ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
ଶୁଣିଲେ କଥା ଦୁଇ ପଦ
ଆରଂଭ କରିଲେ ବିବାଦ
ପ୍ରସଂଗ ହୁଏ ଆପେ ଗୌଣ
ବୁଝଂତି ଆମ ନେତାଗଣ
ବିବୃତିଦାତା ଯେତେ ନେତା
ନ କରି ମୂଳ ଚୂଳ ଚିଂତା
ଭାଂଗିଲେ ସୁଦ୍ଧା ନିରବତା
ଫଳଦାୟୀ ହୁଏନି କଥା
ଏତେ ଅଧିକ କହି, କହି
ଥକିଯାଆଂତିନାହିଁ କେହି
ପାଟି ଭିତରେ ହଲେ ଜିହ୍ୱା
କାନ ବି ଶୁଣେ ‘ ୱାହା ୱାହା ‘
କଥାମୟ ହେଲାଣି ବିଶ୍ବ
ଚିଂତା, ଭାବନା ଏବେ ଶେଷ
ହେବାରୁ ଲୋକଂକ ସାହସ
ଘଟୁଛି ବିଦ୍ୟାର ବିନାଶ
ସ୍ବର ସହିତ ଯୋଡ଼ି ସ୍ବର
କରିଲେ ଅଶ୍ରାବ୍ୟ ଚିତ୍କାର
ନେତା ମୁଖ୍ଯ ଓ ନୀତି ଗୌଣ
ହେବା ହିଁ ଅତି ସାଧାରଣ
ବୁଦ୍ଧିଆଳ, ବେପାରୀ, ନେତା
କହି ନିତି ଅଜସ୍ର କଥା
କରଂତି ବିଭ୍ରାଂତି ସଂଚାର
ସ୍ବନାମ ଓ ରୂପ ପ୍ରଚାର
ମହାପୁରୁଷ ରୂପେ ଗଣ୍ୟ
ଲୋକଂକ ଶବ୍ଦ ଉଚ୍ଚାରଣ
ହେଲେ ଅକାମୀ ନୀତିବାଣୀ
ହୁଏନି କାର୍ଯକାରୀ ପୁଣି
ସମୟ ହେଲେ ଅତିକ୍ରାଂତ
ବାଣୀ ବି ହୁଅଇ ବିସ୍ମୃତ
ଏହି ପ୍ରକ୍ରିୟା ଅନାଦୃତ
ହେବାରୁ ଚିଂତନ ସ୍ଥଗିତ
ଫୋନ୍ ସହିତ ଖେଳି ଖେଳି
ଜ୍ଞାନ ମିଳୁଛି କେତେ ଭଳି
ସେ ସବୁ ନ କଲେ ପ୍ରୟୋଗ
ଦୁଃସ୍ଥିତି ଲାଗି ରହିଥିବ
ଯେତେ ବି ଜ୍ଞାନ ଥାଉ ମନେ
କାମରେ ନ ଲାଗିଲେ ଦିନେ
ବ୍ୟକ୍ତି ଓ ବିଶ୍ୱର କଲ୍ୟାଣ
ହୁଏ କେବଳ ଦିବାସ୍ବପ୍ନ
ସାହିତ୍ୟ ସାଧନା-ଆଶ୍ରୟୀ
ବଦଳେ କାଳ ଅନୁଯାୟୀ
ବ୍ୟକ୍ତିର ଶାବ୍ଦିକ ଦକ୍ଷତା
ଦିଏ ଭାଷାକୁ ନିରାପତ୍ତା