Latest Odisha News

ଜ୍ଞାନ-ବିଜ୍ଞାନ ଓ ଈଶ୍ବର ବିଶ୍ୱାସ

ଲକ୍ଷ୍ମଣ ସାହୁଙ୍କ ନିୟମିତ ସ୍ତମ୍ଭ

ଏବେ ସମଗ୍ର ଭାରତବର୍ଷ ପାଇଁ ଏକ ପରୀକ୍ଷାର ଦିନ ! ସାରା ବିଶ୍ୱରେ ନିଜ ଗୌରବ ଗରିମାକୁ ପ୍ରତିଷ୍ଠା କରିବାର ଏକ ସ୍ଵର୍ଣ୍ଣିମ ଅବସର ! ଚାରିବର୍ଷ ତଳେ ଅଳ୍ପକେ ବିଫଳ ହୋଇଥିବା ଏକ ପ୍ରକଳ୍ପର ପୁନଃ ପ୍ରୟାସ ! ଭାରତୀୟ ମହାକାଶ ଗବେଷଣା ସଂସ୍ଥା ବା ଇସ୍ରୋ ଆନୁକୂଲ୍ୟରେ ସଂପୂର୍ଣ୍ଣ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ‘ଚନ୍ଦ୍ରଯାନ-୩’ ର ଉତକ୍ଷେପଣ ସରିଛି !

ଲକ୍ଷ୍ୟ କରିବାର କଥା, କେବଳ ମହାକାଶ ଜ୍ଞାନ ଓ ବିଜ୍ଞାନ ଉପରେ ପର୍ଯ୍ୟବେସିତ । ଦେଶର ବଛା ବଛା ମହାକାଶ ବିଜ୍ଞାନୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ନିର୍ମିତ ଏହି ପ୍ରକଳ୍ପର ସଫଳତା ପାଇଁ ଗତ ଜୁଲାଇ ୧୪ ରେ ଇସ୍ରୋର ମୁଖ୍ୟଙ୍କ ସମେତ ଅନ୍ୟାନ୍ୟ କାର୍ଯ୍ୟରତ ମହାକାଶ ବିଜ୍ଞାନୀମାନେ ଐଶ୍ୱରୀୟ କୃପା ଭିକ୍ଷା କରିବାକୁ ତିରୁପତି ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ ! ଆଖି ମୁଦି ତନ୍ମୟ ଚିତ୍ତରେ ଗତଥର ବିଫଳତାର ପୁନରାବୃତ୍ତି ନ କରିବାକୁ ଭଗବାନ ବାଲାଜୀଙ୍କୁ ପ୍ରାର୍ଥନା କରିଛନ୍ତି !

‘ଈଶ୍ୱର ଫିଶ୍ବର ବାଜେକଥା’ ସେମିତି କିଛି ନାହିଁ କହି ଈଶ୍ୱରଙ୍କ ଅସ୍ତିତ୍ୱକୁ ଅବଜ୍ଞା କରୁଥିବା ହେତୁବାଦୀ ନାସ୍ତିକଙ୍କ ପାଇଁ ଆଖି ଖୋସି ହୋଇଯିବା ଭଳି ଏହା ଏକ ବିରଳ ସମ୍ବାଦ ଯାହା ସମସ୍ତଙ୍କ ଦୃଷ୍ଟିକୁ ଆସିଛି । ଯେଉଁଠି ମହାକାଶ ବିଜ୍ଞାନର ପ୍ରତ୍ୟେକ ଅଧ୍ୟାୟ ମଣିଷର ଜ୍ଞାନ ବିଜ୍ଞାନ, ବୌଦ୍ଧିକତା ଓ ବିଦବତ୍ତାର ଶିଖର ସ୍ପର୍ଶ କରିବାର ଅପେକ୍ଷା ରଖେ, ସେଠି ପୁଣି ‘ଈଶ୍ୱର’ କୁହାଯାଉଥିବା ଏକ ଅଦୃଶ୍ୟ ଶକ୍ତି ଉପରେ ବିଜ୍ଞାନୀ ମଣିଷଙ୍କର ଏତେ ଆସ୍ଥା ସ୍ଥାପନ ହୁଏତ ଅନେକ ହେତୁବାଦୀ ନାସ୍ତିକଙ୍କ ପାଇଁ ହାସ୍ୟାସ୍ପଦ ହୋଇପାରେ । ଭଗବାନ ଶ୍ରୀକୃଷ୍ଣ କହିଛନ୍ତି – “କରି କରାଉଥାଏ ମୁହିଁ ମୋ ବିନୁ ଅନ୍ୟ ଗତି ନାହିଁ । ” ଏଠାରେ ଧର୍ମ ବିଶ୍ଵାସକୁ ନେଇ ପ୍ରସଂଗ କରୁନାହିଁ । କେବଳ ପଦେ ” ବିଶ୍ୱାସେ ମିଳଇ ହରି ତର୍କେ ବହୁଦୂର ।”

