ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ବୀରା! ସିଆଡ଼େ କୁଆଡ଼େ ଯାଉଛ?” ପଛପଟୁ ରୋହାନ୍ର ଡାକରେ ବୀରା ତା’ ଯନ୍ତ୍ରଣା ସିକ୍ତ ସ୍ମୃତି ରୋମନ୍ଥନରୁ ଫେରିଆସି ପଛକୁ ଚାହିଁଲା । ନିଜ ଭାବନାରେ ହଜିଯାଇ, ତାଙ୍କ ଟାକ୍ସି ଛିଡ଼ା ହୋଇଯିବା ସ୍ଥାନରୁ ସେ ଆହୁରି ଆଗକୁ କେତେବେଳେ ଚାଲିଯାଇଥିଲା, ବୀରା ଜାଣିପାରି ନଥିଲା । ମିଃ. ପରିମଲ, ତାକୁ ଫେରି ଆସିବାକୁ ପଛକୁ, ହାତଠାରି ଇଶାରା ଦେଉଥିଲେ । ଟିକେ ଅପ୍ରସ୍ତୁତ ହୋଇଯାଇ ବୀରା କହିଲା, “ହଁ, ଅଙ୍କଲ୍ । ଆସୁଛି ଆସୁଛି ।”
ଟାକ୍ସିର ଡୋର୍ ଖୋଲୁଖୋଲୁ ସିଡ଼୍ ବୀରାକୁ କହିଲା, “ତମ ଭାବନା ସକାଶେ ବି ସେ ଯେତିକ ଲୁହ ଝରେଇଛି, ତା’ଠାରୁ ଅନେକ ଅଧିକ ଲୁହ ତା\’ ଆଖିରୁ ଝରିଚାଲିଛି ଏଇ ଦୁଇତିନି ସପ୍ତାହ ହେବ । “ଆରେ ଠିକ୍ ଅଛି । ବ୍ୟସ୍ତ ହୁଅନି । ସତ କହୁଛି, ମୁଁ କିଛି ଖରାପ ଭାବିନି । ତମ ଜାଗାରେ ଯଦି ମୁଁ ଥାଆନ୍ତି, ତେବେ ଏତେସବୁ ଘଟିଗଲା ପରେ ହୁଏତ ଜୀବନ ଉପରୁ ପୁରା ଆଶା ଛାଡ଼ି ଦେଇଥାଆନ୍ତି । ଯେଉଁଭଳି ଭାବରେ ତମେ ସମୟ ସହ ସାଲିସ୍ କରିନେଲ, ଗୋଟେ ବିରାଟ ପରିପକ୍ୱତା ସହ – ସତରେ ଅବିଶ୍ୱସନୀୟ । ଦୃଷ୍ଟାନ୍ତମୂଳକ ।”
ବୀରାର ଆତ୍ମବିଶ୍ୱାସ ବଢ଼େଇବାକୁ ଚେଷ୍ଟାକରି ରୋହାନ୍ ଟିକେ ହସିଦେଇ କହିଲା ।
“ତମେମାନେ କୋଉ ବିଷୟରେ କଥା ହେଉଛ?” ନିଜ କାନ୍ଧରେ ବ୍ୟାଗ୍ର ବୋଝ ସମ୍ଭାଳି, ତାଙ୍କ ସହ ତାଳ ଦେଇ ଚାଲିବାକୁ ଚେଷ୍ଟା କରୁ କରୁ ସିଡ଼୍ ପଚାରିଲା । “ଆରେ ନାଇଁ, ସେମିତି କିଛି ନାହିଁ । ଇଆଡ଼ୁ ସିଆଡ଼ୁ କିଛି କଥା ହେଉଥିଲୁ ।” ତାକୁ ବୁଲି ଚାହିଁ ବୀରା କହିଲା । ଖସିପଡ଼ୁଥିବା ବ୍ୟାଗ୍ଗୁଡ଼ିକୁ ପୁଣି ଥରେ କାନ୍ଧ ଉପରକୁ ଉଠେଇ ନେଇ ସିଡ଼୍ ଖାଲି ମୁଣ୍ଡ ହଲେଇଲା । ତାକୁ ଦେଖିଲେ ଲାଗୁଥାଏ, ସେ ଯେମିତି ବ୍ୟାଗ୍ଗୁଡ଼ିକର ଓଜନରେ ବହୁତ କଷ୍ଟ ପାଉଛି । ଏକଥା ଦେଖିପାରି, ରୋହାନ୍ ତା’ ହାତରୁ ଗୋଟେ ବ୍ୟାଗ୍ ନେଇଆସି ତାକୁ ଟିକେ ହାଲ୍କା କରିଦେବାରେ, ସିଡ଼୍ ଖୁସିରେ ଟିକେ ହସିଦେଇ ତାକୁ ଧନ୍ୟବାଦ ଜଣାଇଲା ।
ସ୍ମିତହସଟିଏ ଖେଳେଇ, ଦୁଇଭାଇଙ୍କ ଭିତରର ଭଲପାଇବା ଓ ବୁଝାମଣାକୁ, ବୀରା ଉପଭୋଗ କରୁଥିଲା । “ସିଡ଼୍ର ତା’ ଡାଡ଼୍ଙ୍କ ସହିତ ସଂପର୍କ ହୁଏତ ଟିକିଏ ରୁକ୍ଷ ହୋଇଥାଇପାରେ, ତା’ ମମ୍ଙ୍କ ସହିତ ବି ସେଇୟା ହୋଇଥାଇପାରେ ହୁଏତ, କିନ୍ତୁ ତା\’ ଭାଇ ହେଉଛି ତା\’ର ସବୁତକ ଶକ୍ତି,” ବୀରା ଖୁସିହୋଇ ଭାବୁଥିଲା ।
Comments are closed.