Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମନହଟ୍ଟନରୁ ମୁନ୍ନାର (୪)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

“ପାସ୍ତା ଆଉ ମାର୍‌ମାଲେଡ଼୍‌” କହି ଦୁଇଟି ପ୍ଲେଟ୍ ଟେବୁଲ ଉପରେ ରଖିଦେଲେ ମିସେସ୍‌ ମାହେଶ୍ୱରୀ ।

ବୀରା ପଚାରିଲା, “ବାବା?”

ବାବାଙ୍କ ଅନୁପସ୍ଥିତିରେ ଏ ଦୁଇଭଉଣୀଙ୍କ ଯୋଜନା ସଫଳ ହୋଇପାରିବନି ।

“ପାଉଁରୁଟି ଆଉ ଅଣ୍ଡା ପାଇଁ ବଜାର ଯାଇଛନ୍ତି” – ଓଠ କୁଞ୍ଚେଇ ଦେଇ ମିସେସ୍‌ ମାହେଶ୍ୱରୀ କହିଲେ ।

କିଛି ସମୟ ପୂର୍ବରୁ ସ୍ୱାମୀ ସ୍ତ୍ରୀ ଉଭୟ ଏତେ ଜୋରରେ ଚିତ୍କାର କରି କଥା କଟାକଟି ହୋଇଥିଲେ ଯେ, କାନ୍ଥ ଗୁଡ଼ାକ ବି ଥରି ଉଠିଥିଲା ଯେମିତି । ହଠାତ୍ କଲିଂବେଲ୍‌ ବାଜି ଉଠିଲା ତ ମିସେସ୍ ମାହେଶ୍ୱରୀ ସମୀରାକୁ କବାଟ ଖୋଲିବାକୁ ଓ ବୀରାକୁ ଫ୍ରିଜ୍‌ରୁ ଗୋଟେ ପ୍ଲେଟ୍ ପାସ୍ତା ଓ କିଛି ମାର୍‌ମାଲେଡ଼୍ ନେଇ ଆସିବାକୁ ନିର୍ଦ୍ଦେଶ ଦେଲେ ।

ମା’ଙ୍କ କଥା ଶୁଣି ନିଜ ନିଜ କାମରେ ଦି’ ଭଉଣୀ ଉଠିଗଲେ । ବୀରା ଫେରିଲାବେଳକୁ ସମୀରା ଓ ତା’ ବାବା ଡାଇନିଂ ଟେବୁଲ ପାଖରେ ବସିସାରିଥିଲେ । ବାବାଙ୍କ ସାମ୍ନାରେ ପ୍ଲେଟ୍ ରଖିଦେଇ ପାଖ ଚେୟାର୍‌ରେ ସେ ନିଜେ ବସି, ସମୀରାର ଇଶାରାକୁ ଅପେକ୍ଷା କଲା । ବହୁତ ସମୟ ପରେ ଇଶାରା ମିଳିଲା ତ ହଠାତ୍ ବୀରା ତା’ ପ୍ଲେଟ୍ ଏବଂ ଗ୍ଲାସ୍‌ରୁ ସବୁ ପୋଛିପାଛି ଆଣି ଡଷ୍ଟ୍‌ବିନ୍‌ରେ ପକେଇଦେଲା । ମିଃ. ମାହେଶ୍ୱରୀ ରାଗରେ ଲାଲ୍ ପାଚି ଚିତ୍କାର କରିଉଠିଲେ ।

“ବୀରା, ଏ କି ଅଭଦ୍ରାମୀ! ଖାଇବା ଜିନିଷକୁ ଏମିତି ନଷ୍ଟ ନ କରିବା କଥା, ଆମେ କ\’ଣ ତତେ ଶିଖେଇନୁ ।”

ତାଙ୍କ କଥା ସରୁ ନ ସରୁଣୁ ବୀରା ଜବାବ୍ ଦେଲା, “ବାବା, ଏମିତି ମୁଁ ଜଣେଇ ଦେବାକୁ ଚାହୁଁଚି ଯେ, ତମେ ଆମ କଥା ନ ଶୁଣିଲେ, ମୁଁ ବି ତମ କଥା ଆଦୌ ଶୁଣିବି ନାହିଁ । ମୁଁ ଆମେରିକା ଛାଡ଼ି କୁଆଡ଼େ ଯିବିନି । ଇଏ ଆମ ଘର । ସମୀରା ଦି ଆଉ ମୁଁ… ।”

ସାଙ୍ଗେସାଙ୍ଗେ ସମୀରା କହି ଉଠିଲା, “ମୋ ନାଁ ନେଏନା ବୀରା! ପ୍ଲାନ୍ ତୋର, ଅଥଚ ନାଁ ମୋର!” ବାବାଙ୍କ ରାଗ ଡରରେ ସମୀରା ଏ ପ୍ରକାରର ମିଛ କହି ପକାଇଲା ।

ବାବା କ୍ୱଚିତ୍ ଏମିତି ଚିତ୍କାର କରନ୍ତି । ନିଜକୁ ଦୋଷୀ ଦୋଷୀ ମାନୁଥିଲେ ବି ଭୟରେ ସେ ଥରିଉଠୁଥିଲା ।

ଆଶ୍ଚର୍ଯ୍ୟରେ ବୀରା ପାଟି ଖନି ମାରିଗଲା । “କିନ୍ତୁ… ତୁ… ନାଇଁ… ମୁଁ… ତୁ କେମିତି ଏକଥା କହିପାରୁଛୁ ସମୀରା ଯେ ମୁଁ ଏ ପ୍ଲାନ୍ କରିଛି ବୋଲି… ।”

କ୍ରମଶଃ

Comments are closed.