ଏ ପ୍ରସଙ୍ଗରେ ଈଶ୍ୱର ବିଶ୍ୱାସର ଯୌକ୍ତିକତା ସମ୍ପର୍କରେ କାହାକୁ କିଛି କୈଫିୟତ ନ ଦେଇ କିଛି ବର୍ଷ ତଳେ ସେଇ ମହାକାଶ ସଂସ୍ଥାରେ ସଂଘଟିତ ହୋଇଥିବା ଏକ ଅପୂର୍ବ ଦୃଶ୍ୟର ଅବତାରଣା କରାଯାଇପାରେ !

ସେଭଳି ଏକ ମାହେନ୍ଦ୍ର ମୁହୂର୍ତ୍ତ ଥିଲା ମହାକାଶ ଯାନ ‘ଆର୍ଯ୍ୟଭଟ୍ଟ’ର ଉତକ୍ଷେପଣ୍ । ସମଗ୍ର ଦେଶର ଆଶା ଆଶଙ୍କାର ଦୃଷ୍ଟି ନିବଦ୍ଧ ଥିଲା ଏହି ଉତକ୍ଷେପଣର ସଫଳତା ଉପରେ । ଉତକ୍ଷେପଣ ସ୍ଥଳରେ ଜମା ହୋଇ ରହିଥିଲେ ବହୁ ମହାକାଶ ବିଜ୍ଞାନୀଙ୍କ ସମେତ ଦେଶ ବିଦେଶର ବହୁ ସାମ୍ବାଦିକ ଓ ଫଟୋଗ୍ରାଫର ଓ ଦର୍ଶକ । ଉତକ୍ଷେପଣର କାଉଣ୍ଟ ଡାଉନ ବା ଅବଗଣନା ଆରମ୍ଭ ହେବାକୁ ଅଳ୍ପ ସମୟ ବାକି ଥାଏ । ମାତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦୃଶ୍ୟପଟରୁ ନିଖୋଜ ହୋଇଯାଇଥିଲେ ଉତକ୍ଷେପଣ ପର୍ବର ମୁଖ୍ୟ ପୁରୋଧା କସ୍ତୁରୀରଙ୍ଗନ । ମହାକାଶ ଗବେଷଣା ସଂସ୍ଥାର ମୁଖ୍ୟ ତଥା ଭାରତର ତତ୍କାଳୀନ ଶ୍ରେଷ୍ଠ ମହାକାଶ ବିଜ୍ଞାନୀ କସ୍ତୁରୀରଙ୍ଗନ । କେହି କେବେ କଳ୍ପନା କରିନଥିଲେ ଯେ ଏଭଳି ଏକ ବିଶେଷ ଗୁରୁତ୍ତ୍ୱପୂର୍ଣ୍ଣ ମୁହୂର୍ତ୍ତରେ ତାଙ୍କର ଅନ୍ତର୍ଦ୍ଧାନ । ହଠାତ୍ କେହି ଜଣେ ଫଟୋଗ୍ରାଫ୍ ର ସାମ୍ବାଦିକଙ୍କ ଲକ୍ଷ୍ୟ ପଡ଼ିଲା ଉତକ୍ଷେପଣ ସ୍ଥାନରୁ ଦୂରେଇ ଯାଇ ଏକ ନିଭୃତ ସ୍ଥାନରେ ଆଖି ମୁଦି ବିଷ୍ଣୁ ସହସ୍ର ନାମ ଜପ କରୁଛନ୍ତି ଦେଶର ସବୁଠାରୁ ବଡ଼ ବୈଜ୍ଞାନିକ । ମନରେ ଅସୁମାରୀ କୌତୁହଳ ପ୍ରଶ୍ନ ନେଇ ଉପସ୍ଥିତ ସମ୍ବାଦଦାତାମାନେ ନୀରବରେ ଉତକ୍ଷେପଣ୍ ଶେଷ ପର୍ଯ୍ୟାୟକୁ ଅପେକ୍ଷା କରି ରହିଲେ ।

