ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
ଖୁବ୍ ଉତ୍ସାହର ସହ ସିଡ଼୍ ମୁଣ୍ଡ ହଲେଇଲା । କାରଣ ଏଇ କଥା ପାଇଁ ତା’ ପାଖରେ ଉତ୍ତରଟେ ପ୍ରସ୍ତୁତ ଥିଲା । “ହଁ, ମୁଁ ଜାଣେ ସେକଥା । ମୁଁ କିଛି ଅନ୍ଲାଇନ୍ ପ୍ରୋଗ୍ରାମ୍ ଓ ବ୍ରୋସ୍ୟୁର୍ ପଢ଼ିସାରିଛି । କଣ୍ଠସ୍ୱର ଠିକ୍ ଭାବରେ ଉନ୍ନତ କରିବା ପାଇଁ ସେମାନେ କ୍ଲାସ୍ କରୁଛନ୍ତି । ଅବଶ୍ୟ କିଛି ଫିଇଜ୍ ଦେବାକୁ ହେବ । ସେଠି ନାମ ଲେଖାଇବାକୁ ମତେ ଗୋଟେ ପରୀକ୍ଷାରେ ପାସ୍ କରିବାକୁ ପଡ଼ିବ । ସେ ଅନୁଷ୍ଠାନରୁ ଗ୍ରାଜୁଏଟ୍ ହେଲା ପରେ ଅଭ୍ୟାସ କରିବା ପାଇଁ କୌଣସି ବି ବ୍ୟାଣ୍ଡ୍ରେ ଯୋଗ ଦେଇ ପାରିବି । ୟା’ଛଡ଼ା ଆଉ ଗୋଟେ ବାଟ ଅଛି – ୟୁ ଟ୍ୟୁବ୍ ସହ ପାର୍ଟଟାଇମ୍ ଯୋଡ଼ି ହେବା । ସେଠି ଅନ୍ଲାଇନ୍ ଭିଡ଼ିଓ ତିଆରି କରି ଯଥେଷ୍ଟ
ସଂଖ୍ୟାରେ ସବ୍ସ୍କ୍ରିପ୍ସନ୍ ପାଇ ପାରିଲେ, ଭଲ ରୋଜଗାର କରିହେବ । ଏଇଟା ହିଁ ମୋ’ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସ୍ୱପ୍ନ ।” ଗୋଟେ ପାଞ୍ଚବର୍ଷର ଛୋଟ ପିଲାକୁ ବଡ଼ ଚକୋଲେଟ୍ ଦେବାର ପ୍ରତିଶ୍ରୁତି ମିଳିଲେ ସେ ଯେମିତି ଉତ୍ସାହିତ ହୋଇ ପଡ଼ିବ, ସେମିତି ଉତ୍ସାହିତ ଲାଗୁଥିଲା ସିଡ଼୍ ।
“କଥା ଅଧାରୁ ତତେ ଅଟକାଉଥିବାରୁ, ମୁଁ ଦୁଃଖିତ । କିନ୍ତୁ ମୋ\’ର ଆଉ ଗୋଟେ ପ୍ରଶ୍ନ ଅଛି – ଡାଡ଼୍ ଆଉ ମମ୍ଙ୍କ ବିଷୟରେ ଭାବିଛୁ? ସେମାନେ ଯେତେବେଳେ ଜାଣିବେ ଯେ ତାଙ୍କ ସାନପୁଅ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ପାଠପଢ଼ା ଛାଡ଼ିଦେବାକୁ ଚାହୁଁଛି, ହତାଶାରେ କେତେ ଭାଙ୍ଗି ନପଡ଼ିବେ ସେମାନେ? ତୁ ଗୋଟେ ଇଂଜିନିୟର ହେବାକୁ ଡାଡ଼୍ଇଚ୍ଛା କରନ୍ତି । ଯଦିଓ ତୋ ପ୍ରତି ସେ ଟିକେ ଅସନ୍ତୁଷ୍ଟ, ତଥାପି ତତେ ସଫଳ ଏବଂ ଖୁସି ଦେଖିବା ଠାରୁ ସେ ଆଉ ଅଧିକ କିଛି ଚାହାନ୍ତି ନାହିଁ । କେବେ ଭାବିଛୁ, ସେ ତତେ କେତେ ଭଲ ପାଆନ୍ତି! ବୋଧହୁଏ ସାରା ଦୁନିଆର କୌଣସି ବି ମୂଲ୍ୟବାନ ବସ୍ତୁଠାରୁ ଢେର୍ ବେଶୀ ଭଲ ପାଆନ୍ତି ସେ ତତେ । ଅଥଚ ଗୋଟେ ତାସ୍ର ଘର ଭାଙ୍ଗି ଦେଲା ପରି ତୁ ତାଙ୍କର ସବୁ ସ୍ୱପ୍ନ ଭାଙ୍ଗି ଧୂଳିସାତ୍ କରିଦେବାକୁ ଚାହୁଁଛୁ! ତୁ ଏତେମାତ୍ରାରେ ସ୍ୱାର୍ଥପର ହେଇପାରୁଛୁ ସିଡ଼୍!” ଚିତ୍କାର କରି ଉଠିଲା ରୋହାନ୍ । ରାଗ, ସ୍ନେହ, ସନ୍ତାନ, ଭୟ ଇତ୍ୟାଦି ଇତ୍ୟାଦି ଅନେକ ଆବେଗରେ ଭରା ରୋହାନ୍ର କଣ୍ଠସ୍ୱର ରୁଦ୍ଧ ହେଉଯାଉଥାଏ ଯେମିତି ।
Comments are closed.