ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୭
ସୁଲୁସୁଲିଆ ପବନ ବାଜି ଶାନ୍ତିରେ ପଛ ସିଟରେ ଢୁଳେଇ ପଡ଼ିଛି ସୁକାନ୍ତି । ଗାଁ ମୁଣ୍ଡରେ ଗାଡ଼ି ରହିଲା । ଧଡ଼ପଡ଼ ହେଇ ଉଠିଗଲା । ତା’ ସୁରକ୍ଷିତ ମାତୃତ୍ୱର ଅଭୟ ବାଣୀ ଦେଇ ବିଦାୟ ଦେଲା ଆରାଧ୍ୟା । ଆଖି ତା’ର ଛଳଛଳ । ମା’ ନିଜେ ଆସି ତା’କୁ ଛାଡ଼ି ଦେଇ ଗଲେ! ଛୁଆଟି ଆଖିଖୋଲିଲେ ପ୍ରଥମେ ମା’ ଙ୍କ ଆଶୀର୍ବାଦ ହିଁ ଲୋଡିବ । ଗାଡ଼ି ୟୁ ଟର୍ଣ୍ଣ ନେଲା ।
ମାନ୍ଧାତା ଅମଳର ଜିଲ୍ଲାବୋର୍ଡ ଏମ୍ .ଇ ସ୍କୁଲର ବୋର୍ଡଟା, ଅଧା ଝୁଲିପଡିଛି । ହଲୁଛି । କେତେବେଳେ ପୁରା ଖସି ପଡ଼ିବ ତା’ର ଠିକଣା ନାହିଁ । ପଡୁ । ନୂଆ ଲାଗିବ, କିନ୍ତୁ ପିଲାଙ୍କ ଉପରେ ନ’ ପଡିଲେ ହେଲା ।
ସ୍କୁଲ ହତା ବାହାରେ ବୁଢା ମାଉସା ତା’ ଠେଲାରେ କେତେ କ’ଣ ଖାଇବା ଜିନିଷ ଧରି ବିକୁଛି । ପିଲାଦିନେ ସେମାନେବି ଅନେକ ଖାଇଛନ୍ତିା ମାଗା ମା’ ବୁଢୀ ତା’ ପସରା ମେଲେଇ ବାହାରେ ବସିଥାଏ । ଖେଳଛୁଟି ଘଣ୍ଟା ବାଜିବା ମାତ୍ରେ ଧାଇଁ ଯାଆନ୍ତି ସେମାନେ । ଜରିପୁଡିଆରେ ତେନ୍ତୁଳିଖଟା, ମିଠା କୋଳିଆଚାର, କମଳା ଚକୋଲେଟ୍, ଭଜା ବାଦାମ, ବୁଟ ଭଜା ।
ଖେଳଛୁଟି ପରେ ବି, କ୍ଲାସ୍ ରୁମ୍ରେ ବସି ସ୍କଟର ଚୋରାପକେଟରେ ହାତ ପୁରେଇ ଲୁଚେଇ ଲୁଚେଇ ଆଚାର ଚାଟିବା ମଜାକଥା ଆଉ କୁହନା । ଦିଦି ଦେଖିଦେଲେ କିଛି ନ’ ଜାଣିଲା ପରି ଆଖି ମିଟିମିଟି କରି ତଳକୁ ମୁହଁ ପୋତିଦେବା । ଗଡ଼ ଜିତିଲା ପରି ତା’ଙ୍କୁ ଠକି ଦେଇପାରିଥିବାର ଗର୍ବରେ ନିଜକୁ ନିଜେ ସାବାସି ଦେଇ ଖୁସିରେ ଉଛୁଳି ପଡ଼ିବାର ଅନୁଭୂତି ।
ସତରେ ଚମତ୍କାର! କାଇଁ ସେ ପିଲାଦିନ! ବହୁତ ମଜା । ସେୟାକୁ ମନେ ପକେଇ ମନେମନେ ଖୁବ୍ ହସୁଛି ଅରୁ । ଛୁଟି ଘଣ୍ଟା ବାଜିବାକ୍ଷଣୀ ପିଲାମାନେ ବସ୍ତାନୀ କାନ୍ଧରେ ଝୁଲେଇ ଠେଲାପେଲା ହେଇ ଧୂଳି ଉଡେଇ ଦୌଡ଼ିଲେଣି ଘରକୁ ।
ହୃଦୟରେ ଗଭୀର ଭାବେ ଚିତ୍ର ଆଙ୍କି ଦେଇ, ପଛରେ ରହିଯାଉଛି ପ୍ରତ୍ୟେକଟି ଦୃଶ୍ୟ । ଆଗରେ ନାଚି ଉଠୁଛି ତା’ ସମ୍ପୂର୍ଣ୍ଣ ପିଲାଦିନ ।
ସେ ବି ଦିନେ ଏମିତି ଦୌଡୁଥିଲା । ବସ୍ତାନୀ ଧରି । ସାଙ୍ଗ ମେଳରେ, ଧୂଳିଧୂସର ହେଇ ।
ଆରାଧ୍ୟା ଚାହିଁଲା କୃତଜ୍ଞତା ପୂର୍ଣ୍ଣ ଦୃଷ୍ଟିରେ । କୁମାର ତା’କୁ ଏଠାକୁ ଆଣି ଯେମିତି ଗୋଟେ ମହାନ୍ କାମଟିଏ କରିଛନ୍ତିା ତାଙ୍କୁ ଧନ୍ୟବାଦ ଦେବନି । କିଛି ବି କହିବନି । ସେ ଯାହା ଆତ୍ମ ସନ୍ତୋଷ ପାଇଛି ତା’ ନିକଟରେ ଏ ସବୁ ନିହାତି ତୁଚ୍ଛ ।
ନୀରବତାରେ ଥାଏ ଅନେକ କଥା । ସେ ନୀରବ ରହିଲା । କାହାକୁ ବୁଝିବା ଓ ବୁଝେଇବାର ଢେର୍ ଉର୍ଦ୍ଧରେ ଯାଇ ଭାବନାର ଇମାରତ ।
କ୍ରମଶଃ
Comments are closed.