Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୫୨)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ରୋହାନ୍ ଓ ସିଡ଼୍‌ଙ୍କ ସୁଇଟ୍‌କୁ ଦେଖି ଆଶ୍ଚର୍ଯ୍ୟ ଚକିତ ବୀରା କହିଲା, “ମୁଁ ସବୁଦିନ ଏ ଜାହାଜ ଭିତରକୁ ଆସିଲେ ବି ଏମିତି ଗୋଟେ ବିଶାଳ ସୁଇଟ୍ ସହ ଏକାବେଳେକେ ପରିଚିତ ହୋଇପାରିବିନି ।” ସମୀରା ବି ମୁଣ୍ଡ ହଲେଇ ତା’ କଥାକୁ ସମର୍ଥନ କଲା । ଏବେ ଚାରିଜଣଯାକ ଲ୍ୟାପ୍‌ଟପ୍‌ରେ ସିନେମା ଦେଖିବାକୁ ସ୍ଥିର କଲେ । ବୀରା ଓ ରୋହାନ୍ ପୂର୍ବଭଳି ଥଟ୍ଟା ମଜା ଓ ଝଗଡ଼ା ଝାଟିରେ ଲାଗିଗଲେ । କିଛି ସମୟ ସିନେମା ଦେଖିବା ପରେ ସମୀରା ଓ ସିଡ଼୍ ଗଭୀର ନିଦରେ ଶୋଇ ପଡ଼ିଲେ, କିନ୍ତୁ ବୀରା ଓ ରୋହାନ୍ ଧ୍ୟାନର ସହ ସିନେମା ଉପଭୋଗ କରୁଥା’ନ୍ତି ।

ଏତିକିବେଳେ ହଠାତ୍ ଗୋଟେ ଆଲାର୍ମ ବାଜିଉଠିଲା । କିନ୍ତୁ ତାହା ଏତେ ତୀବ୍ର ଥିଲା ଯେ ପ୍ରତ୍ୟେକଟି କ୍ୟାବିନ୍ ଓ ସୁଇଟ୍‌ରେ ଏହା ସ୍ପଷ୍ଟ ଶୁଣାଯାଇଥିବ ।

ଏଥର କିନ୍ତୁ ଆଲାର୍ମ ବେଲ୍ ବାଜିବାର ଅର୍ଥ ବୀରା ଠିକ୍ ବୁଝିପାରିଥିଲା । ଏଇ କିଛି ଦିନ ପୂର୍ବରୁ ଯାତ୍ରୀମାନଙ୍କୁ ବିପଦକାଳୀନ ପରିସ୍ଥିତିରେ ଆଲାର୍ମ ବେଲ୍ ଶୁଣି କିଏ କେଉଁ ଦ୍ୱାର ଦେଇ ପ୍ରସ୍ଥାନ କରିବା ଉଚିତ୍ ସେ ବିଷୟରେ ଏକ ଡ୍ରିଲ୍ ଅଭ୍ୟାସ କରାଯାଇଥିଲା । ଏମିତି ବେଲ୍ ବାଜିବାମାତ୍ରେ ହିଁ ଯିଏ ଯେଉଁ ଅବସ୍ଥାରେ ଥାଆନ୍ତୁ ନା କାହିଁକି, ତତ୍‌କ୍ଷଣାତ୍ ପ୍ରସ୍ଥାନ ଦ୍ୱାର ଆଡ଼କୁ ଧାଇଁ ଯିବାକୁ ପଡ଼ିବ ।

ସମୀରା ଓ ସିଡ଼୍ ଉଭୟଙ୍କୁ ଜୋର୍‌ରେ ହଲେଇ ନିଦରୁ ଉଠେଇ ବୀରା ଚିତ୍କାର କରି କହିଲା, “ହେଇ, ଜଲଦି ଉଠିପଡ଼!” ଦୁଇଜଣ ଯାକ ନିଦରୁ ଉଠିପଡ଼ି ଘଟଣା କ’ଣ ବୋଲି ଆଶ୍ଚର୍ଯ୍ୟ ହୋଇ ପଚାରିଲେ । ଭୟଭୀତ ହୋଇ ବୀରା କହିଲା, “ହେଇ, ଏବେ ଆଲାର୍ମ ବେଲ୍‌ ବାଜିଲା,” “ତ’ କ’ଣ ହେଲା ସେଇଠୁ?” ନିଦ ମଳମଳ ଆଖିରେ ସମୀରା ପଚାରିଲା । ସେ ପର୍ଯ୍ୟନ୍ତ ବି ରୋହାନ୍ ଲାପ୍‌ଟପ୍‌ରେ ଆଖି ମାଡ଼ିଥିବାର ଦେଖି ବୀରା ଚିତ୍କାର କରିଉଠିଲା, “ରୋହାନ୍ ପରିମଲ୍‌! ସେ ଲାପ୍‌ଟପ୍ ଯଦି ଏବେ ହିଁ ବନ୍ଦ ନ କରିଛ, ମୁଁ ତୁମକୁ ସମୁଦ୍ରକୁ ଫିଙ୍ଗିଦେବି । ଏବେ ଆଲାର୍ମ ବେଲ୍ ବାଜିଛି ଅର୍ଥ ଆମକୁ ତୁରନ୍ତ ପ୍ରସ୍ଥାନ ଦ୍ୱାର ଆଡ଼କୁ ଧାଇବାକୁ ହେବ ।

କ୍ରମଶଃ

Leave A Reply

Your email address will not be published.