Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ସୁଲୋଚନା (୫୫)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’

” ନା ନା .. ଲକ୍ଷ୍ମଣଙ୍କର ପରାକ୍ରମ ଉପରେ ମୋର କୌଣସି ସଂଶୟ ନାହିଁ। କିନ୍ତୁ !! ସେ ବ୍ରହ୍ମାଙ୍କ ନିକଟରୁ ଏପରି ବରପ୍ରାପ୍ତ ହୋଇଛି ଯେ… ଯେଉଁ ବ୍ୟକ୍ତି ବିବାହିତ ହୋଇ ମଧ୍ୟ ବାରବର୍ଷ ପର୍ଯ୍ୟନ୍ତ ବ୍ରହ୍ମଚର୍ଯ୍ୟ ପାଳନ କରିଥିବ, ବାରବର୍ଷ ପର୍ଯ୍ୟନ୍ତ ଅନ୍ନ ଗ୍ରହଣ କରି ନ ଥିବ ଓ ବାରବର୍ଷ ନିଦ୍ରା ତ୍ୟାଗ କରିଥିବ , ସେ ହିଁ ମେଘନାଦକୁ ବଧ କରି ପାରିବ। ମାତ୍ର… ଏପରି ଏ ସଂସାରରେ କିଏ ଅଛନ୍ତି !! ”

ଶ୍ରୀରାମ କହିଲେ,” ଲକ୍ଷ୍ମଣ ହିଁ ସେହି ପୁରୁଷ ।ସେ ହିଁ ଇନ୍ଦ୍ରଜିତକୁ ବଧ କରିବେ। ”

ଦେବତାମାନେ ସ୍ୱର୍ଗରୁ ପୁଷ୍ପ ବୃଷ୍ଟି କଲେ, ଦିବ୍ୟ ଶଙ୍ଖନାଦରେ ଗଗନ ପବନ ପ୍ରକମ୍ପିତ ହେଲା।

ଶ୍ରୀରାମଙ୍କ ନିକଟରୁ ଅନୁମତି ନେଇ ବିଭୀଷଣଙ୍କ ସହିତ ଲକ୍ଷ୍ମଣ, ହନୁମାନ, ଅଙ୍ଗଦ ଆଦି ବାନରବୀର ଯଜ୍ଞ-ଗୁମ୍ଫା ନିକଟକୁ ପ୍ରସ୍ଥାନ କଲେ ଏବଂ ଜଳ,ପ୍ରସ୍ତର, ବଡ଼ ବଡ଼ ବୃକ୍ଷ ପକାଇ ମେଘନାଦର ଯଜ୍ଞ ବିଧ୍ୱଂସ କରିଦେଲେ। କ୍ରୋଧରେ ସେ ଯୁଦ୍ଧ ନିମିତ୍ତ ଆହ୍ୱାନ ଦେଇ ମହଲକୁ ପଳାଇଗଲା।

ମେଘନାଦ ବିଜୟ ତିଳକ ପିନ୍ଧିବା ପାଇଁ ମାତା ମନ୍ଦୋଦରୀଙ୍କ ନିକଟକୁ ଗଲେ, ସେ ତାକୁ ବହୁତ ବୁଝାଇଲେ ରଣରୁ ନିବୃତ୍ତ ହେବା ପାଇଁ। ମାତ୍ର ସେ କିଛି ବି ଶୁଣିଲେନି।

ସୁଲୋଚନା ମେଘନାଦ କପାଳରେ ମଙ୍ଗଳ ଟୀକା ଲଗାଇ ଦେଇ କହିଲେ , ” ସ୍ୱାମୀ ! ମୁଁ ନାଗକନ୍ୟା। ଆପଣଙ୍କୁ ପଛକୁ ଫେରିବା ପାଇଁ ତ କହି ପାରିବି ନାହିଁ, ତଥାପି କହୁଛି ରାମ ଓ ଲକ୍ଷ୍ମଣ ସାଧାରଣ ମାନବ ନୁହଁନ୍ତି। ସେମାନେ ଅଜେୟ। ତେଣୁ….! ”

” ଭୟଭୀତା ହୁଅ ନାହିଁ ପ୍ରିୟେ ! ତୁମ ସ୍ୱାମୀ ଯେ ଅମର ବରପ୍ରାପ୍ତ ! ଗୁପ୍ତଚର ଖବର ଦେଇଛି ଆଜି ଲକ୍ଷ୍ମଣ ମୋ ସହ ଯୁଦ୍ଧ କରିବ। ଦୁଇ ଦୁଇ ଥର ମୁଁ ତାକୁ ପରାଜୟର ସ୍ୱାଦ ଚଖାଇ ସାରିଛି। ଆଜି ତା’ର ବଧ ନିଶ୍ଚୟ କରିବି। ”

ନୟନରେ ଅଶ୍ରୁ ଭରି ସୁଲୋଚନା କହିଲେ, “ମୋତେ ବଚନ ଦିଅନ୍ତୁ .. ଆପଣ ନିଶ୍ଚୟ ଫେରି ଆସିବେ ମୋ ନିକଟକୁ।”

ସୁଲୋଚନାଙ୍କର ଅଶ୍ରୁ ପୋଛି ଇନ୍ଦ୍ରଜିତ କହିଲା , ” ମୋର ଏଇ ହସ୍ତ ଅନ୍ତିମ ସମୟରେ ମଧ୍ୟ ତୁମ ସହ ରହିବ। ମୁଁ ଫେରିବି ନିଶ୍ଚୟ ।”

ମେଘନାଦ ରଣାଙ୍ଗନକୁ ପ୍ରସ୍ଥାନ କରିବା ମାତ୍ରେ ସୁଲୋଚନା ଶ୍ରୀବିଷ୍ଣୁଙ୍କ ନାମ ଜପ କରିବାକୁ ଲାଗିଲେ।

କ୍ରମଶଃ…..

Leave A Reply

Your email address will not be published.