ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’
ବିକଟ ଅଟ୍ଟହାସ୍ୟ କରି ମେଘନାଦ, ସମ୍ମୁଖରେ ଉପସ୍ଥିତ ଥିବା ବିଭୀଷଣଙ୍କୁ କହିଲା, ” ପୂର୍ବରୁ ରାଜଦ୍ରୋହୀ ଓ ଭ୍ରାତୃଦ୍ରୋହୀ ତ ଥିଲ ଏବେ ପୁତ୍ରଦ୍ରୋହୀ ବି ହେଲ ! ଶତ୍ରୁ ସମ୍ମୁଖରେ ମୋର ସମସ୍ତ ଗୁପ୍ତ ରହସ୍ୟ ଉନ୍ମୋଚିତ କରି ଦେଇଛ ! ତୁମର ବିନାଶ ନିମିତ୍ତ ଯମାସ୍ତ୍ର କେବେଠାରୁ ସାଇତି ରଖିଛି। ଆଜି କେହି ତୁମକୁ ମୋର ତୀବ୍ର ପ୍ରହାରରୁ ରକ୍ଷା କରିପାରିବ ନାହିଁ।
ଦୁଇପାଦ ପଛକୁ ଘୁଞ୍ଚିଗଲେ ବିଭୀଷଣ। ବୀର ସୌମିତ୍ରୀଙ୍କର ତୂଣୀରର ବାଣ ମେଘନାଦ ଦ୍ୱାରା ପ୍ରେରିତ ‘ଯମ ଅସ୍ତ୍ର’କୁ ନିମିଷକ ମଧ୍ୟରେ ଉଡ଼େଇ ଦେଲା। ଲକ୍ଷ୍ମଣଙ୍କର ବଧ ପାଇଁ ସେ ‘ବ୍ରହ୍ମାସ୍ତ୍ର’ ପ୍ରେରଣ କଲା। ମାତ୍ର ତାହା ମଧ୍ୟ କାର୍ଯ୍ୟ ନ କରି ଅଦୃଶ୍ୟ ହୋଇଗଲା। କ୍ରୋଧିତ ମେଘନାଦ ‘ପାଶୁପତ ଅସ୍ତ୍ର’ ଏବଂ ପରେ ‘ନାରାୟଣ ଅସ୍ତ୍ର’ର ପ୍ରୟୋଗ କଲା।
ତିନି ଗୋଟି ଶକ୍ତିଶାଳୀ ଅସ୍ତ୍ର ଲକ୍ଷ୍ମଣଙ୍କର କୌଣସି କ୍ଷତି କରି ପାରିଲା ନାହିଁ। ଆଶ୍ଚର୍ଯ୍ୟ ହୋଇ କ୍ଷଣେ ଲକ୍ଷ୍ମଣଙ୍କୁ ଚାହିଁ ଇନ୍ଦ୍ରଜିତ ଅଦୃଶ୍ୟ ହୋଇଗଲା ଏବଂ ରାବଣ ନିକଟରେ ଉପସ୍ଥିତ ହେଲା। ଅସମୟରେ ମେଘନାଦକୁ ଦେଖି ରାବଣ ରଣଭୂମି ଛାଡି ଫେରି ଆସିବାର କାରଣ ଜାଣିବାକୁ ଚାହିଁଲା।
ଇନ୍ଦ୍ରଜିତ କହିଲା, “ପିତା ! ସବୁଠାରୁ ଶକ୍ତିଶାଳୀ ବ୍ରହ୍ମାସ୍ତ୍ର, ପାଶୁପାତ ଅସ୍ତ୍ର ,ନାରାୟଣ ଅସ୍ତ୍ର ସବୁ ଗୁଡିକ ଲକ୍ଷ୍ମଣଙ୍କ ସମ୍ମୁଖରେ ବିଫଳ ହୋଇଗଲା। ରାମ ଓ ଲକ୍ଷ୍ମଣ ସାଧାରଣ ମାନବ ନୁହଁନ୍ତି। ରାମ ସ୍ୱୟଂ ନାରାୟଣ। ଜିଦ୍ ନ କରି ତାଙ୍କ ପତ୍ନୀଙ୍କୁ ଫେରାଇ ଦିଅନ୍ତୁ ଓ ତାଙ୍କ ଶରଣରେ ଚାଲି ଯାଆନ୍ତୁ। ”
ରାବଣ ଆଶ୍ଚର୍ଯ୍ୟ ହୋଇ କହିଲା, ” ଏହି କଥା ତୁମେ କହୁଛ ଇନ୍ଦ୍ରଜିତ ! ନିକୁମ୍ଭୀଳା ଯଜ୍ଞ ବିଫଳ ହେବାରୁ ଭୟଭୀତ ଜଣା ପଡୁଛ। କାପୁରୁଷ ପରି କଥା କୁହ ନାହିଁ। ”
“ମୃତ୍ୟୁ ଭୟ ମୋର ନାହିଁ ପିତା ! ଲଙ୍କାନଗରୀର ସୁରକ୍ଷା କଥା ଚିନ୍ତା କରୁଥିଲି। ପିତାଙ୍କ ବଚନ ରକ୍ଷା କରି ପ୍ରଭୁ ଶ୍ରୀରାମ ଏତେ କଷ୍ଟ ସହ୍ୟ କରି ଆଜି ଏଠାରେ, ଆଉ ମୁଁ.. ସେଥିରୁ ବିଚ୍ୟୁତ କିପରି ହେବି! ଆପଣଙ୍କ ଆଦେଶ ଶିରୋଧାର୍ଯ୍ୟ।
କ୍ରମଶଃ…..
Comments are closed.