Latest Odisha News

BREAKING NEWS

ମାଛକୁଣ୍ଡ ପୋଲିସକୁ ସଫଳତା: ୧୧୨ କେଜି ଗଞ୍ଜେଇ ଜବତ, ବାଇକ ସହ ୫ ଗିରଫ

କୋରାପୁଟ: ପୁଣି ମାଛକୁଣ୍ଡ ପୋଲିସକୁ ମିଳିଲା ବଡ ସଫଳତା। ମାଲକାନଗିରି ଜିଲ୍ଲାରୁ ଜୟପୁରକୁ ଗଞ୍ଜେଇ ଚାଲାଣ ବେଳେ ଅନକାଡେଲି ଅଞ୍ଚଳରେ ମାଡିବସିଲା ମାଛକୁଣ୍ଡ ପୋଲିସ। ଘଟଣାରେ ୧୧୨ କିଲୋ ୮୦୦ ଗ୍ରାମ ଗଞ୍ଜେଇ ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତମାନେ ବାଇକରେ ଗଞ୍ଜେଇ ଚାଲାଣ କରୁଥିବା ବେଳେ ମାଡିବସିଥିଲା ପୋଲିସ ଟିମ୍। ତେବେ ବାଇକରୁ ୫ଟି ବସ୍ତାରେ ଗଞ୍ଜେଇ ପାଇଥିଲେ। ଘଟଣାରେ ଉକ୍ତ ବାଇକଗୁଡିକୁ ମଧ୍ୟ ଜବତ କରିଛି ପୋଲିସ।

ଅଭିଯୁକ୍ତମାନେ ହେଲେ ଲକ୍ଷ୍ମଣ ମାଝି, ଦେବ ସିସା, ଦେବ ଦୁରିଆ, ସୋନୁ ପାଙ୍ଗି। ଏହି ଚାରି ଅଭିଯୁକ୍ତ ମାଛକୁଣ୍ଡ ଥାନା ଅଞ୍ଚଳର ବୋଲି ଜଣାପଡିଛି। ଅନ୍ୟ ଜଣେ ଅଭିଯୁକ୍ତ ଜୟପୁରର ବାରିଣୀପୁଟ ଅଞ୍ଚଳର ସୁମିତ ଖରା ଥିବା ଜଣାପଡିଛି। ତେବେ ଘଟଣା ସମ୍ପର୍କରେ ମାଛକୁଣ୍ଡ ପୋଲିସର ଏକ ଟିମ ସୂଚନା ପାଇ ଅନକାଡେଲି ଅଞ୍ଚଳର ଛକ ନିକଟରେ ଚେକିଂ କରୁଥିଲା। ଏହି ସମୟରେ ଧରାପଡିଥିଲେ ବାଇକ ଯୋଗେ ଗଞ୍ଜେଇ ଚାଲାଣ କରୁଥିବା ପାଞ୍ଚ ଅଭିଯୁକ୍ତ।

ତେବେ ଅତି ଭୋରରୁ ଚେକିଂ ଚାଲିଥିବା ବେଳେ ଅଭିଯୁକ୍ତଙ୍କ ସାଙ୍ଗରେ ଥିବା ଅନ୍ୟ ପାଞ୍ଚ ଅଭିଯୁକ୍ତ ଘଞ୍ଚ ଜଙ୍ଗଲ ଏବଂ ଅନ୍ଧକାରର ସୁଯୋଗ ନେଇ ଘଟଣାସ୍ଥଳରୁ ଫେରାର ହେବାରେ ସଫଳ ହୋଇଥିଲେ। ଏସଆଇ ଚିତ୍ତ ପ୍ରଧାନୀ ଏହି ମାମଲାର ତଦନ୍ତ କରୁଛନ୍ତି। ଏସଆଇ ଏସ.କେ ସେଠି, ଏଏସଆଇ ମାଝି ଏବଂ ଅନ୍ୟ ପୋଲିସ ଅଧିକାରୀଙ୍କ ମିଳିତ ଟିମ୍ ଏହି ଚଢାଉରେ ସାମିଲ ଥିଲେ। ତେବେ ଏନଡିପିଏସ ଧାରା ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିବ ପୋଲିସ।

Leave A Reply

Your email address will not be published.