ସ୍ଵର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ ୪୮
ଏତେ ବାଟ ଡ଼୍ରାଇଭିଂ ପରେ ମଧ୍ୟ କୁମାର ମୁହଁରେ ଟିକେ ହେଲେ କ୍ଲାନ୍ତିର ଚିହ୍ନ ବର୍ଣ୍ଣ ନାହିଁ । ଯିବାକୁ ହେବ ଆହୁରି ଅନେକ ଦୂର । ସନ୍ଧ୍ୟା ନଇଁ ଆସୁଥାଏ । ପଶ୍ଚିମ ଆକାଶର ମଥାରେ ସୂର୍ଯ୍ୟ ଲାଲ୍ ସିନ୍ଦୂର ବିନ୍ଦୁଟିଏ ପରି ଶୋଭା ମଣ୍ଡନ କରୁଛି । ଅସ୍ତଗାମୀ ସୂର୍ଯ୍ୟଙ୍କ ରକ୍ତିମ ଆଭାରେ ଝଲ୍ସି ଉଠୁଛି ସାରା ଆକାଶ । ଚିଁଚାଁ ହେଇ ଫେରିଆସୁଛନ୍ତି ଦଳଦଳ ପକ୍ଷୀ । ଗାଇଆଳ ପିଲାର ଇସାରାରେ ଗାଁ ମୁଣ୍ଡକୁ ବାହୁଡି ଆସୁଛନ୍ତି ଗାଇଗୋଠ । ସତେ କି ମନୋରମ ଦୃଶ୍ୟ! କେଉଁ ନିପୁଣ ଚିତ୍ରକର ତୂଳୀଧରି ଆଙ୍କିଦେଇଛି ପ୍ରକୃତିର ନିଖୁଣ ଛବି! ଏଇଠି ସ୍ୱର୍ଗ ।
“ଜାଣିଛ କୁମାର, ମୁଁ ଏମିତି ଗୋଟେ ଗାଁରେ ହିଁ ପିଲାଦିନ କାଟିଛି । ଦ୍ୱିତୀୟ ଶ୍ରେଣୀରେ ପଢିଲା ବେଳେ ହଠାତ୍ ବୋଉ ଚାଲିଗଲା । ତା’ ପରେ ପରେ ବାପା । ମାମୁଁ ନେଇଆସିଲେ ତାଙ୍କ ପାଖକୁ । ସତ୍ୟବତୀ ପୁର । ସେଇ ଗାଁରେ ମାଇନର୍ ପରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟରେ ମାଟ୍ରିକ ପାସ୍ କଲି ।
ସତରେ ! ଆପଣ ସତ୍ୟବତୀପୁରରେ ରହୁଥିଲେ!
ହୁଁ …କ’ଣ ହେଲାକି?
ସେଇଠିତ’ ମୋ ଦାଦା ଝିଅ ଭଉଣୀର ଶାଶୁଘର । ଇନଫ୍ୟାକ୍ଟ ସେଇ ସ୍କୁଲରେ ଆମ ସେଣ୍ଟର ପଡିଥିଲା । ଯେଉଁ ବର୍ଷ ବନ୍ୟାରେ ସେ ଗାଁ ଉବୁଡୁବୁ ହେଇଥିଲା, ସବୁଠାରୁ ବେଶୀ କ୍ଷୟକ୍ଷତି ସେଇଠାରେ ହେଇଥିବାର ଚାରିଆଡେ ପ୍ରଚାର ହେଉଥିଲା । ସେଇ ବର୍ଷ ହିଁ ଆମେ ସବୁ ସେଇଠି ମାଟ୍ରିକ ପରୀକ୍ଷା ଦେବାକୁ ଯାଇଥିଲୁ ।
ସତେ!
ହଁ, ଆଜି ବି ମନେ ଅଛି, ଆମ ପରୀକ୍ଷା ଟାଇମ୍ରେ ହିଁ, କାଳବୈଶାଖୀରେ ସେ ସ୍କୁଲ୍ ଘରର ଛପର ଉଡିଯାଇଥିଲା । ପୁରୁଣା ସରକାରୀ ସ୍କୁଲ ଘର ମାନେ ସେଇଆ । ସାର୍ମାନଙ୍କର କି’ ଟେନସନ୍ । ହୋ ହାଲ୍ଲା ପଡିଗଲା । ଆମର କିନ୍ତୁ ଭାରି ମଜା । ଗାଁ ଲୋକଙ୍କ ସାହାଯ୍ୟରେ ରାତାରାତି ଯଥାକଥା ପାଲ ଘୋଡ଼ା ହେଇଗଲା । ସକାଳୁ କ୍ଲାସରେ ବସି ପରୀକ୍ଷା ଦେଲୁ ।
କୁମାର କ’ଣ କହୁଛ!
ହଁ ତ ସେଇଆ ହିଁ । ଜାଣିଛନ୍ତି ସତ୍ୟବତୀପୁର ଏଇଠୁ ବେଶୀ ବାଟ ନୁହେଁ । ସେଇ ଦେଢଶ କିଲୋମିଟର ଭିତରେ ହବ । କହିବେ ଯଦି କାଲି ଫେରିଲା ବେଳକୁ ନେଇଯିବି ।
ହଁ ଜାଣେ । ଆମ ସ୍କୁଲ ତ’ ସେଣ୍ଟର । ସେଇ ବର୍ଷ ଆମ ପରୀକ୍ଷା ବି, ସେଇଠି ହେଇଥିଲା କୁମାର । ସେ ଦୁର୍ଘଟଣାଟା ମୋ’ର ବି ମନେ ଅଛି । ତେବେ ତୁମର ମୋର ଏକା ବ୍ୟାଚ୍, ନାଇଁ!
ଦୁହେଁ ପରସ୍ପର ମୁହଁକୁ ଚାହିଁଲେ ଘଡିଏ । କୁମାର ଅଚାନକ ଗାଡ଼ି ସାଇଡ଼କୁ ନେଇ ସ୍ଲୋ କଲା । ସୁନେଲି କିରଣ ବିଛାଡି ପଡ଼ିଛି ଦୁହିଁଙ୍କ ମୁହଁରେ । ଦୁଇହଳ ଆଖି ଅବ୍ୟକ୍ତ ଭାଷାରେ ଚିକମିକ୍ କରୁଛି । ଅପୂର୍ବ ଆନନ୍ଦ । ଭାଷା ଶୂନ୍ୟ ହେଇ ଚାହିଁ ରହିଲେ । କ’ଣ କହିବେ କହିବେ ହେଇ ଦୁହେଁ ଫିକ୍ କିନା ହସି ଦେଲେ ।
କ୍ରମଶଃ
Comments are closed.