ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ସରମା କହିଲେ, ” ଶିଶୁ କାଳରୁ କୁବେର ଧାର୍ମିକ ସ୍ୱଭାବର। ତପ ସାଧନା ନିମିତ୍ତ ପିତାମାତାଙ୍କ ନିକଟରୁ ଅନୁମତି ନେଇ ଗୃହତ୍ୟାଗୀ ହୋଇଥିଲେ। ଅନେକ ବର୍ଷର ଏକନିଷ୍ଠ କଠୋର ସାଧନା ବଳରେ ପ୍ରଜାପତି ବ୍ରହ୍ମାଙ୍କୁ ସନ୍ତୁଷ୍ଟ କରି ପାରିଥିଲେ। ଇନ୍ଦ୍ର, ବରୁଣ ଓ ଯମଙ୍କ ପରେ କୁବେରଙ୍କୁ ଚତୁର୍ଥ ଲୋକପାଳର ମର୍ଯ୍ୟାଦା ବ୍ରହ୍ମା ଦେଇଦେଲେ। ଉତ୍ତର ଦିଶାର ସ୍ୱାମୀ ହେଲେ କୁବେର। ଅମାପ ଧନ ସମ୍ପତ୍ତି ସହ ମନର ଗତିରେ ଗତିଶୀଳ ହେଉଥିବା ପୁଷ୍ପକ ବିମାନ ମଧ୍ୟ ପ୍ରଦାନ କରିଥିଲେ। ଯାହାଦ୍ୱାରା ସେଥିରେ ଉପବିଷ୍ଟ ହୋଇ ତ୍ରିଭୁବନକୁ ଅନାୟାସରେ ସେ ଯାତାୟାତ କରି ପାରୁଥିଲେ। ଯକ୍ଷ ହେଲେ ମଧ୍ୟ ତାଙ୍କୁ ଦେବତାର ଆସନ ମିଳିଥିଲା। ସେ ହେଲେ ଧନର ଦେବତା । ”
” ସତରେ ତ କାକୀ ! ନିଜ ନିଜର ସ୍ଵଭାଵ ଓ ଆଚରଣ ଅନୁସାରେ ଜଣେ ସଂସାରରେ ନିଜର ପରିଚୟ ସୃଷ୍ଟି କରେ। ତା’ ପରେ.. ? ”
” ଧନର ଦେବତା କୁବେର ସେତେବେଳେ ନିଜେ ରହିବା ନିମିତ୍ତ ସ୍ଥାନର ଅନ୍ୱେଷଣରେ ଥିଲେ। ଋଷି ଵିଶ୍ରବା ତାଙ୍କର ଜ୍ୟେଷ୍ଠ ପୁତ୍ର କୁବେରଙ୍କୁ ନିଜର ସାମ୍ରାଜ୍ୟ ସ୍ଥାପନ ପାଇଁ ଲଙ୍କା ନଗରୀକୁ ଦେଇଦେଲେ। କୁବେରଙ୍କ ନିକଟରେ ସ୍ୱର୍ଣ୍ଣ ନିର୍ମିତ ପୁଷ୍ପକ ବିମାନ ମଧ୍ୟ ଥିଲା। ଅମାପ ସମ୍ପଦ ଥିଲା। ଏସବୁ ଦେଖି ବିମାତା କେକସୀ ଈର୍ଷ୍ୟାରେ ଜଳୁଥିଲେ ଏବଂ ଉଚିତ ସମୟର ପ୍ରତୀକ୍ଷାରେ ଥିଲେ। ଜ୍ୟେଷ୍ଠ ଭ୍ରାତା ରାବଣ ଯେତେବେଳେ କଠୋର ତପସ୍ୟା ପରେ ଅମିତ ଶକ୍ତିଶାଳୀ ହେଲେ , ତାଙ୍କୁ ପ୍ରରୋଚିତ କଲେ କୁବେରଙ୍କ ନିକଟରୁ ପୁଷ୍ପକ ବିମାନ ଓ ଲଙ୍କା ଛଡ଼େଇ ଆଣିବା ନିମିତ୍ତ।
ବାଲ୍ୟକାଳରୁ ହିଁ କୁବେରଙ୍କ ପ୍ରତି ଦ୍ୱେଷ ଭାବ ରଖୁଥିବା ରାବଣ ଲଙ୍କା ଆକ୍ରମଣ କରିଦେଲେ। ଘମାଘୋଟ ଯୁଦ୍ଧ ହେଲା। ବରପ୍ରାପ୍ତ ରାବଣ , କୁବେରଙ୍କୁ ଯୁଦ୍ଧରେ ପରାସ୍ତ କଲେ ଏବଂ ସ୍ୱର୍ଣ୍ଣ ଲଙ୍କା ଓ ପୁଷ୍ପକ ବିମାନ ତାଙ୍କ ନିକଟରୁ ଛଡ଼େଇ ଆଣିଲେ। ”
” କୁବେର ତା’ ପରେ କୁଆଡେ ଗଲେ ? ତାଙ୍କର ପିତା ଏତେ ବଡ଼ ଅନ୍ୟାୟ ବିରୁଦ୍ଧରେ କିଛି କହିଲେ ନାହିଁ ? ”
କ୍ରମଶଃ….
Comments are closed.