ୱାଶିଂଟନ୍: ଆମେରିକାର ପ୍ରଥମ ରାଷ୍ଟ୍ରପତି ଜର୍ଜ ୱାଶିଂଟନଙ୍କ ଏକ କେଶ ଗୁଚ୍ଛ ୪,୦୦୦ ଡଲାର (ପ୍ରାୟ ୩ ଲକ୍ଷ ୭୦ ହଜାର ଭାରତୀୟ ଟଙ୍କା) ରେ ନିଲାମ ହୋଇଛି । ଏକ ଫ୍ରେମ୍ ଭିତରେ ସୁରକ୍ଷିତ ରଖାଯାଇଥିବା ଏହି କେଶକୁ ରିଚମଣ୍ଡ ଅକ୍ସନ୍ସ ପକ୍ଷରୁ ନିଲାମ କରାଯାଇଛି । ଜୀବନର ଶେଷ ସମୟରେ ୱାଶିଂଟନଙ୍କ ସହ ରହିଥିବା ଜନ୍ ଗାଡ୍ସବିଙ୍କ ପରିବାର ନିକଟରେ ଦୀର୍ଘ ବର୍ଷ ଧରି ଏହି କେଶ ସୁରକ୍ଷିତ ଥିଲା । ୧୭୯୯ ମସିହାରେ ୱାଶିଂଟନଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ସେ ଭର୍ଜିନିଆର ଆଲେକଜାଣ୍ଡ୍ରିଆ ବାସିନ୍ଦା ଜନ୍ ଗାଡ୍ସବିଙ୍କ ଅତିଥି ଥିଲେ । ଗାଡ୍ସବି ୧୭୯୮ ଏବଂ ୧୭୯୯ ରେ ୱାଶିଂଟନଙ୍କ ଶେଷ ଦୁଇଟି ଜନ୍ମଦିନର ଆୟୋଜନ କରିଥିଲେ । ଦୁହିଁଙ୍କ ବନ୍ଧୁତା ଓ ଶେଷ ସମୟର ସାକ୍ଷାତ ଯୋଗୁଁ ଏହି କେଶ ଗୁଚ୍ଛ ଗାଡ୍ସବିଙ୍କ ପାଖକୁ ଆସିଥିଲା । ପରେ ସେ ଏହାକୁ ଫ୍ରେମ୍ କରାଇ ୱାଶିଂଟନ୍ ସିଟିସ୍ଥିତ ନିଜ ଘରେ ୱାଶିଂଟନଙ୍କ ଫଟୋ ତଳେ ଟାଙ୍ଗି ରଖିଥିଲେ । ଗାଡ୍ସବିଙ୍କ ପରିବାରର ବଂଶଧରଙ୍କଠାରୁ ଏହା ସଂଗ୍ରହକାରୀ ଜନ୍ ଲାଟିମରଙ୍କ ହାତକୁ ଯାଇଥିଲା ଏବଂ ଏବେ ନିଲାମ ହୋଇଛି । ତେବେ ନୂଆ କ୍ରେତାଙ୍କ ନାମ ଗୋପନ ରଖାଯାଇଛି ।
ଏହି ନିଲାମ ୱାଶିଂଟନଙ୍କ କେଶର ସବୁଠାରୁ ଦାମୀ ବିକ୍ରି ନୁହେଁ । ୨୦୨୧ ମସିହାରେ ଏକ ଲକେଟ୍ ଭିତରେ ଥିବା ତାଙ୍କ କେଶର ତିନୋଟି ରଖାଯାଇଥିବା ଅଂଶ ପ୍ରାୟ ୪୦,୦୦୦ ଡଲାରରେ ବିକ୍ରି ହୋଇଥିଲା, ଯାହା ତାଙ୍କ ମୃତ୍ୟୁ ସମୟରେ ସଂଗ୍ରହ କରାଯାଇଥିବା ବିଶ୍ୱାସ କରାଯାଏ । ୱାଶିଂଟନଙ୍କ ପୂର୍ବ ବାସଭବନ ତଥା ବର୍ତ୍ତମାନର ସଂଗ୍ରହାଳୟ ମାଉଣ୍ଟ ଭର୍ନନରେ ମଧ୍ୟ ତାଙ୍କର ପ୍ରାୟ ୫୦ଟି କେଶ ନମୁନା ସଂରକ୍ଷିତ ଅଛି । ୧୯ଶ ଶତାବ୍ଦୀରେ ପ୍ରିୟଜନ ବା ସମ୍ମାନନୀୟ ବ୍ୟକ୍ତିଙ୍କ କେଶକୁ ସାଇତି ରଖି ପ୍ରଦର୍ଶନ କରିବାର ପରମ୍ପରା ବେଶ୍ ଲୋକପ୍ରିୟ ଥିଲା । କେବଳ କେଶ ନୁହେଁ, ୱାଶିଂଟନଙ୍କ ସହ ଜଡ଼ିତ ଐତିହାସିକ ସାମଗ୍ରୀ ନିଲାମରେ ବହୁ ଉଚ୍ଚ ଦରରେ ବିକ୍ରି ହେଉଛି । ଚଳିତ ବର୍ଷ ଜୁଲାଇ ମାସରେ କଣ୍ଟିନେଣ୍ଟାଲ୍ ଆର୍ମିରେ ସୈନିକ ନିଯୁକ୍ତି ପାଇଁ ୧୭୭୬ ମସିହାରେ ୱାଶିଂଟନଙ୍କ ଦ୍ୱାରା ଲିଖିତ ଓ ଦସ୍ତଖତଯୁକ୍ତ ଏକ ପତ୍ର ୧୦୯,୮୦୦ ଡଲାରରେ ବିକ୍ରି ହୋଇଥିଲା ।
