ପଡ଼ି ଥିଲା । ବହୁ କଷ୍ଟରେ ତା’କୁ ଉଦ୍ଧାର କରାହେଲା ।
ସମସ୍ତଙ୍କୁ ହରେଇ ଦେବା ଦୁଃଖରେ ଭାଙ୍ଗି ପଡୁଥିବା ସମୟରେ ତା’ ଜୀବନ, ନୂଆ ମୋଡ଼ ନେଲା । ତା’କୁ ଜୁଟିଲା ଅନାଥ ଛୁଆଟିଏ । ତା’କୁ ପାଖରେ ରଖିଛି । ଲାଳନ ପାଳନ କରୁଛି । କେଦରନାଥଙ୍କ କୃପାଭାବି ତା’ ନାଁ କେଦାର ବୋଲି ରଖିଛି ।
କେଦାର କେମିତି ଅଛି ହରିଶ୍?
ଭଲ ଅଛି ଆଜ୍ଞା । ଭାବୁଛି ଆସନ୍ତା ବର୍ଷକୁ ଏଇ ଗାଁ ସ୍କୁଲର ଶିଶୁ ଶ୍ରେଣୀରେ ତା’ ନାଁ ଲେଖେଇ ଦେବି ।
ଖୁବ୍ ଭଲ । ଶିକ୍ଷା , ପ୍ରତ୍ୟେକ ଶିଶୁର ଅଧିକାର । ତୁମେ ଭଲ କାମଟିଏ କରିଛ, ଆଗକୁ କରିବ ମଧ୍ୟ ।
ହଁ ଆଜ୍ଞା ତା’ ଛଡ଼ା, ମୋର ଆଉ କିଏ ଅଛି?
ମନ ଉଣା କରନାହିଁ । ଯାହା ହେବାର, ହେଲା । ଏବେ କେଦାରକୁ ମଣିଷ କରିବା ଦାୟିତ୍ୱ ତୁମର ।
କିଛି ସମୟ ଗପସପ ହେଇ ଚାଲିଗଲା ସେ ।
କ୍ରମଶଃ…
Comments are closed.