ଉତକ୍ଷେପଣ୍ ସଫଳତା ସହକାରେ ସରିଲା । ଏଣେ ବିଷ୍ଣୁ ସହସ୍ର ନାମ ଜପ ବି ସରି ଯାଇଥିଲା । ଏଥର କସ୍ତୁରୀରଙ୍ଗନ ଧୀରେ ଚକ୍ଷୁ ଖୋଲି ଦୂର ଆକାଶର ରକେଟ ଧୂଆଁକୁ ଲକ୍ଷ୍ୟ କରି ଆଶ୍ୱସ୍ତ ହେଲେ । କେଉଁ ଏକ ଅଜଣା ପୁଲକରେ ଅର୍ଦ୍ଧନିର୍ମିତ ଚକ୍ଷୁ ଦ୍ୱୟରୁ ଆନନ୍ଦାଶ୍ରୁ ଚିବୁକରେ ଗଡିଆସିଲା । ଅଚାନକ ତାଙ୍କୁ ଘେରିଗଲେ ବହୁ ସାମ୍ବାଦିକ । ଉତ୍ସାହର ସହିତ ଜଣେ ସାମ୍ବାଦିକ ପଚାରିଦେଲେ, ” ଭାରତବର୍ଷର ପ୍ରତ୍ୟେକ ନାଗରିକଙ୍କ ସମେତ ସମଗ୍ର ବିଶ୍ୱ ଯେତେବେଳେ ଆର୍ଯ୍ୟଭଟ୍ଟ ଉତକ୍ଷେପଣର ସଫଳତାକୁ ଅପଲକ ନୟନରେ ଚାହିଁ ରହିଥିଲା, ସେତେବେଳେ ଏହାର ଦାୟିତ୍ୱରେ ଥିବା ମୁଖ୍ୟ ବୈଜ୍ଞାନିକ ଭାବେ ଆପଣ ଏଥି ପ୍ରତି ନିଘା ନ ଦେଇ ଆଖି ମୁଦି ସ୍ମରଣ କରୁଥିଲେ କାହାକୁ ? ଜଣେ ଖ୍ୟାତନାମା ବିଜ୍ଞାନୀ ହୋଇ ଆପଣ ‘ଈଶ୍ୱର’ ଭଳି ଏକ ଅଦୃଶ୍ୟ ଶକ୍ତି ଉପରେ ଏଭଳି ଆସ୍ଥା ସ୍ଥାପନ କରିବା ଏକ ଅନ୍ଧବିଶ୍ୱାସ ନୁହେଁ କି ? ଏହାର ରହସ୍ୟ କ’ଣ ହୋଇପାରେ ?

କସ୍ତୁରୀରଙ୍ଗନ ସାମାନ୍ୟ ଟିକିଏ ମୁରୁକି ହସିଲେ ଓ ନମ୍ରତାର ସହ ଧୀରେ କହିଲେ, “ଜଣେ ବିଜ୍ଞାନୀ ଭାବେ ମୁଁ ମୋର ସମସ୍ତ ବିଦ୍ୟା ବୁଦ୍ଧି ଓ ଶକ୍ତି ସାମର୍ଥ୍ୟ ଦେଇ ଯାନଟିକୁ ତିଆରି କରିଛି ସତ ! ଏ କଥା ବି ସ୍ପଷ୍ଟ ଭାବେ ଜାଣିଛି ଯେ କେଉଁ କେଉଁ ଆଧାର ଓ ଉପାଦାନ ସାହାଯ୍ୟ ନେଇ ଯାନଟି ଉପରକୁ ଉଠେ ! ସେହି ଆଧାରରେ ଆର୍ଯ୍ୟଭଟ୍ଟ ଉପରକୁ ଉଠିବ ବୋଲି ମୋର ଦୃଢ଼ ବିଶ୍ଵାସ ଥିଲା ! ମାତ୍ର ଏହା ଉଠିବା ଏକ ସ୍ଥିର ନିଶ୍ଚିତ ବୋଲି ମୁଁ ଆଦୌ ଜାଣି ନ ଥିଲି ! ବାସ୍, କେବଳ ମୋର ବିଶ୍ୱାସକୁ ସାକାର କରିବାକୁ ମୁଁ ମୋ ଇଷ୍ଟ ପୁରୁଷଙ୍କୁ ପ୍ରାର୍ଥନା କରୁଥିଲି ! ”

