ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ପରଦିନ ସକାଳେ ନିଜ ରୁମ୍ରେ ବସି ବୀରା ଓ ସମୀରା ଡୋନଟ୍ କେକ୍ ଖାଉଥିବା ବେଳେ କ୍ରୁଜ୍ଟି ଏତେ ଜୋର୍ରେ ଝଟ୍କା ଦେଲା ଭଳି ହେଲା ଯେ ଡୋନଟ୍ ପ୍ଲେଟ୍ଟା କଫି ଟେବୁଲ୍ରୁ ଖସିପଡ଼ି ଚୁନା ହୋଇଗଲା । ବୀରା ହାତରୁ କଫି ମଗ୍ ଚହଲିଯାଇ ଅଧେ ତା’ ସାର୍ଟରେ ଢାଳିଗଲା । ନିଜକୁ ସମ୍ଭାଳିବାକୁ ସେ ସମୀରାକୁ ଧରି ପକେଇ ଚିଲ୍ଲେଇ ଉଠିଲା ତ ତାକୁ ଦେଖି ସମୀରା ବି ପାଟି କରି ଉଠିଲା, “ତୁ ଠିକ୍ ଅଛୁ ତ? ରକ୍ଷା ହୋଇଛି, କଫି ଥଣ୍ଡା ଥିଲା । ଗରମ ଥିଲେ କ’ଣ ହେଇଥା’ନ୍ତା, ଭାବିପାରୁଛୁ? ହଉ ହଉ, ତୁ ଯା’, ଡ୍ରେସ୍ ଚେଞ୍ଜ କର । ମୁଁ କାହାକୁ ଡାକେ, ଏସବୁ ସଫା କରିବ ।” ଚଟାଣରେ ପଡ଼ିଥିବା କାଚ ଟୁକୁଡ଼ା ସବୁକୁ ଆଡ଼େଇ ଆଡ଼େଇ ବୀରା ସାବଧାନ ହୋଇ ବାଥ୍ରୁମକୁ ଚାଲିଗଲା ।
ଅଧ ଘଣ୍ଟାଏ ପରେ, ଦୁଇଭଉଣୀ ପୂର୍ବ ରାତିର ଯୋଜନା ମୁତାବକ ଉପରପଟ ଡେକ୍କୁ ଚାଲିଗଲେ ସିଡ଼୍ ଓ ରୋହାନ୍ଙ୍କ ସହ ଭେଟ ହେବା ପାଇଁ । ଦିନଟି ଖୁବ୍ ସୁନ୍ଦର ଥିଲା । ହାଲ୍କା ଖରା ଆଉ ମୃଦୁ ମୃଦୁ ପବନ ବହୁଥିଲା । ତଳ ଡେକ୍ର ସୁଇମିଂଗ୍ ପୁଲ୍ ପାଖରେ କିଛି ଛୋଟ ଛୋଟ ପିଲା ଖେଳୁଥା’ନ୍ତି । ସିଡ଼୍ ଓ ରୋହାନ୍ଙ୍କୁ ରେଲିଙ୍ଗ୍ ପାଖରେ ଦେଖି ଏ ଦିହେଁ ତାଙ୍କ ପାଖକୁ ଚାଲିଗଲେ । ସେମାନେ ପରସ୍ପରକୁ ଅଭିବାଦନ କରିସାରିବା ପରେ ରୋହାନ୍ ମୁହଁକୁ ଦେଖି ସମୀରା ପଚାରିଲା, “ଏମିତି କାହିଁକି ମୁହଁ ଫୁଲେଇଛ?”
ରୋହାନ୍ ଏ ପ୍ରଶ୍ନର ଉଚାର ଦେବାକୁ ଇଚ୍ଛା କରୁ ନଥିଲା । କିନ୍ତୁ ସିଡ଼୍ ଆଗତୁରା କହି ପକେଇଲା, “ଆଚ୍ଛା, ଆଚ୍ଛା, ଏଇ କଥା । ଆଜି ସକାଳେ କ୍ରୁଜ୍ ଯେଉଁ ଝଟ୍କା ଦେଲା, ମନେ ଅଛି? ଠିକ୍ ସେତିକି ବେଳେ ଇସ୍ତ୍ରୀ ହୋଇ ଆସିଥିବା ଡ୍ରେସ୍ତକ ରୋହାନ୍ ଧରି ଛିଡ଼ା ହୋଇଥିଲା । ଆଉ କଫି ପଟ୍ଟି ମୋ’ ହାତରୁ ଚହଲି ଯାଇ ତଳେ ଢାଳିଗଲା ।
Comments are closed.