ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଭୟଭୀତ ହୋଇ ବୀରା ହଠାତ୍ ଉଠିପଡ଼ିଲା । ବେଡ଼୍ସିଟ୍ରେ ତା\’ର ଗୋଡ଼ ଦୁଇଟି ଛନ୍ଦି ହୋଇଯାଇଥିଲା, ଆଉ ସେ ଥରୁଥିଲା, ଭୀଷଣ ଭାବରେ । ଏସି ଚାଲୁଥିଲା । ମାତ୍ର ଏସିର ଥଣ୍ଡା ହାୱା ଯୋଗୁଁ ନୁହେଁ, ବରଂ ସେ ଦେଖିଥିବା ଏକ ଭୟଙ୍କର ସ୍ୱପ୍ନର ଶିହରଣରେ । ଏବଂ ବିଚିତ୍ର କଥା ହେଲା ଯେ, ସେ ତା’ର କୌଣସି ଦୁଃସ୍ୱପ୍ନକୁ ମନେ ରଖିପାରେନି । ସେ ଭାବେ ଯେ ଏସବୁ ମନେ ନ ରହିବା ବି ଭଲ । ନହେଲେ ଏ ଦୁଃସ୍ୱପ୍ନ ସବୁ ତାକୁ ବରାବର ଖାଇ ଗୋଡ଼େଇଥା’ନ୍ତେ । ଏକମାତ୍ର ସ୍ୱପ୍ନ ଯାହା ସେ ଏଯାଏଁ ମନେ ରଖିଛି, ସେଇଟି ହେଲା, “ରୟାଲ ୟୁରେକା” ଜାହାଜଟି ବୁଡ଼ିଯିବା ପୂର୍ବରୁ ସେ ଦେଖିଥିବା ସ୍ୱପ୍ନ । ସେ ସ୍ୱପ୍ନଟିକୁ ସେ ତା’ ଜୀବନରେ କେବେବି ଭୁଲିପାରିବ ନାହିଁ ।
ସେଇ କିଛି ଦିନ ହେଲା, ସେ ଏକ ଗଭୀର ମାନସିକ ବିଷାଦ ଭିତରେ ଥାଇ ସବୁବେଳ ପାଇଁ ଭାବିହେଉଛି ଯେ ମାମା ଏବଂ ପାପାଙ୍କୁ ଖୋଜା ଚାଲିଛି । ସେମାନେ ନିରାପଦରେ ଥାଆନ୍ତୁ ବୋଲି ବୀରା ନିରନ୍ତର ପ୍ରାର୍ଥନା କରିଚାଲିଛି । ଦୁଃଖ ଜର୍ଜରିତ ତା’ ହୃଦୟକୁ ସେ ଏୟା ସାନ୍ତ୍ୱନା ଦେବାକୁ ବି ଚେଷ୍ଟା କରୁଥିଲା ଯେ, ଏମିତି ସମ୍ଭାବନାଟିଏ ବି ଥାଇପାରେ ଯେ ସମୀରା ଦି’ ହୁଏତ କେଉଁ ଏକ ଲାଇଫ୍ବୋଟ୍ରେ କୌଣସି ପ୍ରକାରେ ଉଠିଯାଇ ନିଜକୁ ବଞ୍ଚେଇ ନେଇଥିବ । ତଥାପି, ତା’ ହୃଦୟରେ ନିଭୃତ କେଉଁ ଏକ କୋଣରୁ କିଏ ତାକୁ ଯେମିତି କହୁଥିଲା ଯେ, ତା’ ସମୀରା ଦି’ ଏମିତି ଏକ ଅଜଣା ଇଲାକାକୁ ଚାଲିଯାଇଛି, ଯେଉଁଠି ବୀରା ଯେତେ ଡାକିଲେ ବି, ସେ ଫେରିଆସି ପାରିବ ନାହିଁ । କିନ୍ତୁ, ଏ ପ୍ରକାରର ବାସ୍ତବତାକୁ ସେ ଗ୍ରହଣ କରିବାକୁ ରାଜି ନଥିଲା ।
ବର୍ତ୍ତମାନକୁ ଫେରିଆସିଲା ବୀରା । ତା’ରୁମ୍ର ଜଣିକିଆ ଖଟଉପରେ ସ୍ଥାଣୁ ହୋଇ ବସିଥିଲା । ପ୍ରଥମେ ତାକୁ ଦୁଇଟା ଖଟ ଥିବା ଗୋଟିଏ ରୁମ୍ ମିଳିଥିଲେ ବି, ସେ ଜାହାଜ କର୍ମଚାରୀଙ୍କୁ ଅନୁରୋଧ କରି ଜଣିକିଆ
ଖଟଥିବା ରୁମ୍ଟିଏ ପାଇଁ ଇଚ୍ଛା ପ୍ରକାଶ କରିଥିଲା । ଦୁଇଜଣିକିଆ ଖଟଥିବା ରୁମ୍ଟିର ଖାଲି ଖଟକୁ ଦେଖି ବୀରା ହୃଦୟ କାନ୍ଦି ଉଠିଥା’ନ୍ତା । କେଉଁ ଏକ ଅଜଣା କାରଣରୁ ତାର ହୃଦୟର ସ୍ପନ୍ଦନ ତୀବ୍ର ହୋଇ ଚାଲିଥିଲା । ତାକୁ କେମିତି ଲାଗୁଥିଲା ଆଜି ନିଶ୍ଚୟ କିଛି ଅଶୁଭ ଘଟଣା ଘଟିବ । ଏବେ ସେ ତକିଆରେ ମୁଣ୍ଡରଖି ଛାତ ଉପରକୁ ଚାହିଁ ରହିଥାଏ । କିନ୍ତୁ ପ୍ରକୃତରେ ତା’ ଆଖି କିଛି ବି ଦେଖିପାରୁ ନଥାଏ ।
କ୍ରମଶଃ
Comments are closed.