ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୭୦
ଅଫିସ ଆସୁଆସୁ କୁମାର ହାତରେ ଏନ୍ଭଲବଟା ଧରେଇ ଦେଇ ଚାଲିଗଲା ପିଓନ୍ ।
ଏ ତ’ ବୈଭବ ସାର୍ଙ୍କ ହାତଲେଖା ଚିଠି ।
କୁମାର,
ଏ ସବୁ ଏବେ ମୋ କଣ୍ଟ୍ରୋଲ ବାହାରେ । ମୁଁ ଏଠୁ ଚାଲିଯିବାକୁ ବାଧ୍ୟ ହେଉଛି । ଆଉ ଜମା ଅଳ୍ପ ଦିନ, ଆମର ସବୁ କମ୍ପାନୀ ଗୁଡକୁ ବ୍ୟାଙ୍କ ଟେକଓଭର କରିନେବ । ସମ୍ଭାଳିବା ମୁସ୍କିଲ୍ । ବ୍ୟାଙ୍କ କଥା ଛାଡ଼, କିଛି ଇଲେଗାଲ୍ ସଂସ୍ଥା ଅଛି, ଯେଉଁମାନେ ଅଲଗା ୱେରେ କମ୍ପାନୀକୁ ଫାଇନ୍ସସ୍ କରୁଥିଲେ । ତାଙ୍କ ପର୍ସେଣ୍ଟେଜ୍ ନେଉଥିଲେ । ସେମାନେ ଠିକ୍ ଲୋକ ନୁହଁ । ସେମାନେ ମତେ କଦାପି ଛାଡିବେନି । ଏମିତି ଲୁଇସ୍ ଭିଲ୍ଲା ବି, ମୋ’ ହାତରୁ ଚାଲିଗଲା ବୋଲି ଭାବ । ଆଲିଆ ଯାହା ତ’ କଲା, ଏବେ ସେ ଅନ୍ୟ ବାଟରେ ବ୍ଲାକମେଲ୍ କରୁଛି । ମୁଁ କହି ପାରିବିନି ସେ ସବୁ । ଛାଡ..ଏବେ ମତେ ଏଠୁ ଚାଲିଯିବାକୁ ହେବ । କେଉଁ ଦେଶ, କେଉଁ ଯାଗା, କେବେ ଫେରିବି ତା’ ଠିକଣା ନାହିଁ ।
“ବୈଭବ”
ଓଃ ମାଇଁ ଗଡ଼! ଏ ଅସମୟରେ.. କାହାକୁ କିଛି ନ’ କହି ନିଜେନିଜେ କେମିତି ଖସିଗଲେ! ହଠାତ୍ କିଛି ଭାବିପାରିଲା ନାହିଁ କୁମାର । ଲଥ୍ କରି ବସିପଡିଲା ।
ଅନେକ ରାତି ହେଲାଣି । ଯିଏ ଯୁଆଡେ ଶୋଇ ପଡ଼ିଲେଣି । ଆରାଧ୍ୟା ଭାରି ବିଚଳିତ ହେଉଛି । ଶୋଇପାରୁନାହିଁ କି, ବସି ପାରୁନାହିଁ । ଖାଲି ବେଡ଼ରୁମ୍ରୁ ବାଲକୋନୀ । କେତେବେଳେ ତା ପେଣ୍ଟିଙ୍ଗ୍ ପାଖକୁ ଯାଉଛି ତ’ କେତେବେଳେ ଛାତ ଉପରେ ଛିଡ଼ା ହେଇ ଲକ୍ଷ କରୁଛି । ବୈଭବଙ୍କ ଗାଡ଼ି
ଆସିଲାକି? ନା…
ଅନେକ ଦିନ ପରେ ତାକୁ ଆଜି ଏମିତି ଫିଲ୍ ହେଉଛିା ତା’ ଷଷ୍ଠ ଇନ୍ଦ୍ରିୟ ସଜାଗ ହେଇ ଉଠିଛି । କିଛି ଅଘଟଣର ଆଭାସ ହେଉଛି । ବୈଭବଙ୍କ ଫୋନ୍ ଲାଗୁନିା ସେ ସକାଳୁ ଏମିତି ଦୁମ୍ ଦୁମ୍ ହେଇ ବାହାରି ଯିବାର କାରଣ କ’ଣ ହେଇପାରେ! ବାରମ୍ବାର ଫୋନ୍ ଚେକ୍ କରୁଥାଏା
ଆଉ କିଛି ସମୟ ଭିତରେ ସେ ଯଦି ନ ଫେରିବେ, କୁମାରକୁ ଫୋନ୍ କରି ବୁଝିବ । ଅପେକ୍ଷା କରିକରି କ୍ଲାନ୍ତ ହେଇପଡୁଥିବା ବେଳେ ଏସ୍ ଏମ୍ ଏସ୍ ବିପ୍ କଲା । ସେ ଚଟ୍ କରି ଫୋନ୍ ଦେଖିଲା ।
ବୈଭବ!
କ୍ରମଶଃ
Comments are closed.