ମୂଳ ବଙ୍ଗଳା: ବୁଦ୍ଧଦେବ ବସୁ
ଅଜୀର୍ଣ୍ଣ ରୋଗ ଯୋଗୁଁ କ୍ଷୀଣ ତନୁ
ନିଜ ଲାଭର ଅଙ୍କ କଷାରେ
ମଗଜ ଭରପୁର
ମୁଣ୍ଡରେ ଥିବା ଅଳ୍ପବାଳ
ତେଲ ଚିକିଟା, ଚକଚକିଆ,
ଧୂର୍ତ୍ତ ଆଖି ଦୁଇଟି
ଲୋଭ ଓ ଲାଳସା ରେ ହଳଦିଆ।
ସେ ତାର ତେଲିଆ ଝାଳୁଆ
ଆଙ୍ଗୁଳି ଦେଇ ଏପଟ ସେପଟ କରି
ଲେଉଟାଉଛି ମୋର ପାଣ୍ଡୁଲିପିର ପୃଷ୍ଠାମାନ
ଯାହାକୁ ଏହା ପୂର୍ବରୁ ମୋ ଛଡା
ଆଉ କେହିବି ଛୁଇଁ ନାହିଁ,
ଏବଂ ତାର କପଟି ଆଖିର
ଛୋଟ ଛୋଟ ଗାତରୁ ଅନାଇଁ
କହୁଛି, “ବଜାରରେ ଚାଲିବତ
ଆପଣଙ୍କର ଏହି ବହି?”
ମନେ ପଡିଲା ସାରାରାତି
ଉଜାଗର ରହି ବହିଟି
ଯେତେ ବେଳେ ଶେଷ କରିଥିଲି।
ନିଜକୁ ମନେ କରିଥିଲି ଏକ ଦେବତା
ଯିଏ ଏଇ ଧଳା ପୃଷ୍ଠା ଗୁଡ଼ିକ ଦେଇ
ପାଲଟିଛି ଏକ ଛୋଟ ସୂର୍ଯ୍ୟର ସ୍ରଷ୍ଟା
ଏକ ମାର୍ତ୍ତଣ୍ଡ ,
ମୋ ପ୍ରାଣର ଜ୍ଵଳନ୍ତ ଅଗ୍ନିକୁଣ୍ଡ!
ସେଇ କୁଆ ଡ଼ାକୁଥିବା ଭୋରରେ
ଅନେକ ସମୟ ଶୋଇ ରହିଲି ବିଛଣାରେ
ଖୁସିରେ ନିଦ ନ ଥିଲା ଆଖିରେ
ଆଉ ତା ପରେ ବର୍ତ୍ତମାନ
ଏଇ ଚାଲାକ ଲୋକଟି
ଗାତ ପରି ଆଖି ଦୁଇଟା ବୁଲାଇ
ଓ ଲୋଭ, ଲାଭ ଚିନ୍ତାରେ
ତେଲିଆ ଆଙ୍ଗୁଳିରେ
ମୋର ପାଣ୍ଡୁଲିପିଟାକୁ
ଏପଟ ସେପଟ କରିଚାଲିଛି।
ଭାବିଥିଲି, ମିରାକଲ ଟିଏ ଘଟିବ,
ହେଲା ନାହିଁ
ମୋର ଛୋଟ ସୂର୍ଯ୍ୟଟି
ଫୁଟିଉଠିିଲାନି
ଏକ ଦାରୁଣ ବିସ୍ଫୋରଣରେ।
ସେ ତାର ମଇଳା, ସନ୍ତସନ୍ତିଆ,
ତେଲିଆ ଆଙ୍ଗୁଳି ମାନ
ମୋ ଲେଖା ଉପରେ ବୁଲାଉଥାଏ
ତଥାପି ବଞ୍ଚି ରହିଲା,
ମୁଁ ଅବାକ୍ ହୋଇଗଲି।
ଅନୁବାଦ: ମନୋରଞ୍ଜନ ହୋତା