କଥାଟିକୁ ଅଧିକ ସହଜ ସରଳ କରିବାକୁ ସେ ପୁଣି ସ୍ପଷ୍ଟ ରୂପେ ବୁଝାଇଦେଲେ, “ଆପଣ ଦିଲ୍ଲୀରୁ ମୁମ୍ବାଇ ଯିବାପାଇଁ ଉଡାଜାହାଜରେ ବସିଲେ ! ଆପଣ ଅଢ଼େଇ ଘଣ୍ଟା ପରେ ମୁମ୍ବାଇରେ ପହଞ୍ଚିବେ ବୋଲି ବିଶ୍ବାସ କରନ୍ତି ସିନା, ଜାଣନ୍ତି ନାହିଁ , ସଠିକ୍ ସମୟରେ ଓ ନିରାପଦରେ ନିଜର ଗନ୍ତବ୍ୟ ସ୍ଥଳରେ ପହଞ୍ଚି ପାରିବେ ବୋଲି ! ଠିକ୍ ସେମିତି ଆର୍ଯ୍ୟଭଟ୍ଟ ଉତକ୍ଷେପଣର କଥା ! ଯାହା ଆମେ ଜାଣିନାହୁଁ, କେବଳ ବିଶ୍ୱାସ କରୁ, ତାହାର ସିଦ୍ଧାନ୍ତ ଉପରେ ଆମର ନିୟନ୍ତ୍ରଣ ନାହିଁ ! ସେହି ସିଦ୍ଧାନ୍ତକୁ ସାକାର କରିବାକୁ ସସୀମ ମଣିଷଟିଏ ଅସୀମ ଈଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କରିଦିଏ । ଯାହାର ନାମ ହେଉଛି ପ୍ରାର୍ଥନା !” କସ୍ତୁରୀରଙ୍ଗନଙ୍କର ଏହି ହୃଦୟ ଛୁଆଁ କଥା କେଇପଦରୁ ଏବେକାର ଇସ୍ରୋ ଅଧ୍ୟକ୍ଷଙ୍କ ସମେତ ସଦଳବଳ ତିରୁପତି ଯାଇ ଚନ୍ଦ୍ରଯାନ-୩ ର ସଫଳ ଉତକ୍ଷେପଣ ପାଇଁ ପୂଜାର୍ଚ୍ଚନା କରିବାର ଯଥାର୍ଥତା ପ୍ରତିପାଦିତ କରେ !

ଆଶା କରିବା ଓ ଈଶ୍ବରଙ୍କୁ ପ୍ରାର୍ଥନା କରିବା ସେମାନଙ୍କ ପୂଜାର୍ଚ୍ଚନା ନିଷ୍ଫଳ ଯେଭଳି ଯିବନାହିଁ ! କେବଳ ଚନ୍ଦ୍ରଯାନର ସଫଳ ଉତକ୍ଷେପଣ ନୁହେଁ, ଚନ୍ଦ୍ରପୃଷ୍ଠରେ ଏହାର ସଫଳ ଅବରୋହଣ ବିଶ୍ୱ ଇତିହାସରେ ଭାରତର ନାମକୁ ସ୍ବର୍ଣ୍ଣ ଅକ୍ଷରରେ ଲିପିବଦ୍ଧ କରିବ ଏହାହିଁ ସମସ୍ତଙ୍କ ଈଶ୍ବରଙ୍କ ନିକଟରେ କାମନା ହେଉ..!!!

ଅଧ୍ୟକ୍ଷ , ମହାନଦୀ ବିହାର ମହିଳା ସ୍ନାତକ ମହାବିଦ୍ୟାଳୟ , କଟକ -୪
ଦୂରଭାଷ: ୯୦୪୦ ୧୫୧୪୭୫

Leave A Reply

Your email address will not be published.