Latest Odisha News

ଧାରାବାହିକ ଉପନ୍ୟାସ : ମ୍ୟାନହଟ୍ଟନରୁ ମୁନ୍ନାର (୯୩)

ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର

ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ

“ମୁଁ ବହୁତ ଦୁଃଖିତ ଭାଇ । ମୁଁ ଜାଣେ, ମୁଁ ସେମାନଙ୍କୁ କେତେ ବଡ଼ ମାନସିକ ଆଘାତ ଦେବି । କିନ୍ତୁ ମୁଁ ମୋ’ ସ୍ୱପ୍ନକୁ ଏମିତି ଛାଡ଼ି ପାରିବିନି । ମୁଁ ଜାଣେ ଏଇୟା ବି ଯେ ସେମାନେ ଖୁବ୍ ଦୁଃଖୀ ଓ ହତାଶ ହୋଇପଡ଼ିବେ, କିନ୍ତୁ ତମେ କ’ଣ ଭାବୁଛ ଯେ ସେମାନେ ତାଙ୍କ ପୁଅ, ତାଙ୍କ ସିଡ଼୍‌କୁ ତା’ ନିଜ କ୍ୟାରିୟର୍‌ରେ ସଫଳ ଓ ସନ୍ତୁଷ୍ଟ ଦେଖିଲେ ଖୁସି ହେବେନି!”

ନରମ ଭାବରେ ସିଡ଼୍ ଏତକ କହି ରୋହାନ୍ କାନ୍ଧ ଉପରକୁ ହାତ ବଢ଼ାଇଲା । ମାତ୍ର ରୋହାନ୍‌ ତା’ ସାନଭାଇର ଆଖିକୁ ବିଲ୍‌କୁଲ ନ ଚାହିଁ ତା’ ହାତକୁ ଛାଟିଦେଇ କହିଲା, “କିନ୍ତୁ ସେଇଟା ହିଁ ତ ସବୁ ସମସ୍ୟାର ମୂଳ । ସାରା ଦୁନିଆରେ ପ୍ରସିଦ୍ଧ ହେବାଟା ଖୁବ୍ କଷ୍ଟକର ବ୍ୟାପାର । ତୁ ଯଦି କୋଟିକରେ ଗୋଟିଏ ହେଇଥାଉ, ତା’ହେଲେ ଯାଇ ‘ସଫଳ ଓ ସନ୍ତୁଷ୍ଟ’ ହୋଇପାରିବୁ ।”

ତାଙ୍କ ଝଗଡ଼ା ଏବେ ବନ୍ଦ ହେବା ଉଚିତ – ଭାବି ବୀରା କହିଲା, “ତମେ ଦିହେଁ ଚୁପ୍ ରୁହ । ବହୁତ ହୋଇଗଲା । ଆସ ଏକାଠି ବସି କଥା ହେବା । ଭାବୁଛି ସମସ୍ୟା ସମାଧାନ ହୋଇଯିବ । ତମେ ଦୁହେଁ ବଡ଼ ହେଲଣି । ଟିକେ ବଡ଼ ପିଲାମାନଙ୍କ ପରି ବି କଥାବାର୍ଚାା କର ।” ଦୁଇ ଭାଇ ଯାକ ଉଭୟ ଉଭୟଙ୍କ ଠାରୁ ଦୂରକୁ ଚାହିଁଥା’ନ୍ତି । ଯେତେବେଳେ ବୀରା ସେମାନଙ୍କୁ ଚାହିଁଲା, ସିଡ଼୍ ମୁଣ୍ଡ ହଲେଇଲା, କିନ୍ତୁ ଅନିଚ୍ଛା ସହ ରୋହାନ୍ ମୁହଁ ବୁଲେଇ ଠିଆ ହୋଇ ରହିଲା । ଏଇ ମୁହୂର୍ତ୍ତରେ କ’ଣ କରିବା ଠିକ୍ ହେବ ଯଦିଓ ବୀରା ସ୍ଥିର କରି ପାରିନଥିଲା, ସେ କିଛି ପ୍ରସ୍ତାବ ଦେବା ଆଗରୁ, “ମୁଁ ଘରକୁ ଯିବାକୁ ଚାହୁଁଛି” ବୋଲି ସଂକ୍ଷିପ୍ତ ମନ୍ତବ୍ୟଟିଏ ଦେଇ ବୀରା କି ସିଡ଼୍ କିଛି କହିବା ଆଗରୁ ରୋହାନ୍ ସେଠୁ ଗୁଳି ଭଳି ଚାଲିଗଲା ।

Comments are closed.