ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୯୧
ତୁମେ କିଛି ଭୂଲ୍ କରିନାହଁ । ଭୁଲିଯାଅ ନାହିଁ ସେଥିରେ ତୁମ ସହିତ ମୁଁ ବି ସମପରିମାଣରେ ଭାଗୀଦାର ଥିଲି । ବରଂ ମୋ’ର ପାଦ ଆଗ ଖସିଥିଲା । ଆମେ ମଣିଷ । ରକ୍ତ ମାଂସରେ ଗଢା ଆମ ଶରୀର । ଆବେଗ ଅଛି, ଭାବପ୍ରବଣତା ଅଛି । ଇଛା ଅଛି । ହୋଇଗଲା । ପ୍ଲାନ୍ କରି ତ’ ହେଇ ନାହିାଁ
ତୁମେ ପୁରୁଷ । ଦିନ ଦିନ ମୋ ସହିତ କାଟିଛ । ଘନିଷ୍ଠତା ବଢିଛି । ଆମେ ଅନେକ ସମୟ ଖୁବ୍ ପାଖାପାଖି ରହିଛନ୍ତି । ଦୁଃଖ ସୁଖ ବାଣ୍ଟିଛନ୍ତି । ଅନେକ ଥର ସୁବିଧା ସୁଯୋଗ ଥାଇ ବି, ତୁମେ ମତେ କେବେ ହେଲେ ଉଦ୍ଦେଶ୍ୟମୂଳକ ଭାବରେ ଛୁଇଁ ନାହଁ । ନିଜକୁ ସଂଜତ କରି, ନିଜ ପାଇଁ ଲକ୍ଷ୍ମଣରେଖା ଟାଣିଦେଇଛ । ମୁଁ ତୁମକୁ ଲକ୍ଷ୍ୟ କରିଛି । ତୁମ ସ୍ଥାନରେ ଆଉ କିଏ ହୋଇଥିଲେ, ସେ ହୁଏତ, କେଉଁକାଳୁ ସବୁ ସୀମା ଅତିକ୍ରମ କରିସାରି ଥାଆନ୍ତା । ଭୂଲ୍ କରିନାହଁ ଯେତେବେଳେ, ଅନୁତାପ କାହିଁକି?
କୁମାର ଆଶ୍ଚର୍ଯ୍ୟ ହେଇ ଆରାଧ୍ୟାକୁ ଚାହିଁରହିଛି । ପୁରା ବାସ୍ତବବାଦୀ । ଏମିତି ଏକ ସମ୍ବେଦନଶୀଳ ଘଟଣାକୁ କେତେ ସହଜରେ ହ୍ୟାଣ୍ଡଲ୍ କରିଦେଲା ।
ତା’ର ବି ନିଜ ଉପରେ ଆତ୍ମବିଶ୍ୱାସ ବଢିଗଲା । ଛାତିରୁ ବୋଝ ଉତୁରି ଗଲା । ଆଶ୍ୱସ୍ତ ହେଲା ସେ । ଏଥର ସେ ଯାହା ଭାବିଛି ନିଦ୍ୱର୍ନ୍ଦରେ କହିପାରିବ । ଆରାଧ୍ୟା ପାଖରେ ମନକଥା କହିସାରିବା ପରେ ହିଁ ଶାନ୍ତି ପାଇବ ।
ଶୁଣ ଅରୁ, ମୁଁ ଅନେକ ଦିନ ହେଲା ତୁମକୁ କିଛି କହିବି କହିବି ହେଇ କହି ପାରୁନାହିଁ ।
..କୁହ..ଯାହା ମନରେ ଅଛି ସଫାସଫା କୁହ କୁମାର ।
ଅରୁ, ମୋ ମନ କଥା ସିଧା କହୁଛି । ମୁଁ ତୁମକୁ ନିଜର ଜୀବନ ସାଥି କରିବାକୁ ଚାହେଁ । ବିବାହ କରିପାରିବ ମତେ?
ଆଉ ଆଗରୁ କହି ରଖେ, ଭୂଲ୍ ବୁଝିବନି । ମୁଁ ତୁମ ପରିସ୍ଥିତିକୁ ନେଇ, ବା ଦୟାରେ ଏ ପ୍ରସ୍ଥାବ ରଖିନାହିଁ ।
ପ୍ରକୃତରେ ମୁଁ ତୁମକୁ ପସନ୍ଦ କରେ । ଆଜି ନୁହଁ । ଅନେକ ଦିନ ହେଲାଣି ମୋ’ ମନରେ ଅଜାଣତରେ କେତେବେଳେ ଦୁର୍ବଳତା ସୃଷ୍ଟି ହୋଇଛି, ଜାଣେନା । କେବଳ ସାହସର ଅଭାବ ଓ ପରିସ୍ଥିତିକୁ ଦେଖି ଚୁପ୍ଥିଲି । ଆମେ ଦୁହେଁ ଭଲ ବନ୍ଧୁ । ଏବେ ସେ ସମ୍ପର୍କକୁ ଗୋଟେ ନାଁ ଦେବାକୁ ଚାହୁଁଛି । କଥା ଦେଉଛି, ତୁମ ମତରେ ମୁଁ ସହମତ ହେବି । ଖୋଲିକି କୁହ ଅରୁ ।
ଏକା ଥରେ ଏତେ କଥା କହିସାରି, ଉତ୍ତର ଅପେକ୍ଷାକୁ କଲା । କିଛି ସମୟ ଗମ୍ଭୀର ଭାବେ ବସିବା ପରେ, ଆରଧ୍ୟା ଆରମ୍ଭ କଲା । ଭଲ ହେଲା ତୁମେ ଖୋଲିକି କହିଦେଲ । ଏଥର ଶୁଣ, ମୁଁ ତୁମକୁ ବିବାହ କରିପାରିବି ନାହିଁ କୁମାର ।
କାହିଁକି ଆରାଧ୍ୟା ? ମୁଁ କ’ଣ ତୁମ ଯୋଗ୍ୟ ନୁହଁ ?
ସେ କଥା ମୁଁ କେବେ ଭାବିନାହିଁ । ଆମେ ବନ୍ଧୁ । ଯଦି ଏଇ ବନ୍ଧୁତାକୁ ସବୁଦିନ ମଜବୁତ୍ କରିବାକୁ ଚାହଁ, ତେବେ ବିବାହ ବନ୍ଧନରେ ବାନ୍ଧନାହିଁ ।
କ୍ରମଶଃ
Comments are closed.