Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର(୬୫)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ଭାଗ୍ୟକୁ, ବୀରା ଆଉ କିଛି ପଚାରିବା ପୂର୍ବରୁ ସେ ଜାହାଜର ଜଣେ କର୍ମଚାରୀ ପହଞ୍ଚି କହିଲେ, “ସାର୍ ଓ ମାଡ଼ାମ୍‌, ଦୟାକରି ଏପଟକୁ ଚାଲିଆସନ୍ତୁ । ଆଉ ଏକ ଦଳ ଯାତ୍ରୀ ଏବେ ଏଠାକୁ ଆସିବେ ।” ସେ
ଆଙ୍ଗୁଳି ନିର୍ଦ୍ଦେଶ କରିଥିବା ପ୍ରସ୍ଥାନ ଦ୍ୱାର ଦେଇ ରୋହାନ୍‌, ସିଡ଼୍ ଓ ବୀରା ହଲ୍ ଭଳି ଲାଗୁଥିବା ଗୋଟେ ଖୋଲା ସ୍ଥାନରେ ପହଞ୍ଚିଲେ । ଅନେକ ଯାତ୍ରୀ ଏବଂ ଜାହାଜର କର୍ମଚାରୀ ସେଠାରେ ଜମାହୋଇ ପରସ୍ପର ସହ ସେ ସଂଗୀନ ତଥା ଦୁର୍ଭାଗ୍ୟଜନକ ପରିସ୍ଥିତି ସମ୍ପର୍କରେ ଆଲୋଚନା କରୁଥା’ନ୍ତି ।

“ଇନ୍‌କ୍ୱାରି ଡେସ୍କ”ରେ ଥିବା ମହିଳାଜଣକ ପାଖକୁ ଯାଇ ସିଡ଼୍ ସେମାନଙ୍କ ରହିବା ବ୍ୟବସ୍ଥା ବିଷୟରେ ପଚାରିଲା । ମହିଳାଜଣକ ନିଜ କମ୍ପ୍ୟୁଟରରେ ସିଡ଼୍‌ର ନାଁ ଟାଇପ୍ କରିବା ପରେ ଜଣେଇଦେଲେ, ଯେ ସେ ଦୁଇଭାଇଙ୍କ ନାଁରେ ରୁମ୍ ବ୍ୟବସ୍ଥା ହୋଇ ସାରିଛି । ଉଦ୍ଦିଷ୍ଟ ଫର୍ମ ନେଇ ପୂରଣକରି ସେଠାରେ ଦେବାକୁ ମହିଳାଜଣକ ସିଡ଼୍‌କୁ କହିଲେ । ଏହାପରେ ସେ ରେଜିଷ୍ଟ୍ରେସନ କରିଦେବେ ଓ ସେମାନେ ସେମାନଙ୍କ ରୁମ୍‌କୁ ବ୍ୟବହାର ତା’ପରେ କରିପାରିବେ ବୋଲି ଜଣାଇ, ମହିଳା ଜଣକ ଯେଉଁ ଫର୍ମଟି ସିଡ଼୍‌କୁ ପୂରଣ କରିବା ପାଇଁ ଦେଲେ, ତାହାକୁ ସେ ରୋହାନକୁ ବଢ଼ାଇ ଦେଇ, ମହିଳାଙ୍କୁ ‘ବୀରା ମାହେଶ୍ୱରୀ’ ନାଁ କହି, ବୀରାର ରୁମ୍ ବ୍ୟବସ୍ଥା ବିଷୟରେ ପଚାରିଲା । ପୁଣିଥରେ ତାଙ୍କ କମ୍ପ୍ୟୁଟରେ ବୀରା ନାଁ ଟାଇପ୍ କରି ମହିଳାଜଣକ ବୀରା ଏବଂ ସମୀରା ମାହେଶ୍ୱରୀଙ୍କ ନାଁରେ ଏକ ରୁମ୍ ବ୍ୟବସ୍ଥା ହୋଇଛି ବୋଲି ଜଣାଇବା ପରେ, ସିଡ଼୍ ମହିଳାଜଣଙ୍କୁ ଧନ୍ୟବାଦ ଦେଉଥିଲା, ହଠାତ୍‌ ଅଟକିଗଲା । ବୁଲି ଚାହିଁବା ପରେ ବୀରାକୁ ଦେଖି ସେ ଯେମିତି ଚମକି ପଡ଼ିଲା ।

ବୀରା ଆଁ କରି ଚାହିଁ ରହିଥିଲା, ଗାଲ ଉପର ଦେଇ ଧାର ଧାର ଲୁହ । ଯବଣାରେ ହାତ ମୁଠା ମୁଠା କରି
ପକଉଥାଏ । ମଝିରେ ମଝିରେ କୋହଭରା ଦୀର୍ଘଶ୍ୱାସ ନେଉଥାଏ । ସିଡ଼୍ ରୋହାନ୍ ଆଡ଼କୁ ଚାହିଁଲା ତ ଦେଖିଲା ସିଡ଼୍ ପାଇଁ ରାଗରେ ତା\’ ଆଖି ଲାଲ୍ ପଡ଼ିଗଲାଣି; ଏବଂ ବୀରା ପାଇଁ ଅଜସ୍ର ସମବେଦନା ।

“ବୀରା, ମୋ’ ସହିତ ଆସ । ମୁଁ ଟିକେ ପାଣି ପିଇବାକୁ ଚାହୁଁଛି ।” ବୀରା ଧ୍ୟାନ ହଟେଇବାକୁ ଚେଷ୍ଟାକରି ରୋହାନ୍ ନରମଗଳାରେ କହିଲା । ରୋହାନ୍ ଆଡ଼କୁ କ୍ଷମା ମାଗିବା ଭଳି ଦୃଷ୍ଟିରେ ଥରେ ଚାହିଁଲା ସିଡ୍‌, ଯେତେବେଳେ ରୋହାନ୍ ବୀରାକୁ ଧରି ଅନ୍ୟଆଡ଼କୁ ଚାଲିଯାଉଥିଲା । ଏବେ ରୋହାନ୍‌ର ସବୁତକ ରାଗ ଶାନ୍ତ ହେଲାପରି ଲାଗୁଥିଲା । ଲାଗୁଥିଲା, ସେ ଯେମିତି ବୁଝିପାରିଛି ଯେ, ସିଡ଼୍ ଜାଣିଜାଣି କିଛି କରିନାହିଁ; ଏସବୁ ଯାହା କିଛି ଘଟିଯାଇଛି, ତାହା ସଂଯୋଗବଶତଃ ହିଁ । ସେ ଜାଣିଥିଲା ଯେ ସିଡ଼୍‌, କେବେବି ଜାଣିଜାଣି ଏମିତି ଭୁଲ କରିବ ନାହିଁ । ରୋହାନ୍ ବି ଏମିତି ହିଁ ଭାବିନେବ ବୋଲି ସିଡ଼୍ ନିଶ୍ଚିତ ଥିଲା ।

କ୍ରମଶଃ

Leave A Reply

Your email address will not be published.