ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ୟା’ ପରେ କ’ଣ ହେଲା, ବୀରା କିଛି ବି ମନେ ପକେଇ ପାରେନା । କେବଳ ଏତିକି ସେ ଅନୁଭବ କରିଥିଲା ଯେ ତା’ ଚାରିପାଖର ପୃଥିବୀ ହଠାତ୍ ଘୂରିବାକୁ ଆରମ୍ଭ କରିଥିଲା । ତା’ର ସମଗ୍ର ଦେହ ଅବଶ ହୋଇଯାଉଥିଲା, ସେ ଆଉ ଅଧିକ ସମୟ ଏସବୁ ଗ୍ରହଣ କରିପାରିବାର ଅବସ୍ଥାରେ ନଥିଲା । ତା’ ସମଗ୍ର ଶକ୍ତି ହଜି ସାରିଥିଲା କେଉଁ ଅତଳ ଗର୍ଭରେ, ଏବଂ ସେ ଚେତାଶୂନ୍ୟ ହୋଇଯାଇଥିଲା । ସବୁକିଛି ଅନ୍ଧାର ଭିତରେ ଏବେ ।
ହାତକୁ ମୁଠାକରି ବ୍ୟସ୍ତବିବ୍ରତ ହୋଇ ଅସ୍ଥିର ହୋଇ ରୁମ୍ ଭିତରେ ଏପଟ ସେପଟ ହେଉଥିଲା ରୋହାନ୍ । ମୁହଁଯାକ ଝାଳ ଭର୍ତ୍ତି । ତାକୁ ଦେଖି କ୍ଲାନ୍ତ ହୋଇପଡ଼ିଥିବା ସିଡ଼୍ କହିଲା, “ଭାଇ ତମେ ଏଠି ଯେତିକି ଚାଲିଲଣି, ସିଧାରାସ୍ତାରେ ସେତିକି ଚାଲିଥିଲେ ଯାଇ ମୁମ୍ବାଇରେ ପହଞ୍ଚି ସାରନ୍ତଣି ।” ବିବ୍ରତ ହୋଇ ସିଡ଼୍କୁ ଚାହିଁ ରୋହାନ୍ କହିଲା, “ଏବେ ମୁଁ ଦୁଇଟା କଥାକୁ ନେଇ ଚିନ୍ତିତ । ପ୍ରଥମ କଥା ହେଲା ବୀରାର ସ୍ୱାସ୍ଥ୍ୟ ଆଉ ଦ୍ୱିତୀୟ କଥା ହେଲା, ଚେତା ଆସିବା ପରେ ବୀରାର ପ୍ରତିକ୍ରିୟା କେମିତି ହେବ! ହଁ, ମୁଁ ତତେ ଏକଥା ବି କହିନି ଯେ ତା’ ହାତରେ ସେ “ସନ୍ଧାନ ରିପୋର୍ଟ”ଟି ଗୁଞ୍ଜି ହୋଇଥିଲା ବୋଲି ମୁଁ ଦେଖିଛି । ଚିରା ହୋଇଥିବା
ଲଫାପାଟି ତା’ ପାଦ ପାଖରେ ପଡ଼ିଥିଲା । ଅର୍ଥାତ୍ ସେ ଚିଠିଟା ବୀରା ପଢ଼ିଛି ଆଉ ସେଇଥି ପାଇଁ ସେ ମୁର୍ଚ୍ଛା ହୋଇଯାଇଛି ।”
“ମୋ ସାଙ୍ଗେ ଥଟ୍ଟା କରୁଛ ନା କ’ଣ?” ହଠାତ୍ ଉଠି ଠିଆହୋଇ ପଡ଼ି ସିଡ଼୍ କହିଲା । “ସତରେ ଏ କଥାଟା ଥଟ୍ଟା ହିଁ ହୋଇଥା’ନ୍ତା କି! କିନ୍ତୁ ଏ କଥା ପୁରା ସତ ।
ବୀରା ତା’ ସମ୍ପୂର୍ଣ୍ଣ ପରିବାରଟିକୁ ହରେଇ ସାରିଛି ।” ଉଦାସ ହୋଇ ରୋହାନ୍ କହିଲା । ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଗୋଟେ ଖଟ ଉପରେ ଅଚେତ ହୋଇ ପଡ଼ିଥିବା ବୀରାକୁ ଦୁଃଖ ଓ ସମବେଦନାରେ ସିଡ଼୍ ଚାହିଁ ରହିଥାଏ । ଏତିକିବେଳେ ଜଣେ ନର୍ସ ଆସି ବୀରାର ବ୍ଲଡ଼ପ୍ରେସର୍ ପରୀକ୍ଷା କରୁ କରୁ କହିଲେ, “ଆପଣଙ୍କ ପାଇଁ ଗୋଟିଏ ଫୋନ୍ କଲ୍ ଅଛି ମିଃ. ରୋହାନ୍ ପରିମଲ୍ ।”
ବୀରାକୁ ଧ୍ୟାନ ଦେବା ପାଇଁ ସିଡ଼୍କୁ ଇଶାରାରେ ସୂଚେଇ ଦେଇ ରୋହାନ୍ ରୁମ୍କୁ ବାହାରିଗଲା ।
Comments are closed.