ମୂଳ ଇଂରାଜୀ : ଅନନ୍ତିନୀ ‘ଝୁମ୍ପା’ ମିଶ୍ର
ଅନୁବାଦ : ଈପ୍ସିତା ଷଡ଼ଙ୍ଗୀ
“ହାଏ ବୀରା ଦି’,” ବୀରାର ବେଡ଼୍ରୁମ୍କୁ ଉଙ୍କିମାରି ଚାହିଁ ଶ୍ରେୟା କହିଲା, “ମମ୍ କହୁଛନ୍ତି ଆଉ ପନ୍ଦର ମିନିଟ୍ ଭିତରେ ଡିନର୍ ପ୍ରସ୍ତୁତ ହୋଇଯିବ ।” “ହଉ, ଠିକ୍ ଅଛି ।
ଭିତରକୁ ଆ, ଏଇଠି ବସ”, ବୀରା ତା’ ଖଟ ଉପରେ ତା’ ପାଖ ଜାଗାରେ ହାତ ବାଡ଼େଇ ସେଇଠି ବସିବାକୁ ଶ୍ରେୟାକୁ ଡାକିଲା । ହସିଦେଇ ଭିତରକୁ ଆସି ଶ୍ରେୟା କବାଟ ଆଉଜେଇ ଦେଲା । “ଆରେ ସୁନୈନା କୁଆଡ଼େ ଗଲା? ମୁଁ ଆସିଲା ବେଳଠୁ ତାକୁ ଦେଖୁନି ତ!” ବୀରା ପଚାରିଲା ।
“ଓହୋ, ସେ ବାସ୍କେଟ୍ ବଲ୍ ପ୍ରାକ୍ଟିସ୍ କରୁଥିବ । ଆର ସପ୍ତାହରେ ସେମାନେ ଗୋଟେ ଚାମ୍ପିଅନ୍ସିପ୍ରେ ଭାଗନେବେ । ସେଇଥିପାଇଁ ଆଜିକାଲି ସେ ଟିକେ ଅଧିକ ସମୟ ଯାଏଁ ପ୍ରାକ୍ଟିସ୍ କରୁଛି ।” ଶ୍ରେୟା ଉତ୍ତର ଦେଲା ।
ଏ ଦୁହେଁ ଯାଆଁଳା ହୋଇଥିଲେ ବି, ଦୁଇଜଣଙ୍କର ପସନ୍ଦ ଓ ସ୍ୱଭାବ ପରସ୍ପରଠାରୁ ଅଲଗା । ସୁନୈନା ବାହାରେ ବୁଲିବା ଓ ଖେଳିବାକୁ ପସନ୍ଦ କରୁଥିଲା ବେଳେ, ଶ୍ରେୟା ହାତରେ ବହିଖଣ୍ଡେ ଧରି ପଢ଼ିବାକୁ ବେଶୀ ପସନ୍ଦ କରେ । ସୁନୈନା ଏକଦମ୍ ସ୍ପଷ୍ଟବାଦୀ ଏବଂ ବହିର୍ମୁଖୀ; ସ୍ଥାନ, କାଳ ପାତ୍ର କିଛି ବି ନଦେଖି ମନକୁ ଯାହା ଆସେ କହିଦିଏ । ଅନ୍ୟପକ୍ଷରେ ଶ୍ରେୟା ଭୀଷଣ ଭାବରେ ଅନ୍ତର୍ମୁଖୀ; ଚୁପ୍ଚାପ୍ ଏବଂ ଟିକେ ଲାଜକୁଳୀ ସ୍ୱଭାବର । ସ୍ୱଭାବରେ ଉଭୟ ଏକଦମ୍ ଅଲଗା ହୋଇଥିଲେ ବି ଦୁଇଭଉଣୀଙ୍କ ଭିତରେ ବନ୍ଧନ ଓ ସ୍ନେହ କିନ୍ତୁ ଖୁବ୍ ଦୃଢ଼ ।
ସୁନୈନାର ବାଁ ଆଖି ଉପରେ ଗୋଟେ ନାଲି ଦାଗ ଦେଖିଲେ ହିଁ, ସେ ଶ୍ରେୟା ନୁହେଁ ବୋଲି ଚିହ୍ନି ହୁଏ । କିଛି ବର୍ଷ ତଳେ ରଗ୍ବି ଖେଳୁଥିଲା ବେଳେ ତଳେ ପଡ଼ିଯିବାରୁ ଏ କ୍ଷତଚିହ୍ନଟି ରହିଯାଇଛି ତା’ ମଥାରେ ।
ବୀରା ଓ ଶ୍ରେୟା କେଇ ମିନିଟ୍ ଧରି କଥା ହୋଇଚନ୍ତି କି ନାହିଁ ଧଡ଼୍କିନା ଶବ୍ଦରେ କବାଟ ବାଡ଼େଇ ହେଲା । ଆଉ ତା’ ସାଙ୍ଗରେ ଅସନ୍ତୁଷ୍ଟ କଣ୍ଠ ସ୍ୱରଟେ ମଧ୍ୟ ଶୁଭିଲା । ଶ୍ରେୟା ଜାଣିଗଲା ଯେ ସୁନୈନା ଆସିଗଲା । ଛିଡ଼ା ହୋଇ ବୀରାକୁ ପଛେ ପଛେ ଆସିବାକୁ ଇଶାରା କରି, କହିଲା, “ହେଇ, ସେ ଆସିଗଲା ।”
କ୍ରମଶଃ
Comments are closed.