Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୮୧)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

ସାରାଜୀବନ ସେ ଯେତିକ ଲୁହ ଝରେଇଛି, ତା’ଠାରୁ ଅନେକ ଅଧିକ ଲୁହ ତା’ ଆଖିରୁ ଝରିଚାଲିଛି ଏଇ ଦୁଇ ତିନି ସପ୍ତାହ ହେବ । “ଆରେ ଠିକ୍ ଅଛି । ବ୍ୟସ୍ତ ହୁଅନି । ସତ କହୁଛି, ମୁଁ କିଛି ଖରାପ ଭାବିନି । ତମ ଜାଗାରେ ଯଦି ମୁଁ ଥାଆନ୍ତି, ତେବେ ଏତେସବୁ ଘଟିଗଲା ପରେ ହୁଏତ ଜୀବନ ଉପରୁ ପୁରା ଆଶା ଛାଡ଼ି ଦେଇଥାଆନ୍ତି । ଯେଉଁଭଳି ଭାବରେ ତମେ ସମୟ ସହ ସାଲିସ୍‌ କରିନେଲ, ଗୋଟେ ବିରାଟ ପରିପକ୍ୱତା ସହ – ସତରେ ଅବିଶ୍ୱସନୀୟ । ଦୃଷ୍ଟାନ୍ତମୂଳକ ।”

ବୀରାର ଆତ୍ମବିଶ୍ୱାସ ବଢ଼େଇବାକୁ ଚେଷ୍ଟାକରି ରୋହାନ୍ ଟିକେ ହସିଦେଇ କହିଲା ।

“ତମେମାନେ କୋଉ ବିଷୟରେ କଥା ହେଉଛ?” ନିଜ କାନ୍ଧରେ ବ୍ୟାଗ୍‌ର ବୋଝ ସମ୍ଭାଳି, ତାଙ୍କ ସହ ତାଳ ଦେଇ ଚାଲିବାକୁ ଚେଷ୍ଟା କରୁ କରୁ ସିଡ଼୍ ପଚାରିଲା । “ଆରେ ନାଇଁ, ସେମିତି କିଛି ନାହିଁ । ଇଆଡ଼ୁ ସିଆଡ଼ୁ କିଛି କଥା ହେଉଥିଲୁ ।” ତାକୁ ବୁଲି ଚାହିଁ ବୀରା କହିଲା ।

ଖସି ପଡ଼ୁଥିବା ବ୍ୟାଗ୍‌ଗୁଡ଼ିକୁ ପୁଣି ଥରେ କାନ୍ଧ ଉପରକୁ ଉଠେଇ ନେଇ ସିଡ଼୍ ଖାଲି ମୁଣ୍ଡ ହଲେଇଲା । ତାକୁ ଦେଖିଲେ ଲାଗୁଥାଏ, ସେ ଯେମିତି ବ୍ୟାଗ୍‌ଗୁଡ଼ିକର ଓଜନରେ ବହୁତ କଷ୍ଟ ପାଉଛି । ଏକଥା ଦେଖିପାରି, ରୋହାନ୍ ତା’ ହାତରୁ ଗୋଟେ ବ୍ୟାଗ୍ ନେଇଆସି ତାକୁ ଟିକେ ହାଲ୍‌କା କରିଦେବାରେ, ସିଡ଼୍ ଖୁସିରେ ଟିକେ ହସିଦେଇ ତାକୁ ଧନ୍ୟବାଦ ଜଣାଇଲା ।

ସ୍ମିତହସଟିଏ ଖେଳେଇ, ଦୁଇଭାଇଙ୍କ ଭିତରର ଭଲପାଇବା ଓ ବୁଝାମଣାକୁ, ବୀରା ଉପଭୋଗ କରୁଥିଲା । “ସିଡ଼୍‌ର ତା’ ଡାଡ଼୍‌ଙ୍କ ସହିତ ସମ୍ପର୍କ ହୁଏତ ଟିକିଏ ରୁକ୍ଷ ହୋଇଥାଇପାରେ, ତା’ ମମ୍‌ଙ୍କ ସହିତ ବି ସେଇୟା ହୋଇଥାଇପାରେ ହୁଏତ, କିନ୍ତୁ ତା’ ଭାଇ ହେଉଛି ତା’ର ସବୁତକ ଶକ୍ତି,” ବୀରା ଖୁସିହୋଇ ଭାବୁଥିଲା । ଦୁଇଭାଇଙ୍କର ଏ ପ୍ରକାର ବୁଝାମଣା ଓ ସ୍ନେହର ସମ୍ପର୍କ ବୀରାକୁ ସମୀରା ଦି’ କଥା ମନେପକେଇ ଦେଲା । ସମୀରା ଦି’ ମଧ୍ୟ ବୀରା କଥା ଠିକ୍‌ଠିକ୍‌ ବୁଝିନେଇପାରେ, ସେ ମୁହଁ ଖୋଲି ସବୁକିଛି ନ କହିଲେ ବି । ସମୀରା ଦି’ କଥା ମନେପଡ଼ିବା ମାତ୍ରେ, ତା\’ର ମାମା ଆଉ ବାବାଙ୍କ କଥା ମନେପଡ଼ି ଆଖି ଛଳଛଳ ହୋଇ ଉଠିଲା । ମନେ ପଡ଼ିଗଲା, ମାମା କେମିତି ଗାଳିଦେଲେ, ସେ ଖୁବ୍ ବିରକ୍ତ ହୋଇଯାଏ । କିନ୍ତୁ, ଏବେ ମନେ ପଡ଼ିଲେ, ସେଇ ଗାଳି ମଧ୍ୟ ଦୁର୍ଲ୍ଲଭ ଆଉ ଖୁବ୍ ମଧୁର ମନେ ହେଉଛି ।

 

Leave A Reply

Your email address will not be published.