ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ଯାତ୍ରାଟା ଆରାମଦାୟକ ଥିଲା ତ ପିଲାମାନେ? ଆଚ୍ଛା, ହଁ, ବୀରା, ତମ ଅଙ୍କଲ ଓ ଆଣ୍ଟିଙ୍କ ସହ ସୁରେଖା କଥା ହୋଇଥିଲା । ସେମାନେ ଏବେ ସିମ୍ଲାରେ ସପ୍ତାହେ ହେଲା ଛୁଟି ମନଉଛନ୍ତି । ଏ ଘଟଣା ବିଷୟରେ ଜାଣିବା ପରେ ସେମାନେ ଖୁବ୍ ମର୍ମାହତ । ସାଙ୍ଗେସାଙ୍ଗେ ସେଠୁ ଫେରିଆସିବାକୁ ଏକରକମ ଜିଦ୍କ ରୁଥିଲେ । କିନ୍ତୁ ଆମେ ତାଙ୍କୁ ଏମିତି କରିବାକୁ ବାରଣ କଲୁ । ଏ ଚାରିଦିନ ତମେ ଆମ ପାଖରେ ରହିଲେ ଆମେ ଖୁସି ହେବୁ ବୋଲି ତାଙ୍କୁ ଜଣେଇ ଦେଇଛୁ । ଠିକ୍ କରିଛୁ ନା ବୀରା?”
ତା’ ଡାଡ଼୍ଙ୍କ କଥାକୁ ନାପସନ୍ଦ କଲା ଭଳି ସିଡ଼୍ କହିଲା, “ଏଥିରେ ପଚାରିବାର କ’ଣ ଅଛି? ବୀରା ତ ଏଥିରେ ଖୁସି ହେବ ନିଶ୍ଚୟ ।” ମୁହଁରେ ଏକ କୃତ୍ରିମ ହସ ଖେଳାଇ, ମିଃ. ପରିମଲ ଅତ୍ୟନ୍ତ ରୁକ୍ଷ ସ୍ୱରରେ ସିଡ଼୍କୁ କହିଲେ, “ମୁଁ ବୀରା କିମ୍ବା ଅନ୍ୟ କାହାସହ କଥା ହେଲାବେଳେ, କେବେ ବି ଉପରେ ପଡ଼ି କିଛି କହିବୁନି । ମନେରଖ ସିଦ୍ଧାର୍ଥ!” ବୀରା ପରି ରୋହାନ୍ ବି ଅନୁଭବ କଲା ଯେ ପରିସ୍ଥିତିଟା ଖରାପ ଦିଗରେ ଗତି କରୁଛି, ଏବଂ ସେଥିରୁ ଦୂରେଇ ରହିବାକୁ ଚେଷ୍ଟା କଲା । “ଡ଼ାଡ଼୍, ମୁଁ ଏ ବିଷୟରେ ବୀରା ସାଙ୍ଗରେ ଆଗରୁ କଥା ହୋଇ ସାରିଛି । ତା’ର କିଛି ଅସୁବିଧା ନାହିଁ ।” ସମସ୍ତଙ୍କ ବାର୍ଚାାଳାପରେ ପରିସମାପ୍ତି ଘଟାଇ ରୋହାନ୍ ଏତକ କହିଲା ।
ବୀରା ସହ ପ୍ରଥମ ଭେଟ ହେଲାବେଳକୁ ମିସେସ୍ ସୁରେଖା ପରିମଲ୍ ଏମିତି ଦେଖାଯାଉଥା’ନ୍ତି, ସତେ ଯେମିତି ସେ ଜଣେ ମିସ୍ ଇଣ୍ଡିଆ ବିଜୟିନୀ । ଲମ୍ବା ଏବଂ ଗହଳିଆ କେଶ ଅତ୍ୟନ୍ତ ସୁନ୍ଦର ଭାବେ ବେଣୀ ବନ୍ଧାହୋଇ ଗୋଟିଏ ସୁନେଲୀ ରଙ୍ଗରେ ରବର ବ୍ୟାଣ୍ଡରେ ବନ୍ଧା ହୋଇଥାଏ । ଯତ୍ନର ସହ ଲଗା ଯାଇଥିବା, କଜ୍ଜ୍ୱଳ ଧାରରେ ତାଙ୍କର ସୁନ୍ଦର ଆଖି ଦୁଇଟି, ଯାହା ରୋହାନ୍ ଓ ସିଡ଼୍ର ଆଖିସହ ମେଳ ଖାଉଥିଲା, ଖୁବ୍ ଆକର୍ଷଣୀୟ ଲାଗୁଥିଲା । ଗୋଟିଏ ବେଙ୍ଗଲୀ ଧଳା ଏବଂ ନାଲି ଶାଢ଼ୀ, ହାଲ୍କା ସୁନେଲୀ ରଙ୍ଗର କାନଫୁଲ ଓ ହାରରେ ସେ ଚମତ୍କାର ଦିଶୁଥିଲେ ।
କ୍ରମଶଃ
Comments are closed.