Latest Odisha News

ମଣିପୁରରେ ଲଜ୍ଜା: ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ କରି ରାସ୍ତାରେ ଉଲଗ୍ନ କରି ବୁଲାଇଲେ

ଇମ୍ଫାଲ: ଗତ ଦୁଇ ମାସ ଧରି ମଣିପୁରରେ ଜାତିଗତ ହିଂସା ନିଆଁରେ ଜଳୁଛି। ଏସବୁ ମଧ୍ୟରେ ରାଜ୍ୟରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ମରିଯାଇଛି ମାନବିକତା। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ଲୋକ ଦୁଇ ମହିଳାଙ୍କୁ ଉଲହ୍ନ କରି ରାସ୍ତାରେ ଚଲାଇ ଚଲାଇ ନେଉଛନ୍ତି। କେବଳ ଏତିକି ନୁହେଁ, ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଉଭୟ ମହିଳାଙ୍କୁ ଗଣଦୁଷ୍କର୍ମ ମଧ୍ୟ କରାଯାଇଥିବା ଅଭିଯୋଗ ହୋଇଛି।

ଏହି ଘଟଣା ପରେ ମଣିପୁରରେ ଉତ୍ତେଜନା ବୃଦ୍ଧି ପାଇଛି। ଏଥି ସହିତ ଆଦିବାସୀ ମହିଳାମାନଙ୍କ ସହ ହୋଇଥିବା ଏହି ଭୟଙ୍କର କାର୍ଯ୍ୟକୁ ଆଦିବାସୀ ନେତାମାନେ ଦୃଢ ନିନ୍ଦା କରିଛନ୍ତି। ମଣିପୁରର ରାଜଧାନୀ ଇମ୍ଫାଲଠାରୁ ୩୫ କିଲୋମିଟର ଦୂର କାଙ୍ଗପୋକ୍ପି ଜିଲ୍ଲାର।  ଭିଡିଓଟି ମେ ୪ ତାରିଖର ବୋଲି କୁହାଯାଉଛି। ଭିଡିଓ ସାମ୍ନାକୁ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଦାବି ହେଉଛି।

ଅନ୍ୟପଟେ ଏହି ଘଟଣାରେ ସରକାରଙ୍କ ବୟାନ ମଧ୍ୟ ଆସିଛି। କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଟ୍ୱିଟ୍ କରି କହିଛନ୍ତି, ମଣିପୁରର ଦୁଇ ମହିଳାଙ୍କୁ ଯୌନ ଶୋଷଣର ଭୟାନକ ଭିଡିଓ ନିନ୍ଦନୀୟ ଏବଂ ଅମାନବୀୟ। ଘଟଣା ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କ ସହ କଥା ହୋଇଥିଲେ। ତଦନ୍ତ ଜାରି ରହିଥିବା ସେ କହିଛନ୍ତି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ନିଶ୍ଚିତ କରିଛନ୍ତି।

ଏଥି ସହ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ଘଟଣାରେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନିରବତା ମଣିପୁରକୁ ଅରାଜକତା ଆଡକୁ ଠେଲି ଦେଇଛି। ମଣିପୁରରେ ଭାରତର ବିଚାର ଉପରେ ଆକ୍ରମଣ କରାଯାଉଥିବାବେଳେ ଇଣ୍ଡିଆ (ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ୍ ଇନକ୍ଲୁସିଭ୍ ଆଲାଏନ୍ସ) ଚୁପ୍ ରହିବ ନାହିଁ। ଆମେ ମଣିପୁରର ଲୋକଙ୍କ ସହିତ ଠିଆ ହୋଇଛୁ, ଶାନ୍ତି ହେଉଛି ଏକମାତ୍ର ମାର୍ଗ।

ଏହି ଭାଇରାଲ ଭିଡିଓ ଉପରେ ମଣିପୁର ପୋଲିସ ଏକ ବୟାନ ଜାରି କରିଛି। ପୋଲିସ କହିଛି ଯେ ମେ ୪ ତାରିଖର ଦିନ ଦୁଇ ମହିଳାଙ୍କୁ ଉଲଗ୍ନ କରି ପ୍ୟାରେଡ୍ କରାଯିବା ଘଟଣାରେ ନୋଙ୍ଗପୋକ ସେକମାଇ ଥାନାରେ ଦୁଷ୍କର୍ମକାରୀଙ୍କ ବିରୋଧରେ ଅପହରଣ, ଗଣଦୁଷ୍କର୍ମ ଆଦି ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ରାଜ୍ୟ ପୋଲିସ ସମସ୍ତ ଉଦ୍ୟମ କରୁଛି।

ସୂଚନା ଥାଉକି ଅନୁସୂଚିତ ଜନଜାତି (ଏସଟି) ମାନ୍ୟତା ଦାବିରେ ମେ ୩ ତାରିଖରେ ପାହାଡ଼ିଆ ଜିଲ୍ଲାଗୁଡ଼ିକରେ ‘ଆଦିବାସୀ ଏକତା ପଦଯାତ୍ରା’ ଆୟୋଜନ କରାଯିବା ପରେ ସଂଘର୍ଷ ଆରମ୍ଭ ହୋଇଥିଲା। ଏହି ହିଂସାକାଣ୍ଡରେ ଏପର୍ଯ୍ୟନ୍ତ ଅତି କମରେ ୧୫୦ ଜଣ ପ୍ରାଣ ହରାଇଛନ୍ତି। ତେବେ ଭିଡିଓ ଭାଇରାଲ ଘଟଣାକୁ ନେଇ ସାରା ଦେଶରେ ଉତ୍ତେଜନା ଓ ବିରୋଧ ପ୍ରକାଶ ପାଇଛି ।

Leave A Reply

Your email address will not be published.