Latest Odisha News

ଧାରାବାହିକ ଉପନ୍ୟାସ : ସୁଲୋଚନା (୧୧)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ ଭାଗ : ୧୧

ସୁଲୋଚନା ପଚାରିଲେ, ” ସ୍ୱାମୀ ! ଲଙ୍କା ନଗରୀ ବିଷୟରେ ମୋତେ ସମ୍ୟକ ଧାରଣା ଦିଅନ୍ତୁ। ମୁଁ ଯେତେବେଳେ ସେଠାରେ ଯାଇ ପହଞ୍ଚିବି ମୋତେ ଯେପରି ଅନୁଭବ ହେବ, ଅନେକ ଦିନର ପରିଚିତା ମୁଁ। କିଏ କିଏ ଆପଣଙ୍କର ଆତ୍ମୀୟ ସେଠାରେ ଅଛନ୍ତି ? ସେମାନେ ନାଗକନ୍ୟା ସୁଲୋଚନାଙ୍କୁ ସାଦରେ ଗ୍ରହଣ କରିବେ ତ ? ”

” ମୋ ମାତା , ମହାରାଣୀ ମନ୍ଦୋଦରୀ ତୁମକୁ ପୁତ୍ରୀବତ୍ ସ୍ନେହ ଦେବେ। ମୋର ଆତ୍ମୀୟମାନେ ବର୍ତ୍ତମାନ ତୁମର ମଧ୍ୟ ଆତ୍ମୀୟ। ଅତିକାୟ, ନରାନ୍ତକ, ଦେବାନ୍ତକ, ତ୍ରିଶିରା,ଅକ୍ଷୟ କୁମାର ଏମାନେ ସମସ୍ତେ ମୋର କନିଷ୍ଠ ଭ୍ରାତା। ତୁମକୁ ମାତୃବତ୍ ସମ୍ମାନ ଦେବେ। କୁମ୍ଭକର୍ଣ୍ଣ ଓ ବିଭୀଷଣ ମୋର କାକା ,ସୂର୍ପଣଖା ମୋର ପିଉସୀମା’ ସମସ୍ତେ ତୁମକୁ ଅନେକ ସ୍ନେହ ଦେବେ। ପ୍ରିୟେ ! ଅନେକ କଷ୍ଟ ତୁମେ ଜୀବନରେ ଭୋଗିଛ। ବର୍ତ୍ତମାନ ତୁମର ସୁଖର ଦିନ ଆସିଛି। ”

” ଶୁଣିଛି ଆପଣଙ୍କ କୁଳରେ ବହୁବିବାହ ପ୍ରଥା ପ୍ରଚଳିତ। ଆପଣ ତେବେ ….! ”

” ମୁଁ ଶୁଣିଥିଲି ତୁମେ ମହେନ୍ଦ୍ରକୁ ଏଥିପାଇଁ ପ୍ରତ୍ୟାଖ୍ୟାନ କରିଥିଲ, ସେ ବହୁ ନାରୀ ପ୍ରତି ଆସକ୍ତ ରୁହନ୍ତି ବୋଲି ! ତୁମକୁ ତ ଏକପତ୍ନୀବ୍ରତଧାରୀ ସ୍ୱାମୀ ଆବଶ୍ୟକ ନା! ସେଥିପାଇଁ ମୁଁ ..” କଟାକ୍ଷ କଲେ ଇନ୍ଦ୍ରଜିତ। ସୁଲୋଚନାଙ୍କର ଲାଜୁଆ ହସ ତାଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣିତ କଲା ଏବଂ ମୁଗ୍ଧ ନୟନରେ ପତ୍ନୀଙ୍କର ଅପୂର୍ବ ରୂପଶୋଭାକୁ ଚାହିଁ ରହିଥିଲେ ।

” ଲଙ୍କା ନଗରୀର ସୁନ୍ଦରତା ବିଷୟରେ ଅନେକ ଶୁଣିଛି। ସାକ୍ଷାତ ଦର୍ଶନର ସୌଭାଗ୍ୟ ଯେ ମୋର ହେବ କେବେ ଚିନ୍ତା କରି ନ ଥିଲି। ”

” ଦେଖ ପ୍ରିୟେ! ତୁମେ ବର୍ତ୍ତମାନ ତୁମର ସ୍ବଗୃହରେ ପହଞ୍ଚି ଗଲଣି। ହଁ, ସମସ୍ତଙ୍କର ସ୍ନେହ ପାଇବା ପରେ ଏହି ଅକିଞ୍ଚନକୁ ସମୟ ଦେଇ ପାରିବ ତ ? ମୁଁ ଯେ ଏକପତ୍ନୀବ୍ରତଧାରୀ ..! ” ହସିଦେଲେ ଦୁହେଁ।

ଲଙ୍କା ନଗରୀର ଭବ୍ୟତାରେ ବିମୋହିତା ସୁଲୋଚନା। ସ୍ୱାଗତଚର୍ଯ୍ୟାର ଆଡମ୍ବରରେ ମୁଗ୍ଧା। ଏତେ ସ୍ନେହ, ସମ୍ମାନ ଲଙ୍କାରେ ତାଙ୍କୁ ମିଳିବ ବୋଲି ସ୍ୱପ୍ନରେ ସୁଦ୍ଧା ଭାବି ନ ଥିଲେ। ପିତାଙ୍କ ଦ୍ୱାରା ତିରସ୍କୃତା ହେବା ପରେ ଯେପରି ଜୀବନ ତାଙ୍କର ଅନ୍ଧକାର ଘେରା ଅମବାସ୍ୟାର ରାତ୍ରି ପରି ଥିଲା।

କ୍ରମଶଃ….

Comments are